Latest Odisha News

BREAKING NEWS

କେମିତି ଲାଗିଲା ବ୍ୟାଙ୍କରେ ନିଆଁ: କଟକରେ ଭୟାବହ ଅଗ୍ନିକାଣ୍ଡ, ମାଛ ମାର୍କେଟ ପାଉଁଶ ସହ ଜଳିଗଲା ୫୦ ଲକ୍ଷ ଟଙ୍କା!

କଟକ: ବିଳମ୍ବିତ ରାତିରେ କଟର ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ପ୍ରେସ ଛକରେ ଥିବା ଏକ ମାଛ ମାର୍କେଟ ସମେତ ନିକଟସ୍ଥ ବ୍ୟାଙ୍କ ମଧ୍ୟ ନିଆଁର ପ୍ରକୋପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହଠାତ ନିଆଁ ବ୍ୟାପିଯିବା ଫଳରେ ସମ୍ପୂର୍ଣ୍ଣ ବଜାର ଏବଂ ବ୍ୟାଙ୍କ ପରିସରରେ ଆତଙ୍କ ଖେଳିଯାଇଥିଲା। ଆଖି ପିଛୁଳାକେ ଚାରିଆଡ଼େ କେବଳ କଳା ଧୂଆଁର ଆସ୍ତରଣ ଖେଳିଯାଇଥିଲା।

ପ୍ରଥମେ ମାଛ ମାର୍କେଟରେ ନିଆଁ ଲାଗିଥିଲା ଯାହା ଦେଖୁ ଦେଖୁ ଭୟଙ୍କର ରୂପ ନେଇ ପାଖରେ ଥିବା ବ୍ୟାଙ୍କକୁ ମଧ୍ୟ ବ୍ୟାପିଯାଇଥିଲା। ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସମ୍ପୂର୍ଣ୍ଣ ମାଛ ମାର୍କେଟଟି ପୋଡ଼ି ଛାରଖାର ହୋଇଯାଇଛି। ଅନ୍ୟପକ୍ଷରେ ବ୍ୟାଙ୍କ ଭିତରେ ଥିବା ଆସବାବପତ୍ର ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଅଗ୍ନିଗ୍ରାସରେ ନଷ୍ଟ ହୋଇଯାଇଛି।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ବ୍ୟାଙ୍କ ଭିତରେ ଥିବା ନଗଦ ଟଙ୍କା। ନିଆଁ ଲାଗିବା ଯୋଗୁଁ ବ୍ୟାଙ୍କ ଭିତରେ ଥିବା ପ୍ରାୟ ୫୦ ଲକ୍ଷ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ଏତେ ବଡ଼ ଅଗ୍ନିକାଣ୍ଡ କିଭଳି ଘଟିଲା ଏବଂ କେମିତି ଲାଗିଲା ବ୍ୟାଙ୍କରେ ନିଆଁ ତାହାର ସ୍ପଷ୍ଟ କାରଣ ଏଯାଏଁ ଜଣାପଡ଼ିନାହିଁ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ସାଧାରଣରେ ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକେ କହିଛନ୍ତି, ଆମେ ନିଆଁ ଲାଗିବା ପରେ ଦମକଳକୁ ଫୋନ୍ କରିଥିଲୁ। ହେଲେ ପ୍ରାୟ ଆମେ ଫୋନ୍‌ କରିବାର ୪୮ ମିନିଟ୍‌ ଲେଟ୍‌ରେ ଆସିଲା ଫାୟାର ଗାଡ଼ି। ଗୋଟିଏ ଗାଡ଼ି ଆସିଲା କିଛି ସମୟ ଭିତରେ ପାଣି ସରିଗଲା। ଆମେ କଳରୁ ପାଣି ଆଣି ଲିଭାଇବାକୁ ଚେଷ୍ଟା କଲୁ କିନ୍ତୁ ଲିଭାଇ ହେଲା ନାହିଁ। ଫାୟାର ଗାଡି ଲେଟରେ ଆସିବା ଏବଂ ବାରମ୍ବାର ପାଣି ସରିଯିବା ଯୋଗୁଁ ଏପରି ହେଲା। ବ୍ୟାଙ୍କରେ ଅନେକ ଟଙ୍କା ଥିଲା ଆଜି ଜମା ହେବାର ଥିଲା କିନ୍ତୁ ନିଆଁ ଲାଗିବାରୁ ସେସବୁ ନଷ୍ଟ ହୋଇଯାଇଛି । ପାଖରେ ଥିବା ଏକ ରଙ୍ଗ ଦୋକାନ ବି ପୋଡ଼ି ହୋଇଯାଇଛି।

ନିଆଁର ତାପ ଅଧିକ ଥିବାରୁ ଅଗ୍ନିଶମ କର୍ମଚାରୀ ଭିତରେ ପଶିବା ସମ୍ଭବ ହୋଇପାରି ନଥିଲା। ଏଥିପାଇଁ ନିଆଁ ଲିଭା କାର୍ଯ୍ୟରେ ରୋବୋଟିକ ମେସିନ ବ୍ୟବହାର କରାଯାଇଥିଲା।

Leave A Reply

Your email address will not be published.