Latest Odisha News

ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ

ଢେଙ୍କାନାଳ:ଗୋଟିଏ ହାତୀ ବାରମ୍ବାର ଫାର୍ମ ହାଉସ୍‌ ରେ ଆମ୍ବ ଖାଇବାକୁ ଆସୁଥିଲା। ଏହାପରେ ଫାର୍ମ ମାଲିକ ସୌରବାଡ଼ରେ ୧୧ କେଭି ବିଦ୍ୟୁତ୍‌ ଚାର୍ଜ କରି ହାତୀକୁ ମାରିଦେଇଥିଲେ । ଏହାପରେ ଘଟଣାକୁ ଲୁଚାଇବାକୁ ଯାଇ ନିଜ ଫାର୍ମହାଉସ୍ ପରିସରରେ ହିଁ ପୋତି ଦେଇଥିଲେ ଫାର୍ମ ହାଉସ ମାଲିକ ପ୍ରମୋଦ କୁମାର ରାଜ୍ ଓରଫ କୁବେର । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସହରରେ ଥିବା କୁବେର ରାଜଙ୍କ ଫାର୍ମ ହାଉସ୍‌ରେ ।

ବନ ବିଭାଗ ପକ୍ଷରୁ ଆଜି ଖୋଳି ହାତୀର ମୃତଦେହ ବାହାର କରାଯିବା ପରେ ସତ ସାମ୍‌ନାକୁ ଆସିଛି। ଏହି ଘଟଣାରେ ବନ ବିଭାଗ ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ବନ ବିଭାଗ ମାଲିକ କୁବେର ରାଜଙ୍କ ସମେତ ଜେସିବି ଡ୍ରାଇଭର କୁନୁ ଭୁତିଆ ଓ ଜଗୁଆଳି ରାଜୁ ଚୌଧୁରୀଙ୍କୁ ଗିରଫ କରିଛି। ଗାତ ଖୋଳାରେ ବ୍ୟବହାର ହୋଇଥିବା ଜେସିବିକୁ ଜବତ କରାଯାଇଛି।

ହିନ୍ଦୋଳ ସଦର ମହକୁମା ଚରଣପୁରଠାରେ କୁବେର ରାଜଙ୍କ ଏକ ଫାର୍ମ ହାଉସ୍‌ ରହିଛି। ଦୁଇଦିନ ତଳେ ଏଠାରେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ବନ ବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଓ ରବିବାର ଚଢ଼ଉ କରିଥିଲା। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମ ହାଉସ୍‌ର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳାଯିବା ପରେ ସେଠାରୁ ଏକ ହାତୀର ଗଳିତ ମୃତଦେହ ମିଳିଥିଲା। ଏହାପରେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପୁଣି ପୋତି ଦିଆଯାଇଛି। ଏହି ମାଖନା ହାତୀର ବୟସ ପ୍ରାୟ ୩୦ ବର୍ଷ ହେବ।

 

Comments are closed.