ମୁଦ୍ରୀକରଣର ମାଡ଼

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ବୁଢ଼ା ଲୋକ ଜଣକ ଜୀବନ ସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ । ସେହି ସମ୍ପତ୍ତି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା । ସେହି ବୁଢ଼ା ଲୋକ ଜଣକର ପୁଅ ଉପଯୁକ୍ତ ଯୋଗ୍ୟ ହୋଇନଥିବାରୁ ତାଙ୍କ ବ୍ୟବସାୟରୁ ବାରମ୍ବାର କ୍ଷତି ହେଉଥିଲା ଓ ଅନ୍ୟାନ୍ୟ ସମ୍ପତି ବାଡ଼ିରୁ ବି ସେ ଆଶାନୁରୁପ ଲାଭ ପାଉନଥିଲେ । ପ୍ରକୃତରେ ଏପରି ଅଭିଯୋଗ ବୁଢ଼ାଙ୍କ ଅପେକ୍ଷା ତାଙ୍କ ପୁଅ ବେଶି କରୁଥିଲା ।

ଦିନେ ସକାଳୁ ବୁଢ଼ା ଲୋକ ଜଣକ ନିଦରୁ ଉଠି ଦେଖିଲେ ତାଙ୍କ ଅର୍ଜ୍ଜିତ ସମ୍ପତ୍ତି ବାଡ଼ି ଆଉ କିଛି ନାହିଁ । ବାହାର ଲୋକମାନେ ତା ଉପରେ କବ୍‌ଜା କରି ବସିଛନ୍ତି । ବୁଢ଼ା ଆଶ୍ଚର୍ଯ୍ୟ ହୋଇ ପୁଅକୁ ଚାହିଁଲେ । ପୁଅ କାଳବିଳମ୍ବ ନକରି କହିପକେଇଲା, ବାପା, ମୁଁ ସେସବୁ ଜିନିଷର ମୁଦ୍ରୀକରଣ କରିଦେଇଛି ।

 

ପ୍ରଥମେ ତ ପୁଅ କହୁଥିବା ମୁଦ୍ରୀକରଣର ଅର୍ଥ ବୁଢ଼ା କିଛି ବୁଝିପାରିଲେ ନାହିଁ । ଆବା କାବା ହୋଇ ପୁଅକୁ ଚାହିଁଲେ । କିଛି ସମୟ ପରେ ବୁଢ଼ା ବୁଝିଲେ ଯେ, ଟଙ୍କା ପାଇଁ ପୁଅ ସେସବୁ ସମ୍ପତ୍ତିକୁ ବାହାର ଲୋକମାନଙ୍କୁ ଭଡ଼ାରେ ଦେଇଛି ଓ ବିକି ଦେଇଛି । ବୁଢ଼ାଙ୍କ ପାଦ ତଳୁ ମାଟି ଧସି ଯିବା ପରି ଲାଗିଲା । ପୁଅ କହିଲା, ବ୍ୟସ୍ତ ହୁଅନାହିଁ । ଏହା ଦ୍ୱାରା ଆମକୁ ଟଙ୍କା ମିଳିବ । ସେହି ଟଙ୍କାରେ ଆମେ ଆହୁରି ସମ୍ପତ୍ତି ବଢ଼େଇବା । ଏହା ଦ୍ୱାରା ଆମର ବିକାଶ ହିଁ ବିକାଶ ହେବ । ବୁଢ଼ାଙ୍କ ପାଟିରେ ଆଉ ଭାଷା ନଥିଲା ।

ଏହି ଗପଟି ସହିତ ବର୍ତ୍ତମାନ ଆମ ଦେଶର ଅବସ୍ଥା ପୁରା ଖାପ୍ ଖାଇଯାଉଛି । ଗତ ଅଗଷ୍ଟ ୨୩ ତାରିଖରେ କେନ୍ଦ୍ର ସରକାର ‘ନ୍ୟାସ୍‌ନାଲ୍ ମନିଟାଇଜେସନ୍ ପାଇପ୍‌ଲାଇନ୍‌’ ନାମକ ଏକ ଯୋଜନା ଘୋଷଣା କରିଛନ୍ତି । କାନକୁ ଭାରି ବଢ଼ିଆ ଶୁଭୁଥିବା ଏହି ଯୋଜନା ମାଧ୍ୟମରେ ସରକାର ଆମ ଦେଶର ୧୩ଟି ରାଷ୍ଟ୍ରୀୟ କ୍ଷେତ୍ରର ସମ୍ପତ୍ତିସବୁକୁ ଘରୋଇ କମ୍ପାନୀମାନଙ୍କୁ ଲିଜ୍ ଆକାରରେ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଠିକ୍ ଗପରେ ଥିବା ବୁଢ଼ାର ପୁଅ ପରି ସରକାର ଘୋଷଣା କରିଛନ୍ତି, ଏହି ଯୋଜନା ଦ୍ୱାରା ଆସନ୍ତା ଚାରି ବର୍ଷରେ ଆମକୁ ୬ ଲକ୍ଷ କୋଟି ଟଙ୍କା ମିଳିବ, ଯେଉଁଥିରେ ଆମେ ଆହୁରି ଢାଞ୍ଚାଗତ ବିକାଶ କରିପାରିବା ।

ସରକାରଙ୍କ ପାଖରେ ବର୍ତ୍ତମାନ ଥିବା ରାଷ୍ଟ୍ରାୟତ ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଘରୋଇ କମ୍ପାନୀକୁ ଲିଜ୍ ଦେଇ ବା ବିକ୍ରି କରି ସେଥିରୁ ଟଙ୍କା ରୋଜଗାର୍ କରିବା, କିପରି ବିକାଶ ବୁଝି ହେଉନାହିିଁ । ଏହା ବିକାଶର ସୂଚନା ନା ଦେବାଳିଆର ଲକ୍ଷଣ, ବିଚାରଯୋଗ୍ୟ ବିଷୟ । ଆମେ ଜାଣିଛେ, ବାପ ଅଜାଙ୍କ ଅର୍ଜ୍ଜିତ ସମ୍ପତ୍ତିକୁ ବିକୁଥିବା ପୁଅ କେବେହେଲେ ଯୋଗ୍ୟ ପୁଅ ନୁହେଁ । ଅଯୋଗ୍ୟ ପଣେ ହିଁ ସମ୍ପତ୍ତି ବିକିବାର ଚିନ୍ତାଧାରା ମୁଣ୍ଡକୁ ଆସେ । ଏ କ୍ଷେତ୍ରରେ ବି ଠିକ୍ ସେହିପରି ସରକାର ରାଷ୍ଟ୍ରାୟତ ସମ୍ପତ୍ତି ସବୁକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବାର ନିଷ୍ପତି ନେଇଛନ୍ତି । ଅବଶ୍ୟ ନିଜ ଦୋଷ ଓ ଅପାରଗପଣକୁ ଢ଼ାଙ୍କିବା ପାଇଁ ସରକାର ଏହାର ଗୋଟିଏ ଭଲ ନାଁ ଦେଇଛନ୍ତି ।

ଏ କ୍ଷେତ୍ରରେ ସରକାର ଶବ୍ଦର ଖେଳ ଖେଳି ସାଧାରଣ ଲୋକମାନଙ୍କୁ ଠକିବାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ନାଁ ଯାହା ଦେଲେ ବି, ପ୍ୟାକିଙ୍ଗ୍ ଯେପରି କଲେ ବି ସରକାରଙ୍କର ଭିତିରି ଉଦ୍ଦେଶ୍ୟକୁ ବୁଝିବା ଆଉ ବାକି ନାହିଁ । କୋଭିଡ଼୍‌ର ପ୍ରଥମ ଲହଡ଼ି ବେଳେ ଅର୍ଥମନ୍ତ୍ରୀ ଘରୋଇକରଣ କରିବାର ଯେଉଁ ଧାରା ଆରମ୍ଭ କରିଥିଲେ, ସମ୍ପ୍ରତି କେନ୍ଦ୍ର ସରକାର ସେହି ଧାରାକୁ ଆହୁରି ଆଗକୁ ବଢ଼େଇଛନ୍ତି । ୨୦୧୪ରେ ମୋଦି ସରକାର ଆସିବା ପରଠାରୁ ତାଙ୍କର ନିଷ୍ଠା ଦେଶର ଜନସାଧାରଣଙ୍କ ଅପେକ୍ଷା କମ୍ପାନୀମାନଙ୍କ ପ୍ରତି ଅଧିକ ବୋଲି ବୁଝିବାରେ ଆଉ ବାକି ନାହିଁ । ପୂର୍ବର ସରକାର ବି ଏହାର ବ୍ୟତିକ୍ରମ ନଥିଲେ ।

କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ୨୬୭୦୦ କି.ମି. ରାସ୍ତା, ଯାହାକି ଦେଶର ସମୁଦାୟ ରାଜରାସ୍ତାର ୨୨%, ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବାର ବ୍ୟବସ୍ଥା କରିଛନ୍ତି । ୪୦୦ ରେଳଷ୍ଟେସନ୍‌, ୯୦ଟି ରେଳଗାଡ଼ି, ୧୪୦୦ କି.ମି. ରେଳ ଟ୍ରାକ୍‌, ୧୫ଟି ରେଳବାଇ ଷ୍ଟାଡ଼ିଅମ୍‌, ୨୬୫ଟି ରେଳବାଇ ଗୋଦାମ, ୮୧୫୪ କି.ମି. ଲମ୍ବର ପ୍ରାକୃତିକ ଗ୍ୟାସ୍ ପାଇପ୍‌ଲାଇନ୍‌, ପେଟ୍ରୋଲିଅମ୍ ଓ ପେଟ୍ରୋଲ୍‌ଜାତ ଦ୍ରବ୍ୟ, ଏକାଧିକ ସରକାରୀ ହୋଟେଲ୍‌, ସରକାରୀ ଗୋଦାମ ଘର, ଖଣି, ଷ୍ଟାଡ଼ିଅମ୍ ଆଦିକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବା ପାଇଁ ଯୋଜନା କରିସାରିଛନ୍ତି । ଏତଦ୍‌ବ୍ୟତୀତ ଶକ୍ତି, ଟେଲିକମ୍‌, ଜାହାଜ ଚଳାଚଳ, ବିମାନ ଚଳାଚଳ, ସହରାଂଚଳ ଓ ରିଅଲ୍ ଇଷ୍ଟେଟ୍ ଆଦି କ୍ଷେତ୍ରକୁ ମଧ୍ୟ ଘରୋଇ କମ୍ପାନୀଙ୍କୁ ଲିଜ୍ ଦେବାର ବ୍ୟବସ୍ଥା ହୋଇଛି ।

ଓଡ଼ିଶାର ପାରଦୀପ ବନ୍ଦର, ଭୁବନେଶ୍ୱର ବିମାନ ବନ୍ଦର, ହୋଟେଲ୍ କଳିଙ୍ଗ ଅଶୋକ ବି ଏହି ତାଲିକାରେ ଅଛି । ଏହା ଦ୍ୱାରା ଚାରି ବର୍ଷ ମଧ୍ୟରେ ସରକାର ୬ ଲକ୍ଷ କୋଟି ଟଙ୍କା ପାଇବେ । ଅର୍ଥାତ୍ ବର୍ଷକୁ ମାତ୍ର ୧.୫ ଲକ୍ଷ କୋଟି ଟଙ୍କା ପାଇଁ ଦେଶର ଏସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବା କେତେ ଦୂର ସମିଚୀନ !

ଏହି ଯୋଜନା ଘୋଷଣାର ମାତ୍ର ଆଠ ଦିନ ପୂର୍ବରୁ ସ୍ୱାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲା ଉପରୁ ସାଧାରଣ ଲୋକଙ୍କ ପାଇଁ ୧ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଥିଲେ । ଯଦି ସରକାରଙ୍କ ପାଖରେ ଟଙ୍କା ନାହିଁ ଓ ଦେଶର ସମ୍ପତି ଲିଜ୍ ଦେବା ପାଇଁ ପଡ଼ୁଛି, ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କ’ଣ ମିଛ ବାହାସ୍ଫୋଟ ଥିଲା ? ସ୍ୱାଧୀନତା ଦିବସରେ ଦେଶର ସ୍ୱତନ୍ତ୍ରତା ଓ ଆତ୍ମନିଭରଶୀଳତାର କଥା କହୁଥିବା ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସର ମାତ୍ର ଆଠ ଦିନ ପରେ ଦେଶର ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକି ଦେବା କ’ଣ ସ୍ୱାଧୀନତାର ଆତ୍ମସମର୍ପଣ ନୁହେଁ ?

ଏ ବିଚାର ଲୋକମାନେ କରିବେ । ଏହି ସବୁ ସମ୍ପତ୍ତି ଓ ସେବା କ୍ଷେତ୍ର ଘରୋଇ ମାଲିକାନାକୁ ଗଲେ, ସେତେବେଳେ ଉପରୋକ୍ତ ସେବା ଓ ଦ୍ରବ୍ୟର ମୂଲ୍ୟ କେତେ ରହିବ, ସେ ବିଷୟରେ କିଛି ବି ଏହି ଯୋଜନାରେ କୁହାଯାଇନାହିଁ । ଏହା ପରୋକ୍ଷରେ ଲୋକଙ୍କ ପାଇଁ କାଳ ସାବ୍ୟସ୍ତ ହେବ । କାରଣ ଆମେ ସମସ୍ତେ ଜାଣିଛେ ଯେ, ଘରୋଇ କମ୍ପାନୀମାନେ କେବେ ବି ଜନକଲ୍ୟାଣ ପାଇଁ ଏହି ସବୁ ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଲିଜ୍‌ରେ ନେବେ ନାହିଁ । ଲାଭ କରିବା ହିଁ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିବ । ଫଳ ସ୍ୱରୁପ ଏହି ସବୁ ସମ୍ପତ୍ତି ଓ ସେବାର ମୂଲ୍ୟ ଖୁବ୍ ଦ୍ରୁତ ଗତିରେ ବଢ଼ିବ, ଏଥିରେ ସନ୍ଦେହ ନାହିଁ । ଏହାର ବୋଝ ଆସନ୍ତା ଭବିଷ୍ୟତରେ ଦେଶର କୋଟି କୋଟି ସାଧାରଣ ଲୋକଙ୍କ ଉପରେ ପଡ଼ିବ । ପ୍ରକାରାନ୍ତରେ ଦରଦାମ୍ ଆହୁରି ଦ୍ରୁତ ଗତିରେ ବଢ଼ିବ । କରୋନାର ସଙ୍କଟ ପରେ ମୁଦ୍ରୀକରଣର ସଙ୍କଟ ଲୋକଙ୍କ ପାଇଁ ଭାରି ପଡ଼ିବ ।

ଯେଉଁ ଯେଉଁ କ୍ଷେତ୍ର ଗୁଡ଼ିକ ଏହି ଯୋଜନା ମାଧ୍ୟମରେ ଲିଜ୍ ଦେବା ପାଇଁ ଚୁଡ଼ାନ୍ତ ହୋଇଛି, ସେସବୁ ସର୍ବସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ କ୍ଷେତ୍ର । ସେସବୁ ଘରୋଇ କମ୍ପାନୀଙ୍କ ମାଲିକାନାକୁ ଗଲେ, ଲୋକମାନେ ସେହି ସବୁ ସେବା ଉପଯୁକ୍ତ ଦାମ୍‌ରେ ପାଇବାରୁ ବଞ୍ଚିତ ହେବେ । ଘରୋଇ କମ୍ପାନୀମାନେ ନିଜ ଲାଭ ପାଇଁ ଅଧିକ ଦାମ୍ କଷିବେ । କାରଣ ଘରୋଇ କମ୍ପାନୀମାନଙ୍କ ପାଇଁ ସରକାର ଏହି ଯୋଜନାରେ ଦରଦାମ୍‌ର କୌଣସି ନିୟନ୍ତ୍ରଣ ରଖିନାହାନ୍ତି । ଅନ୍ୟ ଅର୍ଥରେ କହିଲେ ଆସନ୍ତା ଚାରିବର୍ଷରେ ସରକାର ଏହି ଯୋଜନାରେ ତ ୬ ଲକ୍ଷ କୋଟି ଟଙ୍କା ସରକାର ପାଇବେ । କିନ୍ତୁ ଦେଶର ଜନସାଧାରଣଙ୍କ ଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଘରୋଇ କମ୍ପାନୀମାନେ ଲୁଟିନେବେ । ଏତଦ୍‌ବ୍ୟତୀତ ଏପରି ଯୋଜନା ସରକାରୀ କ୍ଷେତ୍ରରେ ଦୁର୍ନୀତିକୁ ପ୍ରଚୁର ପରିମାଣରେ ବଢ଼ାଇବ ।

ଏହା ନିଶ୍ଚିତ ଯେ, ଏହି ଯୋଜନା ମାଧ୍ୟମରେ ସରକାର ନିଜର ପ୍ରିୟ ତଥା ନିର୍ବାଚନୀ ଚାନ୍ଦା ଦେଉଥିବା କମ୍ପାନୀମାନଙ୍କୁ ହିଁ ଲିଜ୍ ଦେବା ପାଇଁ ଅଗ୍ରାଧିକାର ଦେବେ । ଏହା ଦ୍ୱାରା ସରକାର ନିଶ୍ଚୟ ତାଙ୍କର ନିର୍ବାଚନ ଫଣ୍ଡିଙ୍ଗ୍‌କୁ ଅଧିକ ଦୃଢ଼ କରିବାର ବ୍ୟବସ୍ଥା କରିବେ । ଯେତେବେଳେ କୁହାଯାଉଛି, ମାତ୍ର କିଛି ବର୍ଷ ପାଇଁ ଏସବୁ ସମ୍ପତ୍ତି ଲିଜ୍ ଦିଆଯିବ, ସେତେବେଳେ ଗୋଟିଏ କଥା ଭୂଲିଯିବା ଉଚିତ୍ ନୁହେଁ ଯେ, ଏହି କିଛି ବର୍ଷଟା ଆହୁରି ଅଧିକରୁ ଅଧିକ ବଢ଼ିବ । ପ୍ରତି ବର୍ଷ କମ୍ପାନୀମାନଙ୍କର ଲିଜ୍‌କୁ ନବୀକରଣ କରାଯିବ ।

ଥରେ ସମ୍ପତ୍ତି କମ୍ପାନୀମାନଙ୍କ ହାତକୁ ଚାଲିଗଲେ ଓ ସରକାର ନିଜ ଦାୟିତ୍ୱରୁ ଓହରି ଗଲେ, ସେହି ଆଧାରରେ ସରକାର ଧିରେ ଧିରେ ଲିଜ୍‌କୁ ବିକ୍ରିରେ ପରିଣତ କରିଦେବେ । ତେଣିକି ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକ ହୋଇଯିବେ ଘରୋଇ କମ୍ପାନୀ । ସେତେବେଳକୁ ଲୋକମାନଙ୍କର ବି ଅଭ୍ୟାସରେ ପରିଣତ ହୋଇଯାଇଥିବ । ଆଉ ପ୍ରତିବାଦ କି ବିଦ୍ରୋହ ଦେଖାଯିବ ନାହିଁ । ସମୟ ଆସିବ ଦେଶ ତ ଆମର ହୋଇଥିବ, କିନ୍ତୁ ରେଳ ଷ୍ଟେସନ୍‌ଟା ଅମ୍ବାନୀର ହୋଇଥିବ । ଭୁବନେଶ୍ୱର ବିମାନବନ୍ଦର ଆମେରିକାର କେଉଁ ଗୋଟେ କମ୍ପାନୀର ହୋଇଥିବ ତ ଏକାଧିକ ରେଳ ଗାଡ଼ିରେ ବ୍ରିଟିଶ୍‌ର ପତାକା ଉଡୁଥିବ ।

ଏହି ମୁଦ୍ରୀକରଣ ବ୍ୟବସ୍ଥା ପ୍ରକୃତରେ ରାଷ୍ଟ୍ରାୟତ ସଂସ୍ଥା ସବୁକୁ ଦେଶୀ ବିଦେଶୀ କଂପାନୀଙ୍କ ହାତକୁ ଟେକି ଦେବାର ଏକ ଚାଲ୍ । କାଲି ସକାଳେ ରେଳ ଭଡ଼ା କମେଇବା ପାଇଁ ବା ଟୋଲ୍ ଗେଟ୍‌ରେ ଅଧିକ ଭଡ଼ା ନିଆଗଲେ ତାକୁ କମେଇବା ପାଇଁ ଲୋକମାନେ ଆଉ ସରକାରଙ୍କ ପାଖରେ ଦାବୀ କରିପାରିବେ ନାହିିଁ । କାରଣ ସେସବୁ ଆଉ ସରକାରଙ୍କ ଅଧୀନରେ ନଥିବ । ଅସଲରେ ସରକାର ଧିରେ ଧିରେ ଜନକଲ୍ୟାଣକାରୀ ଭୂମିକାରୁ ବାହାରି ଯିବାକୁ ଚାହୁଁଛନ୍ତି । ସରକାର କେବଳ ଶାସନ କରିବେ ଓ ସେଥିପାଇଁ କେବଳ ପୋଲିସ୍ ବାହିନୀ ରଖିବେ । ବାକି ସବୁ କାମ ଘରୋଇ କମ୍ପାନୀ ବୁଝିବେ । ତା’ପରେ ସରକାର ଘୋଷଣା କରିବେ, ଯୋର୍ ଯାର ମୂଲକ ତାର । ଯିଏ ବଞ୍ଚି ପାରିବେ ବଞ୍ଚ । ବାକି ସବୁ ଘୁଞ୍ଚ । ଶେଷରେ ଗୋଟିଏ କଥା ପଚରାଯାଇପାରେ, ସରକାର ସଂସଦର ମୁଦ୍ରୀକରଣ କରିବାକୁ ଚାହିଁବେ କି ? ତା’ଦ୍ୱାରା ବି ଭଲ ଦି’ ପଇସା ମିଳିଯାଆନ୍ତା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪