Latest Odisha News

ପ୍ରତି ସପ୍ତାହରେ ଗାଁକୁ ଯିବେ ବାବୁ: ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ ଲୋକଙ୍କୁ ପଚାରି ବୁଝିବେ

ଭୁବନେଶ୍ୱର: ଗାଁ ଯିବେ ବାବୁ । ଦରକାର ପଡିଲେ ରାତି ରହଣୀ କରିବେ । ଟିକିନିଖି ଯାଞ୍ଚ କରିବେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଉି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଚିବଙ୍କୁ ଏପରି ନିର୍ଦ୍ଦେଶ ମିଳିଛି । ପ୍ରତିମାସରେ ଏହି ସରକାରୀ ଅଫିସରମାନେ ଗାଁକୁ ଯିବେ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଏବଂ ସାମାଜିକ ସୁରକ୍ଷା ସମ୍ପର୍କିକ ପ୍ରକଳ୍ପ କେଉଁଠି କେତ କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିବେ ।

ରାଜ୍ୟ ସରକାର ନିଷ୍ପତ୍ତି ଅନୁଯାୟୀ, ପ୍ରତିମାସ ତୃତୀୟ ସପ୍ତାହରେ ଅଫିସର ଏବଂ ସଚିବମାନେ ଲୋକସେବା ଭବନରେ ଆଉ ବୈଠକ କରିବେନି । ସେମାନେ ଗ୍ରାସରୁଟକୁ ଯିବେ । ଗାଁରୁ ସିଧାସଳଖ ଫିଡବ୍ୟାକ ଆଣିବେ । ଏହାଦ୍ୱାରା ଲୋକଙ୍କର ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ବଢିବ ।  ଏ ନେଇ ଉନ୍ନୟନ କମିଶନର ଅନୁ ଗର୍ଗ ଏପ୍ରିଲ ୩ ତାରିଖ  ଏକ ଚିଠି ସଚିବମାନଙ୍କ ପାଖକୁ ପଠାଇଛନ୍ତି  । ଏହି ଚିଠିରେ ପ୍ରତ୍ୟେକ ଅଫସରଙ୍କୁ ପ୍ରତି ମାସର ତୃତୀୟ ସପ୍ତାହରେ ଗାଁକୁ ଯିବା ପାଇଁ କୁହାଯାଇଛି ।

ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ସ୍ପଷ୍ଟ କରାଯାଇଛି, ଅଫିସରମାନଙ୍କୁ ମାସର ତୃତୀୟ ସପ୍ତାହରେ ଲୋକସେବା ଭବନରେ ରହିବାକୁ ଅନୁମତି ମିଳିବ ନାହିଁ । ସେମାନଙ୍କୁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ପଡିବ । ଖାଲି ବିଡିଓ ବା ଅଫିସରଙ୍କଠାରୁ ତଥ୍ୟ ଆଣିବେନ, ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ସରକାରୀ ଯୋଜନା ସେମାନଙ୍କ ପାଖରେ କେତେ ପହଞ୍ଚୁଛି ସେ ତଥ୍ୟ ଆଣିବେ । ଦରକାର ପଡିଲେ ଦୁର୍ଗମ ଇଲାକାରେ ରାତି ରହଣି ବି କରିବେ ।

ଲୋକଙ୍କଠାରୁ ମତାମତ ପାଇବା ପରେ ଯୋଜନାରେ କେଉଁଠି କ’ଣ ତ୍ରୁଟି ରହିଛି ତାହାକ ସୁଧାରିବାକୁ ଚେଷ୍ଟା କରାଯିବ ।

ଅନ୍ୟପକ୍ଷେ କୁହାରାଉଛି, ନିର୍ବାଚନର ବର୍ଷକ ପୂର୍ବରୁ ସରକାର ନିଜ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ସମର୍ଥନ ଜୁଟାଇବା ଲାଗି ଏପରି କରିଛନ୍ତି  । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଫିସର ଏବଂ ସଚିବମାନଙ୍କୁ ଗ୍ରାସରୁଟକୁ ଯିବା ପାଇଁ କହୁଥିଲେ । ୨୦୧୭ ଅକ୍ଟୋବର ୨୮ରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବ ଏବଂ ବରିଷ୍ଠ ଅଫିସରଙ୍କୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗାଁକୁ ଯାଇ ସରକାରୀ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.