ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେ ସିପିଆଇଏମ୍ ସମର୍ଥକ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ କାର୍ଯ୍ୟ ହେବାର ଥିଲା। ହେଲେ ତା ପୂର୍ବରୁ ଏହି ଆକ୍ରମଣ କରାଯାଇଛି।
ଶ୍ରାଦ୍ଧ କାର୍ଯ୍ୟ କରିବାକୁ ବିପ୍ଳବଙ୍କ ଘରକୁ ପୂଜା କରିବାକୁ ବ୍ରାହ୍ମଣମାନେ ଆସିଥିଲେ। ସେମାନେ ବିପ୍ଳବଙ୍କ ଘର ପାଖରେ ପହଞ୍ଚିବା ପରେ ତାଙ୍କ ଉପରେ ବି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ ଦିଆଯିବାର ଥିଲା। ଏଥିପାଇଁ ଉଦୟପୁରର ଜମୁରିଆଠାରେ ଥିବା ରାଜଧନନଗର ସ୍ଥିତି ପୈତୃକ ଘରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୂଜାରୀମାନେ ଯଜ୍ଞ କରିବାକୁ ଆସିଥିଲେ। ହେଲେ ଆକ୍ରମଣରେ ସେମାନେ ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ପ୍ରଥମେ ଦୁର୍ବୃତ୍ତମାନେ ଦଳୀୟ ପତାକା ପୋଡ଼ି ଦେଲେ । ତାପରେ ଘର ପାଖରେ ଥିବା କିଛି ଗାଡ଼ି ଓ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଏପଟେ ବିଜେପି କହିଛି ଯେ ଯେଉଁ ବ୍ୟକ୍ତି ବିପ୍ଳବଙ୍କ ଘରେ ନିଆଁ ଲଗାଇଛନ୍ତି ତାଙ୍କର ସିପିଆଇଏମ୍ ସହ ଲିଙ୍କ ରହିଛି। ସେ ସିପିଆଇଏମ ସମର୍ଥକ ବୋଲି ବିଜେପି ଦାବି କରିଛି।
ତେବେ ସୌଭଗ୍ୟାବଶତଃ ଆକ୍ରମଣ ସମୟରେ ଘରେ କେହି ନଥିଲେ। ତେଣୁ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ ଗାଡିଗୁଡିକ ଜାଳି ଦେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Comments are closed.