Latest Odisha News

BREAKING NEWS

ନିର୍ବାଚନ ଲଢିବେନି ପ୍ରତ୍ୟୁଷା ରାଜେଶ୍ୱରୀ, ଦଳୀୟ ପ୍ରଚାର ଦାୟିତ୍ୱ ନେବେ

ଭୁବନେଶ୍ୱର: କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଶନିବାର ଦିନ ଯୋଗଦାନ କରିବା ପରେ ଦଳୀୟ ଟିକଟରେ ସେ ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଜୋର୍ ଧରିଥିଲା । ମାତ୍ର ସେ ନିର୍ବାଚନ ନ’ଲଢି ଦଳୀୟ ପ୍ରଚାର ଦାୟିତ୍ୱରେ ନିଜକୁ ସାମିଲ୍ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଶନିବାର ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇ ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ବରଗଡ଼ର ବରିଷ୍ଠ ନେତା ସୁବାସ ଚୌହାନ ଏବଂ କନ୍ଧମାଳ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ରାଜ୍ୟ ଉପସଭାପତି ରୂପେ ଅବସ୍ଥାପିତ କରାଯାଇଛି ।

ସୁବାସ ଚୌହାନଙ୍କୁ ବରଗଡ଼ ଆସନରୁ ଟିକଟ ନମିଳିବା ନେଇ ସେ ଅସନ୍ତୁଷ୍ଟ ରହିଥିଲେ ଏବଂ ପିତାମ୍ବର ଆଚାର୍ଯ୍ୟ କଟକ ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ରହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇଥିଲେ । ବିଜେପି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବିଜେପିରେ ସାମିଲ ହୋଇଥିଲେ ପ୍ରତ୍ୟୁଷା ।

କେଭିଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନକ ବର୍ଦ୍ଧନ ସିଂହଦେଓ ଏବଂ ନୟାଗଡରୁ ବିଜେପି ଟିକେଟ ପାଇଥିବା ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।  କନ୍ଧମାଳ ଟିକେଟ କଟିବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଓପିସିସି ସଭାପତି ନିରଞ୍ଜନଙ୍କୁ ଭେଟି କଂଗ୍ରେସ ଟିକେଟରୁ ନୟାଗଡ ବିଧାନସଭା ଆସନରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାବ୍ୟତିତ ମାର୍ଚ୍ଚ ୨୩ ତାରିଖରେ ସେ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ଥିଲା ।

ତେବେ ହଠାତ୍ ବଦଳିଗଲା ସମୀକରଣ । ରାଜ ପରିବାରର କାର୍ଡ ଖେଳିଲେ ପାଟଣଗଡର ମହାରାଜ କନକ ବର୍ଦ୍ଧନ ସିଂହେଦେଓ । ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେପିରେ ସାମିଲ କରିବାରେ ପ୍ରମୁଖ ଭୂମିକା ନେଇଥିଲେ କନକବର୍ଦ୍ଧନ ସିଂହଦେଓ ।  କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା  ପ୍ରତ୍ୟୁଷାଙ୍କୁ ବିଜେପିରେ ସାମିଲ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.