ଅହମଦାବାଦ: ଆଇପିଏଲ ୨୦୨୬ର ଫାଇନାଲ ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଜବରଦସ୍ତ ଥିଲା। ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ଦଳ ଗୁଜରାଟ ଟାଇଟନ୍ସକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ତେବେ ଏହି ଲଢ଼େଇ କେବଳ ଟ୍ରଫି ପାଇଁ ନୁହେଁ ବରଂ ବିଜେତା ଦଳ ଉପରେ କୋଟି କୋଟି ଟଙ୍କାର ବର୍ଷା ମଧ୍ୟ କରିଛି।
ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇପିଏଲ ୨୦୨୬ ପାଇଁ ସମୁଦାୟ ପୁରସ୍କାର ରାଶି ୪୬ ଦଶମିକ ୫ କୋଟି ଟଙ୍କାରୁ ଅଧିକ ରଖାଯାଇଥିଲା। ଆଇପିଏଲ ଟାଇଟଲ ନିଜ ନାମରେ କରିଥିବା ଆରସିବିକୁ ସର୍ବାଧିକ ୨୦ କୋଟି ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଫାଇନାଲରେ ହାରିଥିବା ଅର୍ଥାତ ରନର୍ସଅପ ଦଳ ଗୁଜରାଟ ଟାଇଟନ୍ସ ମଧ୍ୟ ଖାଲି ହାତରେ ଫେରି ନାହିଁ। ଏହି ଦଳକୁ ପ୍ରାୟ ୧୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିଥିବା ସୂଚନା ରହିଛି।
କେବଳ ଫାଇନାଲ ଖେଳୁଥିବା ଦୁଇ ଦଳ ନୁହେଁ ବରଂ ପ୍ଲେ ଅଫରେ ପହଞ୍ଚିଥିବା ଅନ୍ୟ ଦୁଇଟି ଦଳ ପାଇଁ ମଧ୍ୟ ଆକର୍ଷଣୀୟ ପୁରସ୍କାର ରହିଛି। ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିବା ରାଜସ୍ଥାନ ରୟାଲ୍ସ ଦଳକୁ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଚତୁର୍ଥ ସ୍ଥାନରେ ରହି ବିଦାୟ ନେଇଥିବା ସନରାଇଜର୍ସ ହାଇଦ୍ରାବାଦ ଦଳକୁ ୬ ଦଶମିକ ୫ କୋଟି ଟଙ୍କା ଦିଆଯାଇଛି। ପଞ୍ଚମରୁ ଦଶମ ସ୍ଥାନରେ ଥିବା ଦଳଗୁଡ଼ିକୁ କୌଣସି ପୁରସ୍କାର ମିଳିବ ନାହିଁ।
ଆଇପିଏଲର ସ୍ୱତନ୍ତ୍ର ନିୟମ ଅନୁଯାୟୀ ଯେକୌଣସି ଦଳକୁ ମିଳୁଥିବା ସମୁଦାୟ ପୁରସ୍କାର ରାଶିର ଅଧା ଭାଗ ସିଧାସଳଖ ଖେଳାଳିମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ବାକି ୫୦ ପ୍ରତିଶତ ଅର୍ଥ ଫ୍ରାଞ୍ଚାଇଜି ମାଲିକଙ୍କ ପାଖକୁ ଯାଇଥାଏ। ଦଳଗତ ପୁରସ୍କାର ବ୍ୟତୀତ ଖେଳାଳିମାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ମଧ୍ୟ ଅନେକ ପୁରସ୍କାର ବ୍ୟବସ୍ଥା ରହିଛି। ସର୍ବାଧିକ ରନ କରିଥିବା ଖେଳାଳିଙ୍କୁ ଅରେଞ୍ଜ କ୍ୟାପ ଏବଂ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ ସହ ଅତିରିକ୍ତ ଅର୍ଥ ରାଶି ପ୍ରଦାନ କରାଯିବ। ଫାଇନାଲ ମ୍ୟାଚରେ ଆରସିବି ଏବଂ ଜିଟି ମଧ୍ୟରୁ କିଏ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।