Latest Odisha News

BREAKING NEWS

ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ସେ ନିରବି ଯାଇଛନ୍ତି । ନିଶ୍ଚଳ ହୋଇଯାଇଛି ବିରାଟକାୟ ଶରୀର । ଛାତିରେ ଛାତିଏ ଦୁଃଖକୁ ଜାବୁଡ଼ି ଧରି ରଖିଥିବା ରାଇମୋହନ କାହାରିକୁ ଦେଖିଲେ ମୁରୁକି ହସି ଦିଅନ୍ତି । ଆଜି ସମସ୍ତଙ୍କୁ କନ୍ଦାଇ ସେ ଆରପାରିକୁ ଚାଲି ଯାଇଛନ୍ତି । ସେ ସିନା ଚାଲି ଯାଇଛନ୍ତି ହେଲେ ତାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ । ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଦୁଇଟିକୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ଦାନ କରିଛନ୍ତି ।

କ୍ୟାପିଟାଲ୍ ହସ୍ପିଟାଲ୍ ଚକ୍ଷୁ ବ୍ୟାଙ୍କରେ ଆଖି ଦୁଇଟିକୁ ସଂରକ୍ଷଣ କରାଯାଇଥିବା ବେଳେ ୨ ଜଣ ଦୃଷ୍ଟିହୀନ ଦୁନିଆ ଦେଖି ପାରିବେ । ମୃତ୍ୟୁ ପରେ ରାଇମୋହନଙ୍କ ଆଖି ପରିବାର ଲୋକେ ଦାନ କରିବାକୁ ସମସ୍ତେ ସ୍ୱାଗତ କରିଛନ୍ତି । ଅନ୍ୟପଟେ କାହିଁକି ରାଇମୋହନ ପରିଡ଼ା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଯଦିଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ରାଇମୋହନ ଟଙ୍କା ପଇସା ପାଇଁ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେଇ ନଥିବା କୁହାଯାଉଛି । ତା’ ହେଲେ ଆତ୍ମହତ୍ୟା ପଛର କାରଣ କ’ଣ ?

ରାଇମୋହନଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ, ସେ ଜଣେ ଖିୁସି ମେଳାପୀ ମଣିଷ ଥିଲେ । ହସଖୁସି ଭରା ମଣିଷଟିର ଏଭଳି ଚରମ ପଦକ୍ଷେପର କାରଣ ପାରିବାରିକ ଅଶାନ୍ତି ପାଇଁ ହୋଇ ଥାଇପାରେ ବୋଲି କହିଛନ୍ତି ପଡ଼ୋଶୀ । ପୋଲିସ ସଠିକ୍ ତଦନ୍ତ କରି ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବାକୁ ପଡ଼ୋଶୀ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ବଡ଼ ଝିଅ ବାହାଘର ପରେ ରାଇମୋହନ ଟିକିଏ ବିବ୍ରତ ଥିଲେ । ତେବେ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାକୁ ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ଚାଲିଛି ।

ଅନ୍ୟପଟେ ବାସଭବନରେ ବିଭିନ୍ନ ବ୍ୟକ୍ତି ରାଇମୋହନଙ୍କ ମରଶରୀର ଦର୍ଶନ କରିଛନ୍ତି । ରାଇମୋହନଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପଞ୍ଚଭୂତରେ ଲୀନ ହୋଇଯିବ ରାଇମୋହନଙ୍କ ମରଶରୀର ।

Leave A Reply

Your email address will not be published.