Latest Odisha News

ପଦ୍ମପୁର ପ୍ରତିଶ୍ରୁତିକୁ ନେଇ ନବୀନ, ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା, ଜୟନାରାୟଣ ଓ ପୋଲିସ ଧସ୍ତାଧସ୍ତିକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ଣ ରହିଥିବା ବେଳେ ଆଜି ରାଜନୀତିର ନିଆଁରେ ଘିଅ ଢାଳିଛି ପଦ୍ମପୁର । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯାଇଥିଲେ । ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ୩ଟି ସ୍ଥାନରେ ସଭା କରି ଅନେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଗତଥର ଆସିଥିବା ବେଳେ କିଛି ଘୋଷଣା କରିଥିଲି । ଘୋଷଣା ଅନୁସାରେ ପାଇକମାଳ ପିଏଚସି, ସିଏଚସିରେ ପରିଣତ ହୋଇଛି । ଅନ୍ୟ କାମ ଆରମ୍ଭ ହୋଇଛି । ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ । ଗତ ଡିସେମ୍ବରରେ ଘୋଷଣା କରିଥିଲି ପଦ୍ମପୁର ଜିଲ୍ଲା ହେବ । ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ ।

ନବୀନ ଆହୁରି କହିଥିଲେ ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀରୁ କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ । ଆପଣମାନଙ୍କୁ ଧାନ ମଣ୍ଡି, ଫସଲ ବୀମା, ରେଳ, କେନ୍ଦୁପତ୍ର ଜିଏସଟି ଆଦି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ । ପ୍ରଭୁ ନୃସିଂହନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା କେନ୍ଦ୍ର ମନ୍ତ୍ରୀମାନଙ୍କୁ  ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ ।

ନବୀନଙ୍କ ଏହି ବକ୍ତବ୍ୟକୁ କାଉଣ୍ଟର କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଉଣ୍ଟର କରି କହିଛନ୍ତି, ପଦ୍ମପୁରରେ ମଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି । ଦୀର୍ଘ ୨୩ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍ ?

ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରେ ୨ଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ (ORIDL) ବରଗଡ ରୋଡ-ନୂଆପଡ଼ା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିଛନ୍ତି କି ? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ ।

ଫସଲ ବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ବରଗଡରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ?  ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡର ନାଗରିକଙ୍କୁ ମିଳିବ ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ  ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

Leave A Reply

Your email address will not be published.