Latest Odisha News

BREAKING NEWS

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର ଗୋପାଳଗଞ୍ଜରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି ।

ଏହି ସଂସ୍ଥା ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ବେଳେ ମୁମ୍ବାଇ, ଭୋପାଳ ଓ ଡେରାଡୁନରେ ଶାଖା ଖୋଲିଥିଲା । ଠକେଇ ପାଇଁ (www.grks.org) ୱେବସାଇଟ୍ ଖୋଲିଥିଲେ । ଯେଉଁଥିରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେବା ଲାଗି ଦିଆଯାଉଥିଲା ବିଜ୍ଞାପନ । ଜିଲ୍ଲାରୁ ଆରମ୍ଭ କରି ବ୍ଲକ କୋଅର୍ଡିନେଟର ନିଯୁକ୍ତି ଲାଗି ବିଜ୍ଞାପନ ଦେବା ସହ ଫର୍ମକୁ କେବଳ ଅନଲାଇନରେ ଭରି ହେଉଥିଲା ।

ଆଉ ଚାକିରି ଆଶାୟୀଙ୍କ ବିଶ୍ୱାସ ଜିତିବା ଲାଗି ଜାତିଭିତ୍ତିକ ସଂରକ୍ଷଣ ଓ ରିହାତି ପ୍ରଦାନ କରୁଥିଲା ଏହି ଠକ ସଂସ୍ଥା । ଓଡ଼ିଶାରେ ଠକେଇ ଲାଗି ପ୍ରମୁଖ ଦୈନିକ ଓଡ଼ିଆ ଖବର କାଗଜରେ ବିଜ୍ଞାପନ ମଧ୍ୟ ଦେଉଥିଲେ । ଏତିକିରେ ସୀମିତ ନଥିଲା ଏହି ସଂସ୍ଥା । ଅନଲାଇନ୍ ପରୀକ୍ଷା ସହ ସାକ୍ଷାତକାର ବି ନିଆ ଯାଉଥିଲା । ପ୍ରତି ପୋଷ୍ଟ ପାଇଁ ୱେବସାଇଟରେ ଉପଲବ୍ଧ ହେଉଥିଲା ପାଠ୍ୟକ୍ରମ ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଠକେଇ କରୁଥିବା ଏହି ୱେବସାଇଟରେ ଲେଖା ଥିଲା ଚାକିରି ଠକେଇ ପ୍ରତି ସାବଧାନ ରୁହନ୍ତୁ । ୨୦୨୦ ମସିହାରୁ ଓଡ଼ିଶା ସହ ଦେଶର ୧୭ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଆସାମା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ଆଦି ରାଜ୍ୟରେ ସଂସ୍ଥା ଚାକିରି ଯୋଗାଇ ଦେବା ନାଁରେ ଠକେଇ କରୁଥିଲା ।

ସଂସ୍ଥା ଅନଲାଇନ୍ ସାକ୍ଷାତକାର, ପରୀକ୍ଷା କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ସମସ୍ତଙ୍କୁ ଅଯୋଗ୍ୟ ବିବେଚିତ କରୁଥିଲା । ଏହି ଭଳି ଭାବେ ଜିଆରକେଏସ୍ ଆବେଦନକାରୀଙ୍କ ଠାରୁ କୋଟି କୋଟି ଟଙ୍କାର ଆବେଦନ ଫି ହାତଉ ଥିଲା । କେବଳ ଚାକିରି ନୁହେଁ ସଂସ୍ଥା ଜାଲ୍ ସ୍କଲାରସିପ୍ ପରୀକ୍ଷା ମଧ୍ୟ କରୁଥିବା ତଦନ୍ତ ବେଳେ ଜଣା ପଡ଼ିଛି ।

ଜିଆରକେଏସ୍ ଆୟ କରୁଥିବା ଅର୍ଥକୁ ବିଭିନ୍ନ ସେଲ୍ କମ୍ପାନୀ ଗୁର୍ବା ଏଜୁଟେକ୍, ଆମୋଘ ସେବା ଫାଉଣ୍ଡେସନ୍, ଉଦ୍ୟମିତା ସେବା ସମିତି, ୟୋତ୍ତା ଏଜୁଟେକ୍, ଜେଏମପି ଇନୋଭେଟିଭ୍ ଆଦି ସିଷ୍ଟର କମ୍ପାନୀକୁ ଡାଇଭର୍ଟ କରୁଥିଲେ । ଏବେ ସୁଦ୍ଧା ଇଓଡବ୍ଲୁ ୬.୬ କୋଟି ଟଙ୍କାର ଠକେଇ ଧରିଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.