ସମ୍ବଲପୁର: ସମ୍ବଲପୁର ସହରରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ମିଳିତ ଏହି ଚଢ଼ାଉରେ ପ୍ରାୟ ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏହା ସହ ୫ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଦେହେରୀପାଲି ଅଞ୍ଚଳର ସୁମନ୍ତ ମୁଣ୍ଡା, ରାହୁଲ ନାଗ, ସୌରଭ ଆଦବାର, ସତ୍ୟମ ମହାନନ୍ଦୀ ଏବଂ ସୁବୋଧ ଭୋଇ । ସେମାନଙ୍କ ନିକଟରୁ ଅବକାରୀ ବିଭାଗ ଟିମ୍ ପ୍ରାୟ ୨୪୨ ଗ୍ରାମ ବ୍ରାଉନସୁଗାର, ୪ଟି ମୋବାଇଲ୍ ଫୋନ୍, ୬ ହଜାର ନଗଦ ଟଙ୍କା ଏବଂ ଗୋଟିଏ ମୋଟରସାଇକେଲ ମଧ୍ୟ ଜବତ କରିଛି ।
ଏହାକୁ ନେଇ ସମ୍ବଲପୁର ଇଆଇ ଓ ଇବି ୟୁନିଟ୍ ପକ୍ଷରୁ ଏକ ଅବକାରୀ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ଖବର ମୁତାବକ, ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ଇଆଇ ଓ ଇବି ଶାଖା ପକ୍ଷରୁ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଦେହେରୀପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବ୍ରାଉନସୁଗାର କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବିଭାଗ । ଏହା ପରେ ଏକ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବ୍ରାଉନସୁଗାର ଜବତ କରାଯାଇଥିଲା ।
