ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମନ୍ୱୟ ଓ ସାମ୍ୟବାଦୀ ଚେତନା ଓ ସନାତନ ଧର୍ମର ପ୍ରାଚୀନତା ବିଷୟ ଆଲୋଚନା କରିବା ପରେ, ଶ୍ରୀଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ ଦିଗ ସାମନାକୁ ଆସେ । ତାହା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିରେ ସାର୍ବଜନୀନ ପ୍ରେମ ତତ୍ତ୍ୱ ।
ଏହି ସାର୍ବଜନୀନ ପ୍ରେମ କଥା ମନକୁ ଆସିବା ମାତ୍ରେ, ଆଖି ଆଗରେ ଉଦ୍ଭାସିତ ହୁଏ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହାକୁ ସ୍ୱୀକାର କରାଯାଇଛି । ସେଥିପାଇଁ ଶ୍ରୀଜଗନ୍ନାଥ ବିଗ୍ରହ ତତ୍ତ୍ୱର ଆରମ୍ଭରେ ଶ୍ରୀକୃଷ୍ଣ ରୂପୀ “ନୀଳମାଧବ”ଙ୍କ ଉପାସନା ଦେଖାଯାଏ । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା ଏହି ନୀଳମାଧବଙ୍କୁ କେବଳ ଦୁଇ ଜଣ ସ୍ୱଚକ୍ଷୁରେ ଦର୍ଶନ କରିଥିବାର ପ୍ରମାଣ ମିଳେ । ଜଣେ ଶବରରଜା ବିଶ୍ୱାବସୁ, ଆଉଜଣେ ବ୍ରାହ୍ମଣ ଦୂତ ବିଦ୍ୟାପତି।
ତେଣୁ ଏହାର ସଠିକ ବିଗ୍ରହ ତତ୍ତ୍ୱ ଅତି ଗୋପନୀୟ । ତଥାପି ନୀଳସାଗର କୂଳରେ, ନୀଳଗିରି ପର୍ବତରେ, ଇନ୍ଦ୍ରନୀଲମଣି ପ୍ରସ୍ଥର ନିର୍ମିତ୍ତ “ନୀଳମାଧବ “ଯେ ଶ୍ରୀଜଗନ୍ନାଥ ବିଗ୍ରହ ତତ୍ତ୍ୱର ଆଦିମ ପ୍ରମାଣ ଏହାକୁ ସମସ୍ତେ ସ୍ୱୀକାର କରନ୍ତି । ସେଥିପାଇଁ ବୋଧେ ଶ୍ରୀଜଗନ୍ନାଥ ସଂସ୍କୃତିରେ ନୀଳ ଶବ୍ଦର ବ୍ୟାପକ ପ୍ରୟୋଗ ଦେଖାଯାଉଛି । ଯଥା ନୀଳାଚଳ ଧାମ, ନୀଳାଦ୍ରି ବିହାର, ନୀଳକନ୍ଦର, ନୀଳଚକ୍ର, ନୀଳଶୈଳ, ଇତ୍ୟାଦି । ସେହିପରି ଶ୍ରୀଜଗନ୍ନାଥଙ୍କ ସେବା ପୂଜା, ରୀତିନୀତି ବର୍ଣ୍ଣିତ ହୋଇଥିବା ଗ୍ରନ୍ଥ ମଧ୍ୟ “ନୀଳାଦ୍ରି ମହୋଦୟ “ନାମରେ ନାମିତ । ଯେଉଁଥିରେ ସ୍ୱୟଂ ଜଗନ୍ନାଥଙ୍କୁ ମାଧବ ଭାବରେ ଉପସ୍ଥାପିତ କରାଯାଇଛି “ମାୟାଧବ ମାଧବଃ , ବୈ ପୁରୁଷୋତ୍ତମ” ।
ସ୍କନ୍ଦ ପୁରାଣ କହେ ନୀଳମାଧବ ଯୁଗଳ ମୂର୍ତ୍ତି ଥିଲେ, ନିଜ ବାମ ପାର୍ଶ୍ଵରେ ମା ଲଷ୍ମୀଙ୍କ ସହ ଶୋଭା ପାଉଥିଲେ। ସେଥିପାଇଁ ମାଧବଙ୍କୁ ଆମେ ମା (ଲଷ୍ମୀ )ଙ୍କ ଧବ (ସ୍ୱାମୀ )ଭାବରେ ମଧ୍ୟ ବିବେଚନା କରୁ । କିନ୍ତୁ ଶ୍ରୀଜଗନ୍ନାଥ ବିଗ୍ରହରେ ଉଭୟ ପୁରୁଷ (ମାଧବ ବା କୃଷ୍ଣ )ଓ ପ୍ରକୃତି (ଲଷ୍ମୀ ବା ରାଧା )ଏକତ୍ରିତ ଭାବରେ ଅଛନ୍ତି ସେହିପାଇଁ ଶ୍ରୀଜଗନ୍ନାଥ ନାରୀ (ପ୍ରକୃତି )ପରି ନାକରେ ନାକଗୁଣା,ଏବଂ ଅନେକ ରୀତିନୀତିରେ ଯଥା ଜନ୍ମାଷ୍ଟମୀ, ରାମନବମୀରେ ପ୍ରକୃତି ସ୍ୱରୂପିଣୀ ହୋଇ ଲୀଲୀଳା କରନ୍ତି । ସାର୍ବଜନୀନ ପ୍ରେମର ଚରମ ନିଦର୍ଶନ ସ୍ୱରୂପ ସମ୍ପୂର୍ଣ ଭେଦାଭେଦର ଉର୍ଦ୍ଦ୍ୱରେ ରହି ନିତ୍ୟ ରାସ ବି କରୁଥାନ୍ତି ।
କେତେବେଳେ ସ୍ତ୍ରୀ ସ୍ୱରୂପରେ, କେତେବେଳେ ପୁରୁଷ ସ୍ୱରୂପରେ । ତେଣୁ ଏହି ପରମ ମାୟାବୀ ଠାକୁର ସର୍ବଜନ ପ୍ରିୟ ଶ୍ରୀଜଗନ୍ନାଥଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଜେ ପରମ ପ୍ରେମିକ ମାଧବ ଭାବରେ ସ୍ୱୀକାର କରି ଲେଖିଛନ୍ତି “ମାୟାଶ୍ରୀୟଃ ଧବ ପତିଃ ମାଧଵଃ ମଧୁ ବିଦ୍ୟା ବବୋଧାଦ ବା ମାଧଵଃ”
ଏଠାରେ ଶଙ୍କରାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ହିଁ ମାଧବ ଭାବରେ ବିବେଚନା କରିଛନ୍ତି, ଯାହାର ପ୍ରମାଣ ସ୍କନ୍ଦ ପୂରାଣର ଏହି ଶ୍ଳୋକରେ ମିଳେ।
“ମାଧବ ପ୍ରତିମା ମେତାଂ ଦାରବୀ ଶୁଭଲକ୍ଷଣମ, ସାକ୍ଷାତ ମୁକ୍ତି ପ୍ରଦାଂ ଭୂପଂ ସ୍ୱୟଂ ସ୍ଥାପିତ ବାନମ୍ । “
ସେ ଯାହାହେଉ ଶ୍ରୀଜଗନ୍ନାଥ ସଂସ୍କୃତିର ସାମ୍ୟବାଦ, ସାର୍ବଜନୀନ ପ୍ରେମ ଭାବ ଓ ରହସ୍ୟ ମୟ ବିଗ୍ରହ ତତ୍ତ୍ୱ ହିଁ ଆଜି ନିର୍ଦ୍ବନ୍ଦରେ ସର୍ବଜନ ଗ୍ରାହ୍ୟ ହୋଇପାରିଛି । ଆସନ୍ତୁ ସେହି ରହସ୍ୟକୁ ବିଶ୍ଳେଷଣ କରିକରି ପ୍ରଭୁଙ୍କର ଗୁଣ ଗାଇବା : “ସମୋଅହଂ ସର୍ବଭୂତେଷୁ ନମେ ଦ୍ୱେଷ୍ୟୋଅସ୍ତି ନପ୍ରିୟଃ, ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ୟି ତେ ତେଷୁ ଚାପ୍ୟହମ “(ଗୀତା ୯ /୨୯ ), ଅର୍ଥାତ ମୁଁ ସକଳ ଭୁତଙ୍କଠାରେ ସମଭାବରେ ବ୍ୟାପ୍ତ, ମୋର କେହି ଅପ୍ରିୟ ନୁହଁନ୍ତି କି କେହି ପ୍ରିୟ ନୁହଁନ୍ତି । ଯେଉଁ ଭକ୍ତମାନେ ମୋତେ ପ୍ରେମରେ ଭଜନ କରନ୍ତି ମୁଁ ସେମାନଙ୍କ ମଧ୍ୟରେ ପ୍ରତକ୍ଷ୍ୟ ପ୍ରକଟ ହୋଇଥାଏ ଓ ସେମାନେ ମୋ ମଧ୍ୟରେ ଥାଆନ୍ତି ।
(ଦ. ତ୍ରୀ. ଉବାଚ )
ଜୟ ଜଗନ୍ନାଥ