Latest Odisha News

BREAKING NEWS

ଏକ ବିସ୍ମୟକର ଘଟଣା

ମୋର ଲେଖକ ଜୀବନର ଏକ ବିସ୍ମୟକର ଘଟଣା

ଶାନ୍ତନୁ କୁମାର ଆଚାର୍ଯ୍ୟ

୧୯୭୭ର ଘଟଣା । ସେତେବେଳେ ମୁଁ ମୋ ଉପନ୍ୟାସ ଶକୁନ୍ତଳା ଲେଖାରେ ନିମଜ୍ଜିତ । ଚାକିରିରୁ ଲମ୍ବା ଛୁଟିନେଇ ଘରେ ରହି ମୁଁ ଦିନକୁ ପ୍ରାୟ ବାର ତେରଘଣ୍ଟା ପଢ଼ିବା ଓ ଲେଖିବାରେ ନିୟୋଜିତ କରିଥାଏ । ସେତେବେଳେ ସକାଳ ଓଳିଟା ଯାଏ ଭାଗବତ ପଢ଼ାରେ । ଜଗନ୍ନାଥ ଦାସଙ୍କ ଭାଗବତ ସାମଗ୍ରିକ ଭାବେ ଅଧ୍ୟୟନ କରିବା ଥିଲା ଶକୁନ୍ତଳା ଉପନ୍ୟାସ ପାଇଁ ଅନ୍ୟତମ ଆବଶ୍ୟକୀୟ ଉପାଦାନ । ଏହାର ତାତ୍ପର୍ଯ୍ୟ ଏ ଉପନ୍ୟାସର ପାଠକ ଅନୁଭବ କରିପାରିବେ ।

ସେ ଯାହା ହେଉ ମୁଁ ଏହିଭଳି ଏକ ସ୍ୱାଧ୍ୟାୟ ମୂଳକ ପରିବେଶ ଭିତରେ ମାସମାସ ବୁଡ଼ିରହି ସରକାରି ଚାକିରିରେ ପାଇଥିବା ଗଂଜଣା ଜନିତ ଦୁଃଖ ଓ ପଛୁଆ ନାତର ପ୍ରତିକ୍ରିୟାରୁ ନିଜକୁ ନିବୃତ ରଖିଥିବା ସମୟରେ ଘଟିଲା ସେ ଅଭାବିତ ଘଟଣା ।

ସେଦିନ ଦିନସାରା ଲେଖା ଭିତରେ ବୁଡ଼ିରହିଥିଲାବେଳେ ମୋ ବଡ଼ଝିଅ ବୁଲବୁଲ (ପ୍ରଜେଶ ନନ୍ଦିନୀ-ବର୍ତ୍ତମାନ ଆମେରିକାରେ ଇଲେକଟି୍ରକାଲ ଇଂଜିନିୟର) ମତେ କେତେଥର ଡାକି ସତର୍କ କରିଦେଇସାରିଥାଏ, “ନନା । କାଲି ଫର୍ମ ଫିଲଅପ ହେବ । ମୋର ପରୀକ୍ଷା ଫିସ ଇତ୍ୟାଦି ଦାଖଲ ହେବ । କାଲି ଶେଷ ତାରିଖ । ଦୁଇଶହ ଟଙ୍କା ଦରକାର ।’ ସେ ସେବର୍ଷ ରମାଦେବୀ କଲେଜରେ ତାର ବି.ଏ.(ଅନର୍ସ) ଫାଇନାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ । ୧୯୭୭ ଫେବୃୟାରୀ ମାସ । ଶୀତଋତୁ ତଥାପି ଶେଷହୋଇନଥାଏ । ମନେ ପଡୁଛି ମୁଁ ଖଣ୍ଡେ ସ୍ୱେଟର ପିନ୍ଧି ସକାଳୁ ବସିଥାଏ ମୋ ଲେଖା ଟେବ୍ଲୁ ପାଖରେ । ଦିନ ପ୍ରାୟ ଦୁଇଟା ହେଲାଣି । ଘରେ ସ୍ତ୍ରୀ ନଥାନ୍ତି । ସେ ସବା ସାନ ଦଶବର୍ଷର ଝିଅ ଜୁଲିକୁ (ଏ ଝିଅ ବର୍ତ୍ତମାନ ଆମେରିକାର ସଲଟଲେକ ସିଟି, ୟୁଟାଃ ବିଶ୍ୱବିଦ୍ୟାଳୟ ସଂଲଗ୍ନ ଏକ ଫର୍ମାସ୍ୟୁଟିକାଲ କଂପାନୀରେ ବୈଜ୍ଞାନିକ- ଗବେଷକ) ସାଙ୍ଗରେ ନେଇ କଟକ ଯାଇଥାନ୍ତି ତାଙ୍କ ପିତାମାତାଙ୍କୁ ଭେଟିବାକୁ । ରାତିରେ ସେମାନେ ଫେରିବାର ନଥାଏ । ତେଣୁ ଘରେ ବୁଲବୁଲ ଓ ମଝିଆଝିଅ ସୁଲୁ (ନିବେଦିତା- ସେ ବର୍ତ୍ତମାନ ଆମେରିକାରେ ଜଣେ ମନସ୍ତତ୍ତ୍ୱବିତ ଓ ଏକ ଡାକ୍ତରଖାନାରେ କାଉନସେଲର) । ଦୁଇ ଝିଅ ମୋର ହେପାଜତ କରିବାକୁ ଘରେ ଥାନ୍ତି । ମୁଁ ସେମାନଙ୍କ ତାଡନାରେ ଦିନ ଦୁଇଟାବେଳେ କ’ଣ ଗଣ୍ଡିଏ ଖାଇଦେଇ ପୁଣି ବସିପଡିଥାଏ ମୋ ଲେଖା ଟେବୁଲ ପାଖରେ ।

ସନ୍ଧ୍ୟା ପାଞ୍ଚଟାରେ ବୁଲବୁଲ ପୁଣି ଡାକିଲା, “ନନା! କାଲି ମୋର ପରୀକ୍ଷା ଫିସ ଦାଖଲ ଶୁଣିଲ ତ? କାଲି ଶେଷ ତାରିଖ । ତୁମେ ପରା କହୁଥିଲ କୋଉ ସାଙ୍ଗ ଘରକୁ ଯାଇ ଟଙ୍କା ଧାର ଆଣିବ? ସନ୍ଧ୍ୟାତ ହେଲାଣି । ଲେଖା ବନ୍ଦ ଥାଉ । ସାଙ୍ଗ ପାଖରୁ ଆସିଲେ ପୁଣି ଲେଖିବସିବ ।”

ଝିଅର ତାଗିଦା ପାଇ ଧ୍ୟାନ ଭାଙ୍ଗିଗଲା । କଲମରେ କ୍ୟାପ ଚଢେ଼ଇ ଉଠିଲି । ପୋଷାକ ବଦଳେଇ ଘରୁ ବାହାରିପଡିଲି ।

ସେତେବେଳେ ଶହୀଦନଗରରେ ଏତେ ଘରଦ୍ୱାର ନଥାଏ । ମୋ ଘରଠୁ ଡାକେ ଦୂରରେ, ପୂର୍ବଦିଗରେ, ବମିଖାଲ ଗାଁ । ଏପଟେ ପଶ୍ଚିମରେ ଡାକେ ଦୂରରେ, ଶହୀଦ ନଗର ଭିତରେ, ଜଣେ ଦୁଇଜଣ ପଡୋଶୀ ଭଦ୍ରଲୋକଙ୍କ ଘର । ସେମାନେ ରହୁଥାନ୍ତି ନୂଆ ଘର-ନିର୍ମାଣ କରି ଶହୀଦନଗରରେ । ମୋର ନିକଟତମ ପଡେ଼ାଶୀ ଜଣେ ଭଦ୍ରଲୋକଙ୍କୁ ମୁଁ ବିଶେଷ ଭଲକରି ଚିହ୍ନିବି ନଥାଏ । ତଥାପି ଆଶା କରିଥାଏ ସେ ଭଦ୍ରଲୋକଙ୍କୁ ଅନୁରୋଧ କଲେ ଟଙ୍କା ଦୁଇଶହ ସାମୟିକ ଧାର ମିଳିଯାଇପାରେ । ଯେତେବେଳେ ମୁଁ ଜଣେ କ୍ଲାସ ୱାନ ସରକାରି ଚାକିରିଆ । ମୋ ନିଜ ଘରେ ମୁଁ ରହୁଥାଏ ଓ ଘର ସାମନା ଗ୍ୟାରେଜରେ ନିଜ କାର ଥୁଆହୋଇଚି । ମତେ ଟଙ୍କା ଦୁଇଶହ ଆଜି ସନ୍ଧ୍ୟାରେ ମିଳିଯିବନି କି? ଏଇ ଦୃଢ଼ତା ନେଇ ସେଦିନ ସନ୍ଧ୍ୟାରେ ମୁଁ ଘରୁ ବାହାରିଗଲି; କିନ୍ତୁ ସେତେବେଳକୁ ମୋ ସଂପର୍କରେ ମୋ ପଡୋଶୀ ମାନେ ନିଶ୍ଚୟ ଖବର ପାଇସାରିଥାଆନ୍ତି ଯେ, ମୁଁ ସରକାରି ଚାକିରିରୁ ଛ’ମାସ ହେଲା ଛୁଟିରେ ଅଛି । ମତେ ଦରମା ମିଳେନା । ମୁଁ ଗଲା ଛ’ମାସ କାଳ ଏମିତି ଧାର ଉଧାରରେ ଚଳୁଥାଏ ।

ସେଦିନ ସନ୍ଧ୍ୟାରେ ପ୍ରାୟ ସାତ ଆଠଜଣ ପାଖ ଓ ଦୂର ପଡିଶାଙ୍କ ଘର ବୁଲିବୁଲି ଶେଷରେ ନିରାଶହେଇ ରାତି ନଅଟାକୁ ଘରକୁ ଫେରିଲି । ମୋ ମୁହଁ ଦେଖି ଦୁଇ ଝିଅ ଜାଣିନେଲେ ମୋ ମନର ଅବସ୍ଥା । ତଥାପି ମଝିଆଁ ମୁହଁ ଖୋଲି ପଚାରିଲା, “କଣ ଟଙ୍କା ମିଳିଲା ନାଇଁ ନନା? ନାନୀର ଏକଜାମିନେସନ ଫି କାଲି କେମିତି ଦିଆଯିବ ତା’ହେଲେ?”

“ସେ କଥା କାଲି ସକାଳେ ବୁଝିବି- ତମେ ତମ କାମ କର । ପଢ଼ାପଢ଼ିରେ ଲାଗ ।”- ଏତିକି ଆଶ୍ୱାସନା ଦେଇସାରି ମୁଁ ପୁଣି ମୋ ଲେଖା ଟେବ୍ଲୁ ପାଖରେ ବସିପଡିଲି । ରାତି ଡେରି ହେବାକୁ ଲାଗିଲା । ସେଇ ଡେରି ରାତିରେ ଖିଆପିଆ କରିବା ଆମର ଅଭ୍ୟାସ । ବାପ ଝିଅ ତିନିହେଁ ଖିଆପିଆ ସାରି ଶୋଇବାକୁ ଗଲୁ । ମୁଁ ମୋ ରୁମରେ ଖଟ ଉପରେ ଲୋଟିପଡିଲା ବେଳକୁ ହଠାତ ମୋ ମୁହଁ ସାମନା କାନ୍ଥରେ ଟଙ୍ଗାହେଇଥିବା ଗୋଟାଏ କ୍ୟାଲେଣ୍ଡର ଉପରେ ଆଖି ଲାଖିଗଲା । ସେଥିରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ରଙ୍ଗିନ ଚିତ୍ରଥାଏ । ସେଇ ଚିତ୍ର ଚାରିଟା ମୋ ମୁହଁ ସାମନା କାନ୍ଥ ଉପରୁ ଜଳଜଳ କରି ଅନାଇରହିଥାନ୍ତି । ଆଉ ସେମାନଙ୍କ ଭିତରୁ ସବୁଠୁ ବଡ଼ଆଖିଆ ଜଗନ୍ନାଥଙ୍କ ଆଖି ଦୁଇଟା ସିଧା ମୋ ଆଖିରେ ଆଖି ମିଳେଇ ସତେକି ମତେ ଥଟ୍ଟାକଲା ପରି ନାଲନାଲ ଓଠ ଦୁଇଟାକୁ ନେଫେଡିଦେଲା ଟିକିଏ । ସେ ମୋଟା ମୋଟା ନାଲି ଓଠ ଆଉ ସେ ଢେଗାଢେଗା ଆଖି ଦିଇଟାକୁ ଆଉ ଟିକିଏ ସମୟ ଅନେଇଲା ମାତ୍ରେ ମୋ ଦେହରେ ସତେକି ନିଆଁ ସଞ୍ଚରି ଗଲା । ମୁହଁ ଉପରକୁ ଟାଣିନେଉଥିବା କମ୍ବଳଟିକୁ ଫୋପାଡିଦେଇ ମୁଁ ଉଠି ବସିଲି ଆଉ ଚିକ୍ରାର କଲି- “ଆରେ ! ତୁ ମତେ ଥଟ୍ଟା କରୁଚୁ? ମତେ ଆଜି ବାର ଦୁଆର କରେଇଦେଲୁ? ଆରେ ମତେ କ’ଣ ତୋ ବେଠିଆ କରି ପାଇଚୁକି? ମତେ କୋଡିଏ କୋଡିଏ ବର୍ଷ ଧରି ବେଠି ଖଟେଇ ଖଟେଇ ତୋ’ କାମ କରେଇ ନେଇ ସାରି ଆଜି ମୋ ସାଙ୍ଗେ ଦିଲ୍ଳଗି ଖେଳିଲୁ? ଆରେ କୋଡିଏ କୋଡିଏ ବର୍ଷ ତୋ’ ରାଇଜର ମରମର ଓଡ଼ିଆ ଭାଷାକୁ ବଞ୍ଚେଇବା ପାଇଁ ତୁ ମତେ ଏ କାମରେ ମୁକରିର କରିନଥିଲୁ? ଆରେ ତୋ’ କାମରେ ମତେ ଲଗେଇବା ଦିନୁ କେବେ ମୁହୂର୍ତ୍ତେ ହେଲେ ବି ଦେଖିଛୁ ମୁଁ ହେଳା କରିବାର କି ଠକିବାର? ମୋର କୋଡିଏ ବର୍ଷର ନିରଳସ କାମର ମୂଲ ବାବତ ମୁଁ ତତେ ମାଗିଥିଲି ଆଜି ଟଙ୍କା ଦୁଇଶହଟା- ସାମାନ୍ୟ ଦୁଇଶହଟା ଟଙ୍କା; କିନ୍ତୁ ସେତିକିକୁ ବି ମୋ’ ମୁଣ୍ଡର ଭାଉ ପଡିଲା ନାଇଁ ତୋ’ ଆଖିରେ? ମତେ ତୁ ଲୋକହସା କରେଇଦେଲୁ । ମୋ ପିଲାଙ୍କ ଆଖିରେ ବି ମତେ ଅଯୋଗ୍ୟ ପ୍ରମାଣିତ କରିଦେଲୁ ଆଉ ଏଇଲେ ମୋ ସାଙ୍ଗେ ଦିଲ୍ଲଗୀ କରିବାକୁ ଏମିତି ମୁରୁକି ହସା ମାରୁଚୁ ତୋ’ ମାଙ୍କଡ଼ ମୁହଁରେ?”

ଏହା ପରେ ମୋ ପାଟିରେ ଆଉ ବାଡବତା ରହିଲା ନାହିଁ । ଅନେକ ଅବର୍ଜିଆ ଶବ୍ଦରେ ଗାଳି ବର୍ଷିଦେଇ ଗଲି ସେଇ କ୍ୟାଲେଣ୍ଡର ଛବିଟା ଉପରେ । କେତେ ସମୟ ସେମିତି ମନଭରି ଗାଳି ବୃଷ୍ଟି କଲାପରେ କମ୍ବଳଟାକୁ ପୁଣିଥରେ ମୁହଁ ଉପରକୁ ଟାଣିନେଇ ଶୋଇବାକୁ ଚେଷ୍ଟା କଲି, କିନ୍ତୁ କ’ଣ ପାଇଁ କେଜାଣି ମୁଁ କିଛି ସମୟ ଚୁପଚାପ ପଡିରହିବା ପରେ ମୁହଁ ଉପରୁ କମ୍ବଳ ବାହାରକରି ଆଉ ଥରେ ଉଠି ବସିଲି । କ୍ୟାଲେଣ୍ଡର ଭିତରୁ ସେ ମୁହଁଗୁଡିକ ସେମିତି ମୋ ଆଖିରେ ଆଖି ମିଳେଇ ଅନେଇ ଥା’ନ୍ତି; କିନ୍ତୁ ସେମାନଙ୍କ ଆଖିରେ ପୂର୍ବର ହସ ଆଉ ନଥାଏ । ଆଖିଗୁଡାକ ଦିଶୁଥାଏ ବିଷର୍ଣ୍ଣ । ସତେକି ଗାଳିଟା ଖୁବ ବାଧିଚି ସେମାନଙ୍କୁ । ବିଶେଷତଃ ଜଗନ୍ନାଥଙ୍କ ମୁହଁଟା ଦିଶୁଥାଏ ବେଶୀ କାନ୍ଦ କାନ୍ଦ ।

ସେ କାନ୍ଦ କାନ୍ଦ ମୁହଁଟାକୁ ଦେଖି ମୋ ମନରେ ଟିକେ ଅନୁଶୋଚନା ଆସିଲା । ତଥାପି ମନର ରିହ ମରୁନଥାଏ । କହିଲି, “ହଉ ଠିକଅଛି । ତଥାପି ସମୟ ଅଛି । ତୋ’ ସହିତ ମୋର ସଂପର୍କର ଡୋରି ତଥାପି କଟିନାହିଁରେ ଠାକୁର । ଶୁଣ! ତଥାପି ସମୟ ଅଛି; କିନ୍ତୁ ଗୋଟାଏ ସର୍ତ୍ତରେ । ସର୍ତ୍ତଟା ହେଲା କାଲି ବଡିଭୋରରୁ ତୁ ମୋ ଘର କବାଟ ବାଡେଇବୁ । ମୁଁ କବାଟ ଖୋଲିବାମାତ୍ରେ ମୋ ହାତକୁ ଟଙ୍କା ଦୁଇଶହ ଯଦି ବଢେ଼ଇଦବୁ ତେବେ ମୁଁ ଜାଣିବି ତୋର ମୋର ସଂପର୍କ ଅତୁଟ ରହିଚି ପୂର୍ବପରି । ନହେଲେ ମୁଁ ତୋ’ପାଇଁ ତୁ ମୋ ପାଇଁ ମଲେଣି ବୋଲି ଜାଣିନେବୁ ।”

ଏତିକି କହି ମୁଁ ପୁଣି କମ୍ବଳ ତଳେ ଶୋଇଗଲି । ସେ ରାତିରେ ମତେ ନିଘୋଡ ନିଦ ବି ହେଲା । ରାତିପାହି ସକାଳ ନ ହେଉଣୁ ଆମ ଘରର ସାମନା କବାଟର କଲିଂବେଲ ବାଜିଲା । କେତେବାର ବାଜିଚି ମତେ ଜଣାନାହିଁ । ପାଖ ରୁମରୁ ବୁଲବୁଲ ଡାକିଲା, ‘ନନା । କିଏ କଲିଂବେଲ ବଜାଉଛନ୍ତି ଦେଖିଲ ।”

ମୋ ନିଦ ଭାଙ୍ଗିଗଲା । କବାଟ ଖୋଲି ଦେଖିଲି – ଜଣେ ଧୋବଫରଫର ଖଦଡ଼ ଧୋତୀ ପଂଜାବୀ ପିନ୍ଧା ଭଦ୍ରଲୋକ ହାତରେ ଗୋଟାଏ ବ୍ରିଫକେଶ ଧରି ଠିଆ ହୋଇଚନ୍ତି । ଆଶ୍ଚର୍ଯ୍ୟ ହେଲି- ରାତି ତଥାପି ପୂରା ପାହି ନଥାଏ । ଘର ସାମନାଗେଟ ଆରପାଖେ ଗୋଟାଏ ଜିପ ଠିଆ ହୋଇଯାଏ । ଜିପର ଇଂଜିନ ତଥାପି ଚାଲୁଥାଏ । ହୁଏତ ଭଦ୍ରଲୋକ ଖୁବ ତରବରରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଆସିଚନ୍ତି ମୋ ପାଖକୁ, କିନ୍ତୁ ତାଙ୍କୁ କିଛି ପଚାରିବା ଆଗରୁ ସେ ସିଧାପଶିଆସିଲେ ବୈଠକଖାନା ଘର ଭିତରକୁ । ବିଫକେଶସଟାକୁ ସେଣ୍ଟର ଟେବ୍ଲୁ ଉପରେ ରଖି ସେ ତତକ୍ଷଣାତ ତାକୁ ମୋ ସାମନାରେ ଖୋଲିଦେଲେ । ଦେଖିଲି ନୂଆ ଚକଚକିଆ ବ୍ୟାଙ୍କନୋଟର ବଣ୍ଡିଲଗୁଡ଼ାକ ଖୁନ୍ଦି ହେଇଚି ସେ ବ୍ରିଫ କେଶଟା । ଆଖି ଝଲସିଗଲା । ଏତେଗୁଡ଼ାଏ ଟଙ୍କାକ ନେଇ ଏ ଭଦ୍ରଲୋକ ଆମ ଘରକୁ ଏ ରାତି ଜାଙ୍ଗୁଲୁ ସମୟରେ କଣ ପାଇଁ ଆସିଚନ୍ତି ।?’

କିଛି ପଚାରିବା ପୂର୍ବରୁ ଭଦ୍ରଲୋକ ଗୋଟାଏ ମୋଟା ବିଡା ନୂଆ ଶହେଟଙ୍କିଆ ନୋଟ ଟାଣି ଆଣିଲେ । ନୋଟ ବିଡାର ଷ୍ଟାଫ୍ଲ କଣ୍ଟା ଫିଟେଇ ସେଥିରୁ ଗଣିଗଣି ଯୋଡିଏ ନୋଟ ବାହାର କରି ମୋ ହାତକୁ ବଢେ଼ଇଦେଲେ । ତା’ପରେ ବାକିତକ ନୋଟ ବ୍ରିଫକେଶରେ ରଖିଦେଇ କଭର ବନ୍ଦକଲେ । ପରେ ପରେ ସେ ଉଠିପଡିଲେ । ବ୍ରିଫକେଶ ଉଠେଇ ବାହାରିଲେ ଚାଲିଯିବାକୁ । ସେ ପର୍ଯ୍ୟନ୍ତ ମୁଁ ବୁଝିପାରିନଥାଏ ସେ ଅଭାବିତ ଘଟଣାର ତାତ୍ପର୍ଯ୍ୟ । ସେ ଚାଲିଯିବା ପୂର୍ବରୁ ମୁହଁ ଖୋଲି କେବଳ କହିଲେ- “ଏ ଅପଦାର୍ଥ ସରକାର ଆପଣଙ୍କୁ ଏମିତି ଘରେ ରଖିଛି- ଆମେ ଜାଣୁ ସବୁ କଥା । ଚିନ୍ତା କରନ୍ତୁ ନାଇଁ । ଆଉ ପନ୍ଦର ଦିନ ପରେ ଆମେ ଆସିବୁ । ଆପଣଙ୍କ ସମସ୍ୟା ଆମ ସରକାର ଦୂର କରିଦେବ । କେବଳ ଆମପାଇଁ ଜନସାଧାରଣଙ୍କୁ ଯାଇ ପଦେ ମୁହଁ ଖୋଲି କୁହନ୍ତୁ ।”

ମୁଁ ପଚାରିଲି, “କିନ୍ତୁ ଜଣେ ସରକାରି ଚାକିରିଆ ଭାବେ ମୁଁ କେମିତି ଆପଣଙ୍କ ଦଳ ପାଇଁ ପ୍ରଚାର କରିପାରିବି? ଏ ଟଙ୍କା ତେବେ କ’ଣ ନିର୍ବାଚନ ପ୍ରଚାର ପାଇଁ ଉଦ୍ଧିଷ୍ଟ? ମୁଁ ତ ସେ କାମ କରିପାରିବି ନାଇଁ ଆଦୌ ।” ସେ ଭଦ୍ରଲୋକ ହସିଲେ । କହିଲେ, “ଏ ସବୁ ଟଙ୍କା ଯାହା ଦେଖୁଚନ୍ତି ସେ ସବୁ ଲୋକଙ୍କଠାରୁ ଭିକ୍ଷାକରି ଅଣାଯାଇଚି । ଜେଲରୁ ଫେରି ଆମ ଦଳର ନେତାମାନେ ନ ହେଲେ କୋଉଠୁ ପାଆନ୍ତେ ଧନ ନିର୍ବାଚନ ଖର୍ଚ୍ଚ ତୁଲାଇବାକୁ? ଜୟ ପ୍ରକାଶଜୀ ଘୋଷଣା କରିଛନ୍ତି, “ଆମକୁ ଟଙ୍କା ଦିଅ ଓ ଭୋଟ ବି ଦିଅ ଆମେ ତୁମଠାରୁ ଅପହୃତ ଗଣତନ୍ତ୍ରକୁ ପୁଣି ଫେରାଇ ଆଣିବୁ ।” ବର୍ତ୍ତମାନ ଲୋକଙ୍କଠାରୁ ମିଳିଥିବା ଏ ଦାନକୁ ପୁଣି ଲୋକଙ୍କୁ ବାଣ୍ଟିଦିଆଯିବ । ଆପଣଙ୍କ ଘର ବାଟେ ଯାଉଥିଲି । ଭାବିଲି- ଏଇଠୁ ଆରମ୍ଭ ହଉ! ଆଚ୍ଛା ମୁଁ ଚାଲିଲି ।” ଭଦ୍ରଲୋକ ସିଧା ତାଙ୍କ ପାଇଁ ଅପେକ୍ଷାରତ ଜିପରେ ବସିଲେ- ଚାଲିଗଲେ ।

ସେ ଚାଲିଯିବା ପରେ ଯାଇ ଉପସ୍ଥିତ ବୁଦ୍ଧି ଫେରିଆସିଲା । ମନେ ପଡିଲା- କାଲି ରାତିରେ ମୁଁ ଜଗନ୍ନାଥଙ୍କୁ ଯାହାସବୁ କହିଥିଲି । ଶହେଟଙ୍କିଆ ନୋଟ ଏଇଟାକୁ ହାତରେ ଧରି ମୁଁ ବିମୂଢ ଅବସ୍ଥାରେ କେତେ ସମୟ ଠିଆହୋଇ ରହିଲି । ଭାବିପାରୁନଥାଏ ଯେ ଏମିତି ପୁଣି ହୁଏ ବୋଲି । ମୁଁ କାଲି ରାତିରେ ଠାକୁରଙ୍କୁ କଣ୍ଟ ଦେଇଥିଲି- ମୁଁ ଉଠିବା ଆଗରୁ ତୁମେ ଆସି ମୋ ଦୁଆର ବାଡେଇ ଟଙ୍କା ଦୁଇଶହ ଦେଇଯିବ, ତା’ହେଲେ ବୁଝିବି ତୁମର ମୋର ସଂପର୍କ ପୂର୍ବପରି ରହିଚି ଅତୁଟ । ମୋର ଅଳି ତେବେ ଶୁଣାଗଲା ଠାକୁରଙ୍କୁ । ରୋମ ଟାଙ୍ଗୁରି ଉଠିଲା । କ୍ୟାଲେଣ୍ଡର ପାଖକୁ ଦଉଡ଼ିଯାଇ ଅନେଇ ରହିଲି ସେ ଚିତ୍ର ଚାରିଟାକୁ । ଛବିମାନେ କଣ କଥା ଶୁଣନ୍ତି? କଥାର ଉତ୍ତର ମଧ୍ୟ ଦେଇପାରନ୍ତି । ଟିକିଏ ବେଳ ପରେ ଶୁଣିଲି- ‘ନନା । କିଏ ଆସିଥିଲେ କି?’ ହସିଲି । କହିଲି, ‘ଜଗନ୍ନାଥ’ । ତା’ ପରୀକ୍ଷା ଫି ଦୁଇଶହ ଟଙ୍କା ତା ହାତକୁ ଧରେଇଦେଲି ।

ସେ ଘଟଣାର ପନ୍ଦରଦିନ ପରେ ୧୯୭୭ ମାର୍ଚ୍ଚ ୧୬ରେ ଦେଶରେ ଷଷ୍ଠ ସାଧାରଣ ନିର୍ବାଚନ ହେଲା । ସେ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଓ ତାଙ୍କ ଦଳର ସତ୍ତା ଲୋପହେଇଗଲା । କଂଗ୍ରେସ ହାରିଯିବା ପରେ ଦେଶର ରାଜନୈତିକ ପରିସ୍ଥିତି ସଂପୂର୍ଣ୍ଣ ବଦଳିଗଲା । ଜନତାଦଳ ଆସିଲେ ସଦଳବଳେ କ୍ଷମତାକୁ କେନ୍ଦ୍ରରେ । ମୋରାରଜୀ ଦେଶାଇ ପ୍ରଧାନମଂତ୍ରୀ ହେଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବିଜୁ ପଟ୍ଟନାୟକ ଯୋଗଦେଲେ । ତିନିମାସ ପରେ, ଜୁନ ଦଶରେ, ଓଡ଼ିଶା ବିଧାନସଭାର ସାନି ନିର୍ବାଚନ ହେଲା । ଏ ନିର୍ବାଚନରେ ଜନତା ଦଳ ୧୪୭ ଆସନରୁ ୧୧୦ ଆସନରେ ଜିତି ସରକାର ଗଠନ କଲା । ମୁଖ୍ୟମନ୍ତ୍ରୀ ହେଲେ ନୀଳମଣି ରାଉତରାୟ । ତା’ ପରେ ମୋ ଚାକିରିରେ ଉଠିଥିବା ଝଡତୋଫାନ ଅନ୍ତତଃ କିଛି ବର୍ଷ ପାଇଁ ଚାଲିଗଲା ।

…………………
ସୌଜନ୍ୟ: ‘ସାମ୍ନା’ ଶ୍ରୀଜଗନ୍ନାଥ ବିଶେଷାଂକ
ଉତ୍ସ: ମୋ ଜୀବନ ଅନ୍ୟ ଏକ ଉପନ୍ୟାସ

Leave A Reply

Your email address will not be published.