Latest Odisha News

BREAKING NEWS

ବିଧାନସଭା ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳରେ ପୁନଃସ୍ଥାପିତ ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୁଳ ସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଗୁରୁବାର ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ । ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ଅନୁଗୁଳ ଗସ୍ତ କରିବେ ।

ଅନୁଗୁଳଠାରେ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ସ୍ଥାପନ କରାଯାଇଥିଲା, ତାହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ହଟାଇ ଦିଆଯାଇଛି । ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ପୁନଃସ୍ଥାପିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.