ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ପୁଣିଥରେ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜସ୍ଥାନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।
ସବୁଠୁ ବଡ଼ କଥା ହେଲା ସେ ଭିତରେ ଦଳର ସାତ ଜଣ ସାଂସଦ ରହିଛନ୍ତି। ଆହୁରି ବଡ଼ କଥା ହେଉଛି ଏହି ପ୍ରଥମ ତାଲିକା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ବସୁନ୍ଧରା ରାଜେ ସିନ୍ଧିଆଙ୍କ କୌଣସି ସମର୍ଥକଙ୍କ ନାଁ ନାହିଁ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବସୁନ୍ଧରାଙ୍କ ଅତି ନିକଟତର କୁହାଯାଉଥିବା ବିଧାୟକ ନରପାଟ ସିଂ ରାଜଭି, ରାଜପାଲ ସିଂ ଶେଖାୱତ ପ୍ରମୁଖଙ୍କ ନାଁ ତାଲିକାରେ ନାହିଁ। ସେପଟେ ବସୁନ୍ଧରାଙ୍କ ବିକଳ୍ପ ଚେହେରା କୁହାଯାଉଥିବା ରାଜ ପରିବାରର ସଦସ୍ୟ ତଥା ସାଂସଦ ଦିୟା କୁମାରୀଙ୍କୁ ଦଳ ବିଦ୍ୟାଧର ନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି। ସେହିପରି ମୋଟ ସାତ ଜଣ ସଂସଦଙ୍କୁ ଦଳ ବିଧାନସଭା ପ୍ରାର୍ଥୀ କରିଛି।
ଦଳର କେନ୍ଦ୍ରୀୟ ନେତୃତ୍ୱ ବସୁନ୍ଧରାଙ୍କୁ ସାଇଡ଼ କରୁଥିବା କୁହାଯାଉଥିବା ବେଳେ ଏବେ ଏହା ପ୍ରତିଫଳିତ ହେଉଛି। ଏପରିକି ଟିକେଟ କଟିଥିବା ନେତା ମାନେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି।
ଭରତପୁର ନଗର ବିଧାନସଭା କ୍ଷେତ୍ରରୁ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇଥିବା ଅନିତା ସିଂ ଗୁରଜର ବିଜେପି ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ନିଜର ରାଗକୁ ସେ ଫେସବୁକ ମାଧ୍ୟମରେ ପ୍ରକାଶ କରିଛନ୍ତି।
ନିଜର ଫେସବୁକ ପୋଷ୍ଟରେ ଅନିତା ବିଜେପି ଉପରେ ବର୍ଷିବା ସହ ତାଙ୍କ ଟିକେଟ କଟିବାରୁ ନିର୍ବାଚନ ମଣ୍ଡଳୀରୁ ଲୋକେ ତାଙ୍କୁ ଲଢ଼ିବାକୁ ଫୋନ ମାଧ୍ୟମରେ କହୁଥିବା ସେ କହିଛନ୍ତି।
ଏପରିକି ଲୋକଙ୍କ ଭାବନାକୁ ସେ ସମ୍ମାନ କରୁଥିବା କହିଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ଲୋକେ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
କଣ ଭାବି ବିଜେପି ତାଙ୍କୁ ନିଜଠାରୁ ଦୂର କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ଦଳ ଯାହାକୁ ଟିକେଟ ଦେଇଛି ତାଙ୍କ ଅମାନତ ବି ସେ ହରାଇବେ ହୋଲି କହିଛନ୍ତି ଅନିତା।
କଂଗ୍ରେସର କୁଶାସନ ବିରୋଧରେ ସେ ଗତ ପାଞ୍ଚବର୍ଷ ଧରି ଆନ୍ଦୋଳନ କରୁଥିବା ସେ କହିଛନ୍ତି। ଅନିତା ୨୦୦୮ ଏବଂ ୨୦୧୩ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରୁ ବିଧାୟକ ରହିଛନ୍ତି।
ଏପରିକି ୧୯୯୬ ମସିହାରେ ସେ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଏଥର ନିର୍ବାଚନରେ ଦଳ ତାଙ୍କ ବଦଳରେ ଜବାହର ସିଂ ବେଡ଼ମଙ୍କୁ ପ୍ରାର୍ଥୀ କରିଛି।
ବେଡ଼ମ ମଧ୍ୟ ବିଜେପି ସରକାରରେ ମନ୍ତ୍ରୀ ରହିଛନ୍ତି। ତେଣୁ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ପ୍ରାର୍ଥୀ ଘୋଷଣା ପରେ ବିଜେପି ମଧ୍ୟରେ ବିଦ୍ରୋହ ତୀଵ୍ର ରୂପ ନେଉଛି। ଯାହା ଦଳର ମୁଣ୍ଡବ୍ୟଥା ବଢ଼ାଇଥିବା କୁହାଯାଉଛି।
Comments are closed.