Latest Odisha News

BREAKING NEWS

ପାଲା ଜଗତର ଦୀପ୍ତିମନ୍ତ ପ୍ରତିଭା: ଗାୟକଶ୍ରୀ ଦାମୋଦର ଦାଶ

ଭୁବନେଶ୍ୱର: ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକଶ୍ରୀ ଦାମୋଦର ଦାଶ । ୧୯୫୩ ମସିହା ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟ ପଳିକିରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦାମୋଦର । ବାପା କାର୍ତିକ ଚନ୍ଦ୍ର ଦାଶ ଓ ମାଆ ରୁକ୍ମିଣୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର । ଜେଜେବାପା ବାସୁଦେବ ଦାଶ ଥିଲେ ଜଣେ ଜଣାଶୁଣା ପୁରାଣ ପଣ୍ଡା । ବାପା କାର୍ତିକ ଦାଶ ମଧ୍ୟ ଜଣେ ପ୍ରତିଷ୍ଠିତ କର୍ମକାଣ୍ଡୀ ବ୍ରାହ୍ମଣ ଥିଲେ । ଘରେ ବିଭିନ୍ନ ପୁରାଣ ଆଲୋଚନା ଏବଂ ସଂସ୍କୃତ ତର୍କ ପ୍ରତିଦିନ ହେଉଥିଲା, ଯାହାର ପ୍ରଭାବ ଶୈଶବରୁ ପଡିଥିଲା ଦାମୋଦରଙ୍କ ଉପରେ ।

ଦାମୋଦରଙ୍କ ସାନ ବାପା ଗଣେଶ ପ୍ରସାଦ ଦାଶ ଥିଲେ ରାଜ୍ୟର ଜଣେ ଖ୍ୟାତନାମା ଯାତ୍ରା କଳାକାର, ଲେଖକ ଏବଂ ନିର୍ଦ୍ଦେଶକ । ଏସବୁ ପ୍ରଭାବ ପଡିଥିଲା ଦାମୋଦରଙ୍କ ଉପରେ, ତେଣୁ ଭବିଷ୍ୟତରେ ଜଣେ କଳାକାର ହେବାକୁୁ ସେ ପିଲାଟି ଦିନରୁ ସ୍ୱପ୍ନ ଦେଖୁଥିଲେ । ପରିବାରର ଆର୍ଥିକ ଦୂରବସ୍ଥା ମଧ୍ୟରେ ସେ ୧୯୭୦ ମସିହାରେ ସରସଦା ଉଚ୍ଚ ବିଦ୍ୟାପୀଠରୁ ମାଟ୍ରିକ ପାସ୍ କଲେ । ୧୯୮୨ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଓଡିଆରେ ସ୍ନାତକତୋର ଡିଗ୍ରୀ ହାସଲ କଲେ, ପରେ ସଂସ୍କୃତ ଏବଂ ହିନ୍ଦୀରେ ମଧ୍ୟ ସ୍ନାତକତୋର ପାସ୍ କଲେ ।

ଦାମୋଦରଙ୍କ ଗାଁ ପଳିକିରୀରେ ଥିବା ଶତାଧିକ ବର୍ଷର ପୁରୁଣା ପାଲା ଅନୁଷ୍ଠାନରେ ପ୍ରତିବର୍ଷ ବରିଷ୍ଠ ଗାୟକମାନେ ପାଲା ପରିବେଷଣ କରନ୍ତି । ବିଶେଷ କରି ଗାୟକ ରତ୍ନ ହରି ନାଥ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ଭୂଷଣ ଘନଶ୍ୟାମ ନାୟକ, ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ ପ୍ରମୁଖ ପାଲା ପରିବେଷଣ କରୁଥାନ୍ତି । ଏମାନଙ୍କର ପାଲା ଦେଖିବା ପରେ ନିଜେ ଜଣେ ଗାୟକ ହେବା ପାଇଁ ଇଛା ପ୍ରକାଶ କରିବା ସହ ମାନସିକ ପ୍ରସ୍ତୁତି କରିଥିଲେ ଶ୍ରୀଯୁକ୍ତ ଦାଶ ।ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜର ମାଉସୀ ପୁଅ ଭାଇ ସୁରସାଗର ଆର୍ତବଲ୍ଲଭ ଦାଶ ତାଙ୍କୁ ପାଲା ଶିଖିବାରେ ସହାୟତା କରିଥିଲେ । ସେ ଦାମୋଦରଙ୍କୁ ବିଳ୍ୱମଙ୍ଗଳ ପାଲା କାବ୍ୟ ଶିଖାଇଥିଲେ । ପରେ ସ୍ୱନାମଧନ୍ୟ ପାଲାକାର ଗାୟକ ଭୂଷଣ ଘନଶ୍ୟାମ ନାୟକଙ୍କୁ ସେ ଗୁରୁଭାବେ ଗ୍ରହଣ କଲେ ଏବଂ ତାଙ୍କଠାରୁ ଚାମର ଗ୍ରହଣ କଲେ । ଗୋଟିଏ ପଟେ ପାଠପଢା ଜାରି ରହିଥିବା ବେଳେ ଅନ୍ୟପଟେ ୧୯୭୩ ମସିହାରୁ ଶ୍ରୀଯୁକ୍ତ ଦାଶ ପାଲା ଗାଇବା ଆରମ୍ଭ କଲେ । ସେ ଜଣେ ଆଶୁକବି, ଚମକ୍ରାର ଭାବେ ପୁରାତନ ଛାନ୍ଦ, ଚଉପଦୀ ଗାୟନ ଶହ ନିର୍ଭୁଲ ସଂସ୍କୃତ ଗାଇବାରେ ସିଦ୍ଧହସ୍ତ । ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ଗାୟନାଚାର୍ଯ୍ୟ ଗାୟକ ମଞ୍ଜୁଳ ଅନିରୁଦ୍ଧ ପାଣିଗ୍ରାହୀ ଏବଂ ଗାୟକ ଭୂଷଣ କରୁଣାସିନ୍ଧୁ ନାୟକଙ୍କ ସହ ଅନେକ ସ୍ଥାନରେ ବାଦୀପାଲାରେ ସମ୍ମୁଖୀନ ହୋଇ ସେ ନିଜର ପାରଦର୍ଶୀତା ପ୍ରତିପାଦନ କରିଥିଲେ । ଦୁଇ ବରିଷ୍ଠ ଗାୟକଙ୍କୁ ନିଜର ମାନସଗୁରୁ ରୂପେ ସ୍ୱୀକାର କରି ସେମାନଙ୍କଠାରୁ କାବ୍ୟଶାସ୍ତ୍ର, ଗାୟନ ଓ ସମାଲୋଚନା ଶୈଳୀ ଅନୁକରଣ କରୁଥିଲେ ।

ଶ୍ରୀଯୁକ୍ତ ଦାଶ ପାଲାକୁ ନିଶା କରିବା ସହ ପେଷା ଭାବେ ଗ୍ରହଣ କରିଥିଲେ ଶିକ୍ଷକତା । ଜଣେ ପ୍ରତିଷ୍ଠିତ ପାଲା ଗାୟକ ସହ ସେ ଜଣେ ସଫଳ ଶିକ୍ଷକ ହୋଇପାରିଥିଲେ । ଦୀର୍ଘ ୩୫ ବର୍ଷର ଶିକ୍ଷକତା ପରେ ସେ ୨୦୧୨ ମସିହାରେ ଅବସର ନେଇଛନ୍ତି । ପାଲାରେ ଓଡିଆ ସାହିତ୍ୟ ସହ ସଂସ୍କୃତ ଓ ହିନ୍ଦୀ ସାହିତ୍ୟର ତୁଳନାତ୍ମକ ବିଶ୍ଲେଷଣ ଶ୍ରୀଯୁକ୍ତ ଦାଶଙ୍କ ପାଲାର ଅନ୍ୟତମ ବୈଶିଷ୍ଟ୍ୟ ।

ପାଲା ଗାୟନ ସହ ଗାଳ୍ପିକ, କବି, ପ୍ରାବନ୍ଧିକ ଭାବେ ମଧ୍ୟ ସେ ପରିଚିତ । ତ୍ରୈମାସିକ ପତ୍ରିକା ‘ହିରଣ୍ୟଦା’ର ସେ ମୁଖ୍ୟ ସମ୍ପାଦକ । ଶ୍ରୀ ନୀଳାଚଳ ନିଖିଳୋକ୍ରଳ ପାଲା ଗାୟକ ପରିଷଦ, ଭଦ୍ରକ-ବାଲେଶ୍ୱର ଶାଖାର ସେ ସାଂସ୍କୃତିକ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି । ପାଲା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ଉପାଧିରେ ଭୂଷିତ । ବାରିପଦାର ଜଗଧାତ୍ରୀ ପାଲାମଂଚ ତରଫରୁ ଗାୟକଶ୍ରୀ ଉପାଧି ସହ ଗାୟକ ରତ୍ନ କାହ୍ନୁଚରଣ ପତ୍ରି ସମ୍ମାନ, ହରେକୃଷ୍ଣ ନାଥ ସ୍ମୃତି ସମ୍ମାନ ଆଦି ସମ୍ମାନରେ ଶ୍ରୀଯୁକ୍ତ ଦାଶ ପୁରସ୍କୃତ ।

Leave A Reply

Your email address will not be published.