ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଗାୟାଗଣ୍ଡା ସେକ୍ସନ ଅଧୀନ ପାଇଛାଲିଆ ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଛୁଆର କଙ୍କାଳ ଉଦ୍ଧାର ହୋଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ କେବଳ ତାରାସିଙ୍ଗି ବନାଞ୍ଚଳରେ ତିନୋଟି ହାତୀଙ୍କ ଜୀବନ ଗଲାଣି ଯାହାକି ସ୍ଥାନୀୟ ଅଞ୍ଚଳରେ ଉଦବେଗର କାରଣ ପାଲଟିଛି।
ବନ ବିଭାଗର ସୂଚନା ଅନୁଯାୟୀ ମୃତ ହାତୀ ଛୁଆଟିର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଦୁଇ ମାସ ପୂର୍ବରୁ ତାହାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଜଣେ ଛେଳି ଚରାଳି ଜଙ୍ଗଲରେ ପ୍ରଥମେ ଏହି କଙ୍କାଳ ପଡ଼ିଥିବାର ଦେଖିଥିଲେ। ସେ ଗାଁ ଲୋକଙ୍କୁ ଖବର ଦେବା ପରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ।
ଖବର ପାଇ ଉତ୍ତର ଘୁମୁସର ଡିଏଫଓ ହିମାଂଶୁ ଶେଖର ମହାନ୍ତି ଏବଂ ତାରାସିଙ୍ଗି ରେଞ୍ଜର ପ୍ରଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ସେଠାରୁ ହାତୀର କଙ୍କାଳ ଚମଡ଼ା ଏବଂ ଦାନ୍ତ ଆଦି ଜବତ କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏହି ସବୁ ନମୁନାକୁ ଭୁବନେଶ୍ୱର ସ୍ଥିତ ଓୟୁଏଟି ଲ୍ୟାବକୁ ପଠାଯିବ। ତେବେ ଘଟଣାସ୍ଥଳ ନିକଟରେ କିଛି କଲରାପତରିଆ ବାଘର ପାଦଚିହ୍ନ ମଧ୍ୟ ଠାବ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ ମେ ମାସ ୧୦ ତାରିଖରେ ଗାୟାଗଣ୍ଡା ନିକଟରେ ରୋଗାକ୍ରାନ୍ତ ହୋଇ ଏକ ୧୧ ବର୍ଷର ହାତୀର ମୃତ୍ୟୁ ହୋଇଥିଲା। ସେହିପରି ମାର୍ଚ୍ଚ ୧୦ ତାରିଖରେ ନିକଟସ୍ଥ ଭୋଗରା ଜଙ୍ଗଲରେ ମଧ୍ୟ ଅନ୍ୟ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଗୋଟିଏ ବନାଞ୍ଚଳରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.