ବିଶ୍ରା: ବୁଧବାର ଭୋରରୁ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ଟୋଣ୍ଟୋ ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ରୁଟୁଗୁଟୁର ଘନ ଜଙ୍ଗଲରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ସମୟରେ କୋବ୍ରା 209 ବାଟାଲିୟନର ଯବାନମାନେ ପାଟ୍ରୋଲିଂରେ ଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ଗୋଇଲକେରା ଥାନା ଅଞ୍ଚଳର ବୋରୋଇ ଏବଂ ତୁନବେଡା ନିକଟରେ ସୁରକ୍ଷା ବାହିନୀ ଗତ ଦୁଇ ଦିନ ଧରି ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ବୁଧବାର ଭୋର ପ୍ରାୟ ସାଢ଼େ ୪ଟାରେ ଯବାନଙ୍କ ଏକ ଦଳ ଜଙ୍ଗଲ ଭିତରକୁ ଯିବା ସମୟରେ ପୂର୍ବରୁ ସେଠାରେଥିବା ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲେ। ଯାହା ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା।
ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିନେଇଛି ଏବଂ ଅତିରିକ୍ତ ସୈନ୍ୟଙ୍କୁ ସଜାଗ ରଖାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ପଶ୍ଚିମ ସିଂହଭୂମି ପୋଲିସ ଅଧିକ୍ଷକ ଅମିତ ରେଣୁ ଘଟଣାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ସନ୍ଧାନ ଅଭିଯାନ ଜାରି ରହିଛି। ଯବାନମାନେ ସତର୍କତାର ସହିତ ପରିସ୍ଥିତିକୁ ସମ୍ଭାଳିଛନ୍ତି।
ସୂଚନା ଅନୁଯାୟୀ, ଗୋଇଲକେରା ଥାନା ଅଞ୍ଚଳରେ ଜଣେ ପୂର୍ବତନ ନକ୍ସଲଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଥିଲା।