Latest Odisha News

BREAKING NEWS

ତ୍ରିପୁରା ସୁନ୍ଦରୀ ମା’ ଭଟ୍ଟାରିକା…

ଶାରଦୀୟ ଦୁର୍ଗାପୂଜାର ପାର୍ବଣ ଋତୁରେ ଓଡ଼ିଶାରେ ଥିବା ସମସ୍ତ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । କେତେକ ପୀଠରେ ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଅନେକ ଶକ୍ତିପୀଠରେ ସପ୍ତମୀରୁ ଆରମ୍ଭ ହୋଇଛି ବିଶେଷ ପୂଜା ଉପାସନା । ଶରତର ସାୟାହ୍ନ ସଞ୍ଜରେ ପ୍ରତ୍ୟେକ ପୀଠରେ ମା’ଙ୍କର ବନ୍ଦାପନା ସହିତ ମଣ୍ଡପରେ ମା’ଙ୍କୁ ଆବାହନ କରି ଶ୍ରଦ୍ଧାଳୁମାନେ ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି । ସମସ୍ତ ପୀଠ ଓ ମଣ୍ଡପ ଏବେ ଉତ୍ସବମୁଖର ।

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ତଥା ଆଠଗଡ଼ ନିକଟବର୍ତ୍ତୀ ଭଟ୍ଟାରିକା ଦେବୀପୀଠ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିପାରିଛି । ମା’ଙ୍କର ଅପାର କରୁଣାରୁ ଭକ୍ତମାନଙ୍କର ମନୋକାମନା ପୂର୍ଣ୍ଣ ହେଉଥିବାର ଜନଶୃତି ରହିଛି । ନୈସର୍ଗିକ ପ୍ରାକୃତିକ ପରିବେଶ ମଧ୍ୟରେ ମାଆ ଭଟ୍ଟାରିକାଙ୍କ ସୁଦୃଶ୍ୟ ମନ୍ଦିରଟି ଅବସ୍ଥିତ । ବଡ଼ମ୍ବାର ତତ୍କାଳିନ ରାଜା ପଦ୍ମନାଭ ଦେବ ଏହିଠାରେ ମା’ଙ୍କର ମନ୍ଦିରଟିକୁ ପ୍ରତିଷ୍ଠା କରିଥିଲେ ।

ଭଟ୍ଟାରିକା ପୀଠକୁ ମଧ୍ୟ କେହି କେହି ପର୍ଶୁରାମ ପୀଠ ବୋଲି ମଧ୍ୟ କହିଥାଆନ୍ତି । ଏହି ପୀଠରେ ଭଗବାନ ଶ୍ରୀବିଷ୍ଣୁଙ୍କ ଅବତାର ପର୍ଶୁରାମଙ୍କ ମୂର୍ତ୍ତି ରଖି ପୂଜା କରାଯାଇଥାଏ ।

କିମ୍ବଦନ୍ତୀ କହେ, ପୌରାଣିକ ସମୟରେ ପର୍ଶୁରାମ ଯୁଦ୍ଧରେ ପରାଜୟ ଲାଭ କରିବା ପରେ ମହାନଦୀ କୂଳରେ ରତ୍ନଗିରି ପବତ ନିକଟସ୍ଥ ଜଙ୍ଗଲରେ ମାଆ ଦୁର୍ଗାଙ୍କୁ ସ୍ମରଣ କରି ଆରାଧନା କରିଥିଲେ । ମାଆ ଦୁର୍ଗା ଭଟ୍ଟାରିକା ଦେବୀ ରୂପରେ ଆବିର୍ଭୁତା ହୋଇ ପର୍ଶୁରାମଙ୍କୁ ଦର୍ଶନ ଦେଇଥିଲେ । ଅନେକ ମଧ୍ୟ କହନ୍ତି, ସ୍ୱୟଂ ପର୍ଶୁରାମ ନିଜ ତୀରରେ ପଥର କାଟି ମାଆ ଭଟ୍ଟାରିକାଙ୍କ ମୂର୍ତ୍ତି ନିର୍ମାଣ କରି ପୂଜା କରୁଥିଲେ ।

ମାଆଙ୍କ ନାମକରଣରେ ମଧ୍ୟ ରହିଛି ଅନେକ କିମ୍ବଦନ୍ତୀ, ଭଟ୍ଟ ଅର୍ଥାତ କ୍ଷତ୍ରିୟ ଏବଂ ଅଟ୍ଟାରିକା ଅର୍ଥ ଯୁଦ୍ଧ । ତେଣୁ ଏହାର ନାମକରଣ ଭଟ୍ଟାରିକା ହୋଇଥିବା ଜନଶୃତି ରହିଛି । ସେହିପରି ଭଟ୍ଟାରିକାକୁ ନେଇ ଅନ୍ୟ ଏକ ଜନଶୃତି ରହିଛି, ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଦେବୀ ଏବଂ ଲକ୍ଷ୍ମଣ ପଞ୍ଚବଟୀ ଯିବା ବାଟରେ ଏହିଠାରେ ମାଆ ଭଟ୍ଟାରିକାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ରହିଥିବା ଏହି ସୌନ୍ଦର୍ଯ୍ୟ ପୂର୍ଣ୍ଣ ଭଟ୍ଟାରିକା ମନ୍ଦିରରେ ମାଆ ଭଟ୍ଟାରିକାଙ୍କ ବ୍ୟତୀତ ଏଠାରେ ଅନେକ ପାଶ୍ୱର୍ଦେବାଦେବୀ ମଧ୍ୟ ପୂଜିତ ହେଉଛନ୍ତି । ମାଆ ଭଟ୍ଟାରିକାଙ୍କୁ ଏଠାରେ ତ୍ରିପୁରା ସୁନ୍ଦରୀ ରୂପେ ପୂଜା କରାଯାଇଥାଏ । ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠ ମଧ୍ୟରେ ଏଠାରେ ରହିଛି ଏକ ବ୍ୟତିକ୍ରମ । ଏଠାରେ ମାଆ ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଛନ୍ତି ।

ସୁଦୃଶ୍ୟ ଭଟ୍ଟାରିକା ମନ୍ଦିରର ଦ୍ୱାରପାଳ ଭାବେ ଏଠାରେ ରହିଛନ୍ତି ବିଘ୍ନବିନାଶକ ଗଣେଶ ଏବଂ ସୂର୍ଯ୍ୟଦେବ । ମହାଦେବ ଶିବଶଙ୍କର ଏଠାରେ ଧବଳେଶ୍ୱର, ରାମେଶ୍ୱର, କପିଳେଶ୍ୱର ଏବଂ ସୋମନାଥଙ୍କ ରୂପରେ ପୂଜିତ ହେଉଥିବା ଲକ୍ଷ୍ୟ କରାଯାଇଥାଏ । ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ହନୁମାନଙ୍କର ମଧ୍ୟ ଏକ ସୁନ୍ଦର ମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି ।

ପାର୍ବଣ ଋତୁରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥାଏ । ମା’ଙ୍କର ସୁନାବେଶ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଦର୍ଶନ କରିବାକୁ ଆସିଥାଆନ୍ତି । ମାଆ ଭଟ୍ଟାରିକାଙ୍କୁ ଏଠାରେ ନବଧା ଦଶମହାବିଦ୍ୟା ବିଧିରେ ଉପାସନା କରାଯାଇଥାଏ । ଦୂର୍ଗାପୂଜା ସମୟରେ ମାଆଙ୍କର ଷୋଡ଼ଶ ଉପଚାର କରାଯାଇ ଦୀର୍ଘ ୧୬ ଦିନ ଧରି ପୂଜାର୍ଚ୍ଚନା କରାଯାଇଥାଏ । ପୂର୍ବରୁ ଏଠାରେ ଛାଗବଳୀ ଦିଆଯିବାର ପ୍ରଥା ରହିଥିଲେ ମଧ୍ୟ ଏବେ ଏଠାରେ ଆଉ ବଳୀ ଦିଆଯାଉନାହିଁ ।

ମାଆଙ୍କ ମନ୍ଦିର ନିକଟବର୍ତ୍ତୀ ପାହାଡ଼ରେ ରହିଛି ମଙ୍ଗଳୀବାବାଙ୍କ ମନ୍ଦିର ସେଠାରେ ଭକ୍ତମାନେ ଦର୍ଶନ କରି ନିଜର ସୁସ୍ଥତା ବଜାୟ ରଖିଥାଆନ୍ତି । ମାଆ ଭଟ୍ଟାରିକା ତଥା ମଙ୍ଗୁଳୀ ବାବାଙ୍କ ଚମତ୍କାର ଅଲୌକିକତାରେ ଅନେକ ଦୁରାରୋଗ୍ୟରୁ ମୁକ୍ତି ପାଇଥିବା ବିଶ୍ୱାସ ରହିଛି ।

ଦୁର୍ଗାପୂଜାରେ ପ୍ରତ୍ୟେକ ଦିନ ମାଆଙ୍କ ଖର୍ପରକୁ ଗ୍ରାମବାସୀମାନେ ପଟୁଆରରେ ସହର ପରିକ୍ରମା କରିଥାଆନ୍ତି ।

ଏହି ସମୟରେ ମାନସିକଧାରୀମାନେ ଏହି ପଟୁଆରରେ ମାଆଙ୍କର ସ୍ତୃତିଗାନ କରୁଥିବାର ଦୃଶ୍ୟମାନ ହୋଇଥାଏ ।

ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅନେକ ତାନ୍ତ୍ରୀକ, ଭକ୍ତ, ଶ୍ରଦ୍ଧାଳୁ ତଥା ମାନସିକ ରଖିଥିବା ରୋଗୀ ଓ ଭକ୍ତଜନମାନେ ମାଆଙ୍କର ଦଶମହାବିଦ୍ୟା ପୂଜାରେ ନିଜକୁ ସାମିଲ କରି ନିଜର ସାଧନା ସମ୍ପୂର୍ଣ୍ଣ କରିଥାଆନ୍ତି । ଏହି ପାର୍ବଣ ସମୟରେ ଏଠାରେ ଦୀର୍ଘ ୧୬ ଦିନ ବ୍ୟାପୀ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକଦିନ ଯଜ୍ଞ ପରିଶେଷରେ ମନ୍ଦିରରେ ଭକ୍ତମାନେ ପ୍ରସାଦ ସେବନ କରିଥାଆନ୍ତି ।

Leave A Reply

Your email address will not be published.