Latest Odisha News

BREAKING NEWS

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି।

ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ ଚୂଡାନ୍ତ ମୋହର ବାଜେ। କିନ୍ତୁ ତାରିଖ ଘୋଷଣା ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ସିଇସି ବୈଠକକୁ ନେଇ ଚର୍ଚ୍ଚା ହୋଇଥିଲା ଓ ସାଙ୍ଗେ ସାଙ୍ଗେ ଉଭୟ ରାଜ୍ୟ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା ହୋଇଛି। ଯାହା ରାଜନୈତିକ ମହଲକୁ ଚକିତ କରିଛି।

ବିଜେପି ପକ୍ଷରୁ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିବା ବେଳେ ମଧ୍ୟପ୍ରଦେଶର ୩୯ ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏହାକୁ ବିଜେପିର ଏକ ବଡ଼ ରଣନୀତି ବୋଲି କୁହାଯାଉଛି।

ଯେଉଁ ସିଟ ଗୁଡିକରେ ବିଜେପି ଲଗାତର ହାରୁଛି ଏବଂ ଯେଉଁଠି କଂଗ୍ରେସ ସହ କଡା ଟକ୍କର ଦେଇ ଦଳ ପରାଜୟବରଣ କରିଛି ସେସବୁ ସ୍ଥାନରେ ଦଳ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା କୁହାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ତତ୍ୱାବଧାନରେ ହୋଇଥିବା ବିଜେପିର କୋର ଟିମ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସେଥିପାଇଁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ସିଟକୁ ଚାରୋଟି ବର୍ଗରେ ଭାଗ କରାଯାଇଛି। ପ୍ରଥମ ବର୍ଗରେ ଥିବା ସିଟ ଗୁଡିକୁ ବିପଦମୁକ୍ତ ବା ସେଫ ସିଟ ଭାବେ ନିଆଯାଇଛି।

ଦଳ ଗୋଟିଏ ଥର ହାରିଥିବା ସିଟ ଗୁଡିକୁ ଦ୍ଵିତୀୟ ବର୍ଗରେ ରଖାଯାଇଛି। ସେହିପରି ତୃତୀୟ ଵର୍ଗରେ ରଖାଯାଇଥିବା ସିଟ ଗୁଡିକରେ ଦଳୀୟ ପ୍ରାର୍ଥୀମାନେ ଦୁଇ ଥରରୁ ଅଧିକ ହାରିଛନ୍ତି ଏବଂ ଯେଉଁ ସିଟ ଗୁଡିକରେ ବିଜେପି ପ୍ରାର୍ଥୀ ଆଦୌ ଜିତିନାହାନ୍ତି କିମ୍ବା ଅଳ୍ପ ଜିତିଛନ୍ତି ସେସବୁ ସିଟଗୁଡିକୁ ଡି ବର୍ଗରେ ରଖାଯାଇଛି।

ତେଣୁ ବର୍ତ୍ତମାନ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ବିଜେପି ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ସି ଓ ଡି ବର୍ଗର ବୋଲି କୁହାଯାଉଛି। ତେଣୁ ପ୍ରଥମଥର ପାଇଁ ବିଜେପି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି।

କିଛି ମାସ ତଳେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ବିଜେପି ବହୁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଥିଲା। କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସେତେବେଳେ ଶାସନରେ ଥାଇ ମଧ୍ୟ ବହୁ ବିଳମ୍ବରେ ଦଳ ପ୍ରାର୍ଥୀ ଘୋଷଣା କରିଥିଲା।

ଏପରିକି କର୍ଣ୍ଣାଟକରେ ଦଳକୁ ବଡ଼ ଧରଣର ବିଫଳତା ମିଳିଥିଲା। ତେଣୁ ଏହି ପରାଜୟ ପରେ ଦଳ ନିଜର ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବା ସହ ଆଗାମୀ ନିର୍ବାଚନ ଗୁଡିକରେ ପ୍ରାର୍ଥୀ ଚୟନ ଓ ଅନ୍ୟାନ୍ୟ ଷ୍ଟ୍ରାଟେଜିରେ ମଧ୍ଯ ପରିବର୍ତ୍ତନ କରିଥିବା କୁହାଯାଉଛି ।

Leave A Reply

Your email address will not be published.