Latest Odisha News

BREAKING NEWS

ରାଜନୈତିକ ଅସ୍ଥିରତା ମଧ୍ୟରେ ଇଡି ସ୍କାନରରେ ଯାଦବ ପରିବାର

ପାଟନା: ଗୋଟେ ପଟେ ରାଜ୍ୟରେ ଚାଲିଛି ରାଜନୈତିକ ଅସ୍ଥିରତା। ଅନ୍ୟ ପଟେ ଇଡି ଦ୍ଵାରା ସମନ୍ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଆଣ୍ଡ କୋ। ତାଙ୍କ ଦଳ ଆରଜେଡି ଓ ଜେଡିୟୁ ମଧ୍ୟରେ ଚାଲିଥିବା ରାଜନୀତିକ ଛକାପଞ୍ଝା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଜେରା କରିବାକୁ କରିଛି ପ୍ରସ୍ତୁତି। ରେଳବିଭାଗରେ ‘ଲ୍ୟାଣ୍ଡ ଫର୍‌ ଜବ୍‌’ ମାମଲାରେ ଇଡିର ଚାର୍ଜଶିଟ୍‌କୁ ଗ୍ରହଣ କରି ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ରାବ୍ରି, ମିସା ଭାରତୀ, ହେମା ଯାଦବ, ହୃଦୟାନନ୍ଦ ଚୌଧୁରୀ, ଅମିତ କାଟାଲ ଏବଂ ୨ କମ୍ପାନୀ ବିରୋଧରେ ସମନ ଜାରି କରିଛନ୍ତି। ଫେବୃଆରୀ ୯ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ଏହି ଦୁର୍ନୀତିରେ ଟଙ୍କା ହେରଫେର ଅଭିଯୋଗର ଯାଞ୍ଚ ବେଳେ ଇଡି ଏକ ଚାର୍ଜଶିଟ ଦାଖଲ କରିଥିଲା। ଚାର୍ଜଶିଟରେ ଇଡି ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ, ହ୍ରଦୟାନନ୍ଦ ଚୌଧୁରୀ ଏବଂ ୨ କମ୍ପାନୀକୁ ଅଭିଯୁକ୍ତ ଭାବରେ ନାମିତ କରିଛି। ଏହି ମାମଲାରେ ଇଡି ଏକ ୪୭୫୧ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି।

ମାମଲାଟି ୧୪ ବର୍ଷ ପୁରୁଣା। କିନ୍ତୁ ଇଡି ଛିଡେଇ ପାରୁନି ଅଡ଼ୁଆ ଖିଅ। ଦୀର୍ଘ ବର୍ଷ ପରେ ଏବେ ବି ଚାଲିଛି ସମନ। ଏବେ ବି ଜାରି ରହିଛି ଜେରା। ଏକଥା ସେହି ସମୟର ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ। ସେତେବେଳେ ସେ ରେଳବାଇରେ ଚାକିରି ବଦଳରେ ଜମି ନେଇଥିଲେ। ଆଉ ସେତେବେଳେ ଦେଶରେ ୟୁପିଏ ସରକାର ଥିଲା, ଲାଲୁ ପ୍ରସାଦ ଯାଦବ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ। ଏହି ଅଭିଯୋଗ ସମ୍ପର୍କରେ ସିବିଆଇ ୧୮ ମେ ୨୦୨୨ ରେ ପଞ୍ଜୀକୃତ କରିଥିଲା।

ତେବେ କେନ୍ଦ୍ରୀୟ ସଂସ୍ଥା ଇଡିରେ ପରିବାର ସଦସ୍ୟଙ୍କ ସହ ରାବ୍ରି ଦେବୀଙ୍କୁ ସମନ କରାଯାଇଛି। ୧୪ ବର୍ଷ ତଳର ଏହି ମାମଲାର ତଦନ୍ତ କରି ଫାଇଲ ବନ୍ଦ କରିବାର ଲକ୍ଷ୍ୟ ରଖା ଯାଇଛି ନା ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରସଙ୍ଗର ଦିଗକୁ ଆଉ ଏକ ମୋଡ଼ ଦିଆ ଯାଉଛି ତାହା ସମୟ ହିଁ କହିବ।

Leave A Reply

Your email address will not be published.