Latest Odisha News

BREAKING NEWS

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ

(୧୯୧୨-୧୯୯୦)
କ୍ଷେତ୍ର: ଭାଷା-ସାହିତ୍ୟ

ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା ବେଳେ ସେ ଏହାକୁ ସମ୍ଭବ କରି ଦେଖାଇଥିଲେ ।

୧୯୧୨ ମସିହା ଜୁନ୍ ୬ ତାରିଖରେ କଟକ ଜିଲ୍ଲାର ମଲ୍ଲିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିନୋଦ । ପିତାଙ୍କ ନାମ କେଶବ ଚରଣ ଓ ମାତାଙ୍କ ନାମ ପୀର ଦେବୀ । ଅନ୍ୟତମ ବିରଳ ପ୍ରତିଭା ପ୍ରଫେସର୍ ଆର୍ତ୍ତବଲ୍ଲଭ ମହାନ୍ତି ଥିଲେ ତାଙ୍କର ମାମୁ । ରେଭେନ୍ସା କଲିଜିଏଟ୍ ସ୍କୁଲରେ ୧୯୩୦ ମସିହାରେ ପଢ଼ୁଥିବା ବେଳେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିବାରୁ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା ।

ସେ ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥିଲେ । ୧୯୩୦ରେ କାରାବରଣ କଲେ ଓ ଖଲାସ୍ ହେବା ପରେ କଟକ-ପୁରୀ ସେବାଦଳ କ୍ୟାମ୍ପରେ ଯୋଗଦେଲେ । ୧୯୩୪ରେ ଗାନ୍ଧୀ ଶିକ୍ଷାଶ୍ରମ କଇଥା ଚମ୍ପାପୁରଠାରେ ଲୁଗାବୁଣା ଓ ଖଦି କାମରେ ସେ ସଂପୃକ୍ତ ହେଲାପରେ ଗାନ୍ଧିଜୀଙ୍କ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଅନୁଗୁଳରୁ ପୁରୀ ଓ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ପାଖେପାଖେ ରହି ‘ସମାଜ’ ସମ୍ବାଦପତ୍ରକୁ ବିସ୍ତୃତ ବିବରଣୀ ପଠାଇବାର ବିରଳ ସୁଯୋଗ ପାଇଥିଲେ ସେ ।

୧୯୪୦ରେ ସେ ‘ସମାଜ’ରେ ସହକାରୀ ସଂପାଦକ ଭାବେ ଯୋଗଦେଲେ । ୧୯୫୪ରୁ ତାଙ୍କ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ହାତରେ ମାତ୍ର ଟଙ୍କାଟିଏ ଧରି ସେ ଗୋଟେ ସଂକଳ୍ପ ନେଇ ସେ ଗାଁରୁ କଟକ ବାହାରିଥିଲେ ‘ଜ୍ଞାନମଣ୍ଡଳ’ ପ୍ରସ୍ତୁତି ପାଇଁ । ୧୯୬୦ ଡିସେମ୍ବର ୨ ତାରିଖରେ ‘ଜ୍ଞାନମଣ୍ଡଳ’ର ପ୍ରଥମ ଭାଗ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ୧୯୮୮ ସୁଦ୍ଧା ଏହାର ୩୨ ଖଣ୍ଡ ପ୍ରକାଶିତ ହୋଇଥିଲା ।

କେବଳ ବିଶ୍ୱକୋଷ ନୁହେଁ, ‘ପିଲାଙ୍କ ବିଶ୍ୱକୋଷ’, ‘ଶିଶୁ ଜ୍ଞାନମଣ୍ଡଳ’ ଆଦି ସଂପାଦନା କରି ସେ ଓଡ଼ିଆ ଜ୍ଞାନଭଣ୍ଡାରକୁ ପରିପୂର୍ଣ୍ଣ କରିଯାଇଛନ୍ତି । ଏତତ୍ ବ୍ୟତୀତ ‘ଉତ୍କଳ ଦର୍ପଣ’, ‘ଚଳନ୍ତା ରାଇଜର ଅମୁହାଁ ନଈ’ ପରି ଅନେକ ପୁସ୍ତକର ମଧ୍ୟ ସେ ସାର୍ଥକ ସ୍ରଷ୍ଟା । ‘ଛାତିକି ପଥର କରି’ ପୁସ୍ତକ ପାଇଁ ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୮୬ରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ୨୨ ଜୁନ୍ ୧୯୯୦ରେ ଏହି ବିଚକ୍ଷଣ ପ୍ରତିଭା ଜଣକ ଆମ ଗହଣରୁ ବିଦାୟ ନେଇଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.