Latest Odisha News

ଅବକ୍ଷୟମାନ ମଠ ସଂସ୍କୃତି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ତଥା ସୁପରିଚାଳନା କ୍ଷେତ୍ରରେ ବହୁ ପୁରାକାଳରୁ ମଠଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛନ୍ତି । ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ ଶ୍ରୀକ୍ଷେତ୍ରରେ ଦୁଇଟି ବୈଦିକ ଆଶ୍ରମ ଓ ଦୁଇଟି ପୌରାଣିକ ଆଶ୍ରମ ରହିଥିଲା । ଅଳ୍ପ କେତୋଟି ପ୍ରମୁଖ ମଠ ଯଥା ଶଙ୍କରାନନ୍ଦ ମଠ ଓ ଆଦି ଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋବର୍ଦ୍ଧନ ମଠ ପ୍ରଭୃତି ରହିଥିଲା । ଗଜପତି ଅନଙ୍ଗଭୀମ ଦେବଙ୍କ ସମୟରେ ଏହି ଆଶ୍ରମ ଓ ମଠଗୁଡ଼ିକ ଧର୍ମୀୟ ଓ ସାଂସ୍କୃତିକ କ୍ଷେତ୍ରର ମୁଖ୍ୟସ୍ରୋତରେ ମିଶିିଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ ଏହି ପୂଣ୍ୟଭୂମିକୁ ଆସି ଶ୍ରୀଜଗନ୍ନାଥଙ୍କ ମହିମାରେ ମହିମାନ୍ୱିତ ହୋଇ ଏହି କ୍ଷେତ୍ରରେ ନିଜର ଆସ୍ଥାନଟିଏ ବସାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ଶ୍ରୀଜଗନ୍ନାଥ ତତ୍ତ୍ୱକୁ ଆଘ୍ରାଣ କରିବା ଅବସରରେ ସେମାନେ ନିଜ ଦ୍ୱାରା ପ୍ରଣୀତ ତତ୍ତ୍ୱକୁ ମଧ୍ୟ ଏହାଠାରେ ପ୍ରୟୋଗାତ୍ମକ ଭିତ୍ତିରେ ଲୋକପ୍ରିୟ କରିବା ପାଇଁ ଚେଷ୍ଟିତ ହେଲେ । ଦକ୍ଷିଣ ଭାରତର ପ୍ରସିଦ୍ଧ ସନ୍ଥ ରାମାନୁଜ, ରାମାନନ୍ଦ, ନିମ୍ବାର୍କାଚାର୍ଯ୍ୟ , ବିଷ୍ଣୁସ୍ୱାମୀ, ମାଧ୍ୱାଚାର୍ଯ୍ୟ ଏଠାକୁ ଆସି ଅନେକ କାଳ ଅବସ୍ଥାନ କରିବା ପରେ ରାଜାନୁଗ୍ରହ ପ୍ରାପ୍ତ ହୋଇ ନିଜ ନିଜର ମଠଟିମାନ ପ୍ରତିଷ୍ଠା କରିଛନ୍ତି । ଅନେକ ସାଧୁ ସିଂହଦ୍ୱାର ବା ଅନ୍ୟ ସ୍ଥାନମାନଙ୍କରେ ଆଦ୍ୟକାଳରେ ଛତାଟିଏ ପୋତି ମହାପ୍ରଭୁଙ୍କ ଆରାଧନା ଛଳରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରୁଥିଲେ । କ୍ରମେ ସେମାନେ ଉତ୍କଳୀୟ ନରପତିମାନଙ୍କର ବଦାନ୍ୟତାର ପାତ୍ର ହୋଇଛନ୍ତି । ଏଥିରୁ ଅକ୍ଳେଶରେ ସେହି ରଜାମାନଙ୍କର ଧର୍ମଭାବ ତଥା ଏହି ସାଧୁସନ୍ଥମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଭାବ ଅନୁମାନ କରାଯାଇପାରେ ।

ଏହି ଧର୍ମାବତାରମାନଙ୍କୁ ଭୂମି ପ୍ରଦାନ କରି ମଠ ପ୍ରତିଷ୍ଠା କରିବା ପଛରେ କିଛି ମହତ ଉଦ୍ଦେଶ୍ୟ ମଧ୍ୟ ରହିଥିଲା ସେତେବେଳେ ମଠଗୁଡ଼ିକୁ ଗୁରୁଗାଦିର ମାନ୍ୟତା ମିଳୁଥିଲା । ଏଠାରେ ଛାତ୍ରମାନେ ରହି ବିଭିନ୍ନ ଧର୍ମଶାସ୍ତ୍ର ଅଧ୍ୟୟନ କରି ଶିକ୍ଷାର ବିକାଶ, ନୈତିକ ଚେତନାର ଉନ୍ନତ୍ତି, ମୌଳିକ ଜ୍ଞାନର ପ୍ରସାର, ମାନବିକ ମୂଲବୋଧର ପ୍ରଶିକ୍ଷଣ, ସର୍ବଭାରତୀୟ ଭାତୃଭାବର ପ୍ରତିଷ୍ଠା, ତୀର୍ଥ ମନ୍ଦିର ଓ ପୁଷ୍କରିଣୀ ଓ ବିଗ୍ରହମାନଙ୍କର ସୁରକ୍ଷା ଆଦିରେ ବ୍ରତୀ ହୋଇ ନିଜକୁ ଭଲ ମଣିଷ ଭାବରେ ଗଢ଼ିବା ସହିତ ଗୁରୁଙ୍କ ଧର୍ମ,ଦର୍ଶନର ପ୍ରଚାର କରିବା ଓ ସର୍ବୋପରି ମହାପ୍ରଭୁଙ୍କ ପୂଜାର୍ଚ୍ଚନାରେ ନିଜକୁ ସାମିଲ୍ କରିବା ଭଳି ଉଦ୍ଦେଶ୍ୟ ରହିଥିଲା ।

ଆହୁରି ସମାଜସେବା ମାଧ୍ୟମରେ ବହିରାଗତ ତୀର୍ଥଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ, ସାଧୁ ସନ୍ୟାସୀ ଯୋଗୀ ତଥା ଧର୍ମଗୁରୁମାନଙ୍କର ସେବା, ନିରାଶ୍ରିତ, ବ୍ରାହ୍ମଣ ବୈଷ୍ଣବ, ଦୀନ ଦରିଦ୍ରଙ୍କୁ ଭୋଜନଦାନ ବା ସଦାବ୍ରତ ଭଳି କ୍ରିୟା ମଠଗୁଡ଼ିକର ପ୍ରମୁଖ କାର୍ଯ୍ୟଭାବେ ପରିଣତ ହେଉଥିଲା । ଏହା ସହିତ ନାଗାସାଧୁ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ କେତୋଟି ମଠ ଶ୍ରୀମନ୍ଦିରର ବାହ୍ୟ ସୁରକ୍ଷା ଦାୟିତ୍ୱରେ ରହିଥିଲା । ଏହାର ଜଳନ୍ତ ନିଦର୍ଶନ ଭାବେ ଏବେ ମଧ୍ୟ ଶ୍ରୀମନ୍ଦିରର ସିଂହଦ୍ୱାର ଦୁଇ ପାଶ୍ୱର୍ରେ ଛାଉଣୀ ମଠ ଓ ବଡ଼ଛତା ମଠ ବିଦ୍ୟମାନ । ପୁରୀରେ ଅବସ୍ଥିତ ମଠଗୁଡ଼ିକ ମଧ୍ୟରେ ଅଧିକାଂଶ ବୈଷ୍ଣବ ତଥା ଅଳ୍ପ କେତୋଟି ଶୈବ ପରମ୍ପରାରେ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ । ଏହା ସହିତ ଶିଖ୍ ସମ୍ପ୍ରଦାୟର ମାତ୍ର ଦୁଇଗୋଟି ଏବଂ ସନ୍ଥ କବୀରଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋଟିଏ ମଠ ରହିଅଛି । ପ୍ରତ୍ୟେକ ମଠ ସମ୍ପର୍କ ପ୍ରତିଷ୍ଠାତା ତଥା ଗୁରୁଙ୍କ ଦ୍ୱାରା ପ୍ରଣୀତ ତତ୍ୱ ଆଧାରରେ ବିକଶିତ ହୋଇଅଛି ।

ଶ୍ରୀକ୍ଷେତ୍ରରେ, ପୂର୍ବରେ ଚକ୍ରତୀର୍ଥ, ଦକ୍ଷିଣରେ ସ୍ୱର୍ଗଦ୍ୱାର, ପଶ୍ଚିମରେ ଲୋକନାଥ ଘାଟ ତଥା ଉତ୍ତରରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ମଧ୍ୟବର୍ତ୍ତୀ ପରିବ୍ୟାପ୍ତ ଅଞ୍ଚଳରେ ଏହି ମଠଗୁଡ଼ିକ ବିକ୍ଷିପ୍ତ ଭାବରେ ରହିଥିଲା । ଶ୍ରୀମନ୍ଦିର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ମଠ ରହିଥିବା ବେଳେ ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ଏବଂ ଶ୍ରୀମନ୍ଦିରଠାରୁ ମହୋଦଧି ମଧ୍ୟବର୍ତ୍ତୀ ଅଞ୍ଚଳରେ ଅନେକ ମଠ ରହିଥିବାର ଜଣାଯାଏ । କିଛି ବର୍ଷତଳେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସମୁଦାୟ ମଠ ସଂଖ୍ୟା ସାତ ଶହରୁ ଅଧିକ ରହିଥିଲା । ତେବେ ସେଥିରୁ ପ୍ରାୟ ତିନି ଶହରୁ ଅଧିକ ମଠ ଏବେ ରହିଅଛି । ବହୁ ସଂଖ୍ୟକ ମଠ ବିଲୁପ୍ତ ହୋଇଥିବା ବେଳେ ଅନେକ ମଠ ବ୍ୟକ୍ତିଗତ ମାଲିକାନାରେ ରହି ପୂର୍ବନାମ ହଜାଇ ସାରିଛନ୍ତି ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ରହିଥିବା ପ୍ରାୟ ଷୋହଳଗୋଟି ମଠ ଅଧୁନା ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ବିକାଶ ଯୋଜନାରେ କ୍ଷତିଗ୍ରସ୍ତ ହୋଇଛନ୍ତି । କେବଳ ସମ୍ପୃକ୍ତ ମଠଗୁଡ଼ିକରେ ରହିଥିବା ମନ୍ଦିର ବା ବିଜେସ୍ଥଳୀଗୁଡ଼ିକର ସୁରକ୍ଷା ତଥା ବିକାଶ କରାଯିବାର ପ୍ରୟାସ ରହିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଅତୀତରେ କଳିଙ୍ଗ ସାମ୍ରାଜ୍ୟ କର୍ଣ୍ଣାଟକର କୃଷ୍ଣାନଦୀରୁ ଆରମ୍ଭ କରି ପୂର୍ବରେ ଗଙ୍ଗାନଦୀ ତଟ ପର୍ଯ୍ୟନ୍ତ ବ୍ୟାପିଥିଲା । ଗଙ୍ଗ ବଂଶ, ଭୋଇ ବଂଶ ତଥା ସୂର୍ଯ୍ୟବଂଶୀ ରଜାମାନେ ମହାପ୍ରଭୁଙ୍କୁ ନିଜ ଇଷ୍ଟ ମଣିବା ସହିତ ସାରା ସାମ୍ରାଜ୍ୟର ଦେବତା ବୋଲି ବିଶ୍ୱାସ କରୁଥିଲେ ।

ଏଣୁ ମହାପ୍ରଭୁଙ୍କ ସେବାପୂଜା ନୀତିକାନ୍ତିର ସୁବ୍ୟବସ୍ଥା କରିବା ସହିତ ପାଣ୍ଡିତ୍ୟ ପରମ୍ପରାର ବିକାଶ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମଠଗୁଡ଼ିକୁ ଅଧିକ ଭୂସମ୍ପତ୍ତି ଦାନ କରିଥିଲେ, ଫଳରେ ମଠଗୁଡ଼ିକ ଗୋଟିଏ ଗୋଟିଏ ଜମିଦାରୀରେ ପରିଣତ ହୋଇଥିଲା । ମଠର ପ୍ରଜାମାନଙ୍କର ପ୍ରଗାଢ଼ ଧର୍ମବିଶ୍ୱାସ ତଥା ପ୍ରଭୁଭକ୍ତି ରହିଥିଲା ଏବଂ ଭୂସମ୍ପତ୍ତିରୁ ପ୍ରଚୁର ଆୟ, ଆମଦାନୀ ହେଉଥିଲା । ସେଥିରେ ମଠର ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପାଦିତ ହେଉଥିଲା । ଇତିହାସ କହେ ମହାପ୍ରତାପୀ ଗଜପତି କପିଳେନ୍ଦ୍ର ଦେବ ଓ ତାଙ୍କ ପରବର୍ତ୍ତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଅନେକଗୁଡ଼ିଏ ନୂତନ ମଠ ସୃଷ୍ଟିହେବା ସହିତ ପ୍ରାଚୀନ ମଠଗୁଡ଼ିକର କାର୍ଯ୍ୟକାରିତା ସନ୍ତୋଷଜନକ ରହିଥିଲା ।

ଊନବିଂଶ ଶତାବ୍ଦୀରେ ମହାରାଣୀ ସୂର୍ଯ୍ୟମଣି ପାଟଦେଇଙ୍କ ଶାସନ କାଳରେ ମଧ୍ୟ ପ୍ରତିଷ୍ଠିତ ମଠଗୁଡ଼ିକର ଅବସ୍ଥା ଭଲ ଥିଲା, ଶ୍ରୀମନ୍ଦିରର ପରିଚାଳନାରେ ଏହି ମଠଗୁଡ଼ିକର ସହଯୋଗ ରହିଥିଲା । ପୁରୀରେ ରହିଥିବା ମଠମାନଙ୍କ ମଧ୍ୟରୁ କେତେଗୋଟି ମଠକୁ ଆମେ ‘ଧନୀ ମଠ‘ ବୋଲି କହିପାରିବା । ଏମାର ମଠ, ଶଙ୍କରାନନ୍ଦ ମଠ, ବଡ଼ ଓଡ଼ିଆ ମଠ, ରାଧା ବଲ୍ଳଭ ମଠ, ମଙ୍ଗୁ ମଠ, ଉତ୍ତର ପାଶ୍ୱର୍ ମଠ, ଶ୍ରୀରାମ ଦାସ (ଦକ୍ଷିଣପାଶ୍ୱର୍ ମଠ), ଗୋପାଳ ତୀର୍ଥ ମଠ, ଜିୟରସ୍ୱାମୀ ମଠ ଓ ରାଘବ ଦାସ ମଠ ଇତ୍ୟାଦିର ମାଲିକାନାରେ ଶହ ଶହ ଏକର ଭୂସମ୍ପତ୍ତି ରହିଥିଲା । ଶ୍ରୀକ୍ଷେତ୍ରର ମୁଖ୍ୟ ଆବାସସ୍ଥଳୀ ବା ବିଜେସ୍ଥଳୀ ସଲଗ୍ନ ପ୍ରକାଣ୍ଡ ଅଞ୍ଚଳରେ କୋଠାବାଡ଼ି ନିର୍ମାଣ କରି ସେଥିରେ ସେମାନେ ତୀର୍ଥଯାତ୍ରୀଙ୍କ ରହଣୀ, ସାଧୁ ସେବା, ଅତିଥି ଅଭ୍ୟାଗତ ସେବା ତଥା ବିଦ୍ୟାର୍ଥୀମାନଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା କରାଇଥିଲେ । ଏତଦ୍‌ବ୍ୟତୀତ ସମାଜକୁ ଶାସ୍ତ୍ରାନୁମୋଦିତ ମାର୍ଗଦର୍ଶନ କରାଇବା , ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ଶାସ୍ତ୍ର ଚର୍ଚ୍ଚାକରି ସମାଜରେ ଆଧ୍ୟାତ୍ମିକ ଆଧିବୈଦିକ, ଆଧିଭୌତିକ ଚେତନା ଜାଗ୍ରତ କରିବା ଭଳି ମହତ୍ କାର୍ଯ୍ୟରେ ବ୍ରତୀ ଥିଲେ । ଶାସ୍ତ୍ରୀୟ ଶିକ୍ଷାର ବିକାଶ ନିମନ୍ତେ ବେଦ ବିଦ୍ୟାଳୟ ଓ ଚତୁଃଷ୍ପାଠୀ ଆଦି ପ୍ରତିଷ୍ଠା କରି ସେଥିରେ ବିଦ୍ୟାର୍ଥୀମାନଙ୍କୁ ବେଦ, କର୍ମକାଣ୍ଡ, ସାହିତ୍ୟ, ଧର୍ମଶାସ୍ତ୍ର, ଦର୍ଶନ, ଭାଷ୍ୟ, ଯୋଗ, ସାଂଖ୍ୟ, ତର୍କ ଇତ୍ୟାଦି ବିଷୟ ଅଧ୍ୟୟନ ନିମନ୍ତେ ବିଦ୍ୱାନ ପଣ୍ଡିତମାନଙ୍କୁ ନିୟୋଜିତ କରିଥିଲେ । ଏପରିକି ରାଜ୍ୟରେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ କାଳରେ ବହୁ ମେଧାବୀ ଛାତ୍ର ସ୍ୱାଧିନତା ପ୍ରାପ୍ତିର ବହୁ ବର୍ଷ ପରେ ମଧ୍ୟ ଏହି ଧାରା ପ୍ରଚଳିତ ଥିବାର ଜଣାଯାଏ ।

ପରବର୍ତ୍ତୀ କାଳରେ ମଠ ଦ୍ୱାରା ପ୍ରତିଷ୍ଠିତ ଶିକ୍ଷାୟତନଗୁଡ଼ିକୁ ସରକାର ହାତକୁ ନେଇ ଚଳାଉଛନ୍ତି । କେବଳ ଜିୟରସ୍ୱାମୀ ମଠ ଭଳି ଅଳ୍ପ କେତୋଟି ମଠରେ ବିଦ୍ୟାର୍ଥୀମାନେ ରହି ଶାସ୍ତ୍ର ଅଧ୍ୟୟନ କରୁଛନ୍ତି । ମଠଗୁଡ଼ିକର ସହଯୋଗରେ ଶାସ୍ତ୍ରୀୟ ଶିକ୍ଷାର ବିକାଶ ଘଟି ପୁରୀ, ମହାଭାରତୀୟ ପାଣ୍ଡିତ୍ୟ ପରମ୍ପରାର ଏକ ସମୃଦ୍ଧ କେନ୍ଦ୍ର ଭାବେ ଏକଦା ପ୍ରତିଷ୍ଠିତ ହୋଇ ପାରିଥିଲା । ମଠର ମହନ୍ତମାନେ ମଧ୍ୟ ଜଣେ ଜଣେ ବିଦ୍ୱାନ ତଥା ପଣ୍ଡିତ ଥିଲେ ଏବଂ ଶାସ୍ତ୍ର ଅଧ୍ୟାପନା ଓ ଚର୍ଚ୍ଚାରେ ପ୍ରତ୍ୟକ୍ଷ ଭାବେ ସକ୍ରିୟ ରହୁଥିଲେ । ସେହି ପରମ୍ପରା ସମୟ କ୍ରମେ ଲୁପ୍ତ ହେଲା । ବିଶାଳ ଭୂସମ୍ପତ୍ତିରୁ ବିପୁଳ ଆୟ ଆସୁଥିଲା ଓ ସେଥିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପାଦିିତ ହେବାସହିତ କେତେକ ମହନ୍ତ ଅଧିକ ଐଶ୍ୱର୍ଯ୍ୟବାନ ହେଇ ବିଳାସୀ ଜୀବନ ବିତାଇବା କିଛି ଅସ୍ୱାଭାବିକ ନଥିଲା । ଲୋକମୁଖରୁ ଶୁଣାଯାଏ ଅତୀତରେ ଏମାର ମଠ ଓ ଶଙ୍କରାନନ୍ଦ ମଠ ଭଳି ଧନୀ ମଠଗୁଡ଼ିକର ଜମିରୁ ଫସଲ ଲଦାହେଇ ଆସୁଥିବା ଶଗଡ଼ଗୁଡ଼ିକ ମଠଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଲମ୍ବିଥିଲା ଏଥିରୁ ମଠଗୁଡ଼ିକର ତତ୍‌କାଳୀନ ଆୟର ପରିମାଣ ସହଜରେନୁମେୟ ।

ସବୁ ବିତ୍ତଶାଳୀ ମଠର ଶ୍ରୀମନ୍ଦିର ରୀତିନୀତି ସହିତ ସଂପୃକ୍ତି ରହିଆସିଛି । ବିଭିନ୍ନ ପର୍ବପର୍ବାଣୀରେ ନିର୍ଦ୍ଦିଷ୍ଟ ସେବା ମାଧ୍ୟମରେ ଯୋଗଦାନ ସହିତ ଆଲଟଚାମର ସେବା ଅଧିକାର ମଠାଧୀଶମାନଙ୍କର ରହିଥିଲା । ସେଥିପାଇଁ ସେମାନଙ୍କୁ ରଜାଘରୁ ସନନ୍ଦ ମିଳିଥିଲା । ଏଥିସହିତ ଶ୍ରୀମନ୍ଦିର ରୋଷଘରେ ଏକାଧିକ ଚୁଲି ତଥା ଶ୍ରୀମନ୍ଦିର ପରିସରରେ ସରଘର ଆଦି ସ୍ଥାପନ କରିବା ପାଇଁ ମଧ୍ୟ ଅନୁମତି ମିଳିଥିଲା, ଯାହା ଏବେ ମଧ୍ୟ ବଳବତ୍ତର ରହିଛି । ମଠଦ୍ୱାରା ସୁଆରମାନେ ନିଯୁକ୍ତ ହୋଇ ପ୍ରତ୍ୟହ ମହାପ୍ରସାଦ ରନ୍ଧନ କରାଯାଇ ଭୋଗ ପରେ ମଠକୁ ଯାଉଥିଲା । ଏବଂ ସେଥିରେ ମଠରେ ରହୁଥିବା ସମସ୍ତେ ଆପ୍ୟାୟିତ ହେଉଥିଲେ ଏବଂ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା ହେଉଥିଲା । ବଡ଼ଓଡ଼ିଆ ମଠ, ରାଘବଦାସ ମଠ, ଉତ୍ତର ପାଶ୍ୱର୍ ଓ ଦକ୍ଷିଣ ପାଶ୍ୱର ମଠର ଶ୍ରୀମନ୍ଦିର ରୀତିନୀତି ସହିତ ଏବେ ମଧ୍ୟ ପ୍ରତ୍ୟକ୍ଷ ସଂପୃକ୍ତି ରହିଅଛି । ଇତିହାସର ପୃଷ୍ଠା ଓଲଟାଇଲେ ଅନେକ ବିତ୍ତଶାଳୀ ମଠର ସମାଜ ମଙ୍ଗଳ କାର୍ଯ୍ୟରେ ଯୋଗଦାନ ବିଷୟରେ ବଳିଷ୍ଠ ପ୍ରମାଣ ମିଳେ ।

୧୮୬୮ ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଏମାର ମଠର ବିଶାଳ ଶସ୍ୟଭଣ୍ଡାରରୁ ଖର୍ଚ କରାଯାଇ ଅନେକ ଦିନ ଧରି ଅନ୍ନଛତ୍ର ଖୋଲି ସାଧାରଣ ଲୋକଙ୍କୁ ଖାଦ୍ୟ ଯୋଗାଯାଇଥିଲା । ପୁରୀ ସହରରେ ପ୍ରଥମ ବିଦ୍ୟୁତିକରଣ ହେଉ ବା ତୀର୍ଥଯାତ୍ରୀଙ୍କ ସେବା ନିମିତ୍ତ ଡାକ୍ତରଖାନା ନିର୍ମାଣ ହେଉ ଅଥବା ଗ୍ରାମାଞ୍ଚଳରେ ବିଦ୍ୟାଳୟ ଖୋଲିବା ଭଳି ଜନହିତକର କାର୍ଯ୍ୟରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାରେ ଏମାର ମଠର ଅବଦାନ ରହିଥିଲା । ରାଧାକାନ୍ତ ମଠର ଜନୈକ ମହନ୍ତ ବିଶ୍ୱମ୍ବର ଦାସ ପୁରୀରେ ୧୯୪୯ରେ ଆଙ୍ଗ୍‌ଲୋ ବେଙ୍ଗଲ୍ ସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରିବା ପାଇଁ ଅନୁଦାନ ଦେଇଥିଲେ । ତାଙ୍କ ନାମରେ ଏବେ ମଧ୍ୟ ସେହି ବିଦ୍ୟାଳୟ ଚାଲୁଅଛି । ଏହିଭଳି ଅନେକ କଲ୍ୟାଣ କାର୍ଯ୍ୟରେ ମଠମାନେ ବ୍ରତୀ ଥିଲେ ।

ଏକଦା ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଏହି ଧର୍ମାନୁଷ୍ଠାନଗୁଡ଼ିକର ଐତିହ୍ୟ ଆଜି ଭୂଲୁଣ୍ଠିତ । ପାରମ୍ପରିକ ଶୈଳୀରେ ନିର୍ମିତ କୁଟିକମ ଖଚିତ ସୁଉଚ୍ଚ ଅଟ୍ଟାଳିକାମାନ କେତେକ ମାଟିରେ ମିଶିଗଲାଣି ଅଥବା ସୁରକ୍ଷା ଅଭାବରୁ ପତନ ଅପେକ୍ଷାର ରହିଅଛି । ଆଭ୍ୟନ୍ତରୀଣ କାନ୍ଥମାନଙ୍କରେ ଅଙ୍କିତ ଭିତ୍ତିଚିତ୍ର ସବୁ ମଳିନ ପଡ଼ିଗଲାଣି, ସେସବୁକୁ ପୁନଃ ଚିତ୍ରଣ କରିବା ପାଇଁ ନାଁ ଅଛି ଆର୍ଥିକ ବଳ ବା ପ୍ରଶାସନିକ ଉଦ୍ୟମ ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ବିକାଶ ଯୋଜନାରେ ଏମାର ମଠ ଓ ଉତ୍ତରପାଶ୍ୱର୍ ମଠର ମୁଖ୍ୟ ପ୍ରବେଶ ଦ୍ୱାରରେ ଥିବା ସୁଦୃଶ୍ୟ କାରୁକାର୍ଯ୍ୟ ସମ୍ପନ୍ନ ତୋରଣକୁ ଅତି ନିଷ୍ଠୁର ଭାବେ ଭାଙ୍ଗି ଦିଆଗଲା । ସେଥିରେ ରହିଥିବା ପ୍ରାଚୀନ ସୂଷ୍ମ କାରୁକଳାର ସଂରକ୍ଷଣ ପ୍ରତି ପ୍ରଶାସନ ତିଳେ ମାତ୍ର ଧ୍ୟାନ ଦେଲେ ନାହିଁ । ଏହା ଦ୍ୱାରା ବିକାଶ ନାମରେ ଐତିହ୍ୟର ବିନାଶ କରାଗଲା ବୋଲି କୁହାଯାଇପାରେ । କେବଳ ମଠଗୁଡ଼ିକରେ ରହିଥିବା ପୂଜାସ୍ଥଳୀକୁ ନାମକୁ ମାତ୍ର ରଖି ପୂଜିତ ଠାକୁରମାନଙ୍କର ପୂଜା କରାଯାଉଛି । ଶ୍ରୀମନ୍ଦିରଠାରୁ ଦୂରରେ ଥିବା ବହୁ ମଠର ଅବସ୍ଥା ମଧ୍ୟ ଭଲ ନୁହେଁ । ଅନେକ ମଠର ମହନ୍ତମାନେ ପୁରୀ ବାହାରେ ରହୁଥିବାରୁ ସମ୍ପୃକ୍ତ ପୂଜକମାନେ କେବଳ ପୂଜାକାର୍ଯ୍ୟ ଚଳାଇଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ । ମୋଟ ଉପରେ ମଠମାନଙ୍କରେ ପୂର୍ବର ସେ ଔଜ୍ଜଲ୍ୟ ଆଉ ନାହିଁ । କେବଳ ବଡ଼ ଓଡ଼ିଆ ମଠ, ଗଙ୍ଗାମାତା ମଠ, ରାଧାକାନ୍ତ ମଠ ଓ ଜିୟର ସ୍ୱାମୀ ମଠ ଭଳି ହାତ ଗଣତି କେତେଗୋଟି ମଠର ଅବସ୍ଥା କିଛିଟା ଭଲ ବୋଲି କୁହାଯାଇପାରେ ।

୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଐଜଓଊଇଣ ଯୋଜନାରେ ଶ୍ରୀକ୍ଷେତ୍ରର କେତେଗୋଟି ଐତିହ୍ୟସ୍ଥଳ ଯଥା ମୁଖ୍ୟତଃ ମଠ, ମନ୍ଦିର ଓ ଯେଗାଘର ପ୍ରଭୃତିର ବିକାଶ ପାଇଁ ବିପୁଳ ଅର୍ଥ ମଞ୍ଜୁର ହୋଇଥିଲା । ସେଥିପାଇଁ ନୂଆଦିଲ୍ଲୀର ଏକ ସଂସ୍ଥା ସର୍ବେକ୍ଷଣ କରି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କଲେ । ତାହାର କାର୍ଯ୍ୟକାରିତା ମଧ୍ୟ ଆରମ୍ଭ ହେଲା ମାତ୍ର କାମ ଆଖିଦୃଶିଆ ହେଲାନାହିଁ ବା ଯୋଜନାର କୌଣସି ସୁଫଳ ମିଳିଲା ନାହିଁ । ନିର୍ଦ୍ଧାରିତ ସମୟସୀମା ଭିତରେ ଏହି ଯୋଜନା କାମ ସରିନପାରିବାରୁ ଅନୁଦାନର ଉଲ୍ଲେଖନୀୟ ଅଂଶ ଫେରିଗଲା । ଏଥିପାଇଁ ଦାୟି କିଏ ?

ବହୁ କାଳୁ ଆମ ଧର୍ମୀୟ ପରମ୍ପରା ସହିତ ଜଡ଼ିତ ଏହି ମଠଗୁଡ଼ିକର ଅଧୋପତନର ଯଥାର୍ଥ କାରଣ ସବୁ ଏହିପରି ହୋଇପାରେ:

୧. ୧୯୩୫ରେ ଦେଶରେ ଦେବୋତ୍ତର ଆଇନ ପ୍ରଚଳିତ ହୋଇଥିଲା । ଏହା ବଳରେ ବହୁ ମଠ ମନ୍ଦିର ଆଦିର ପରିଚାଳନା ସରକାର ହାତକୁ ନେଲେ । ଅତି ଦୁର୍ବଳ ମଠଗୁଡ଼ିକ ବ୍ୟତିତ ଧନୀ ମଠଗୁଡ଼ିକୁ କ୍ରମେ ଚଳାଇବା ପାଇଁ ମନୋନୟନ ବା ନିର୍ବାଚନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସହିତ ସରକାରୀ ପ୍ରତିନିଧି ରହି କମିଟିମାନ ଗଠନ ହେଲା । କ୍ରମେ ମହନ୍ତମାନଙ୍କର ସ୍ୱାଧୀନତା କ୍ଷୁର୍ଣ୍ଣ ହେଲା । ସେମାନଙ୍କର ଆୟ ସଙ୍କୁଚିତ ହେଲା ଏବଂ ଅନେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା । ମଠ ପରିଚାଳନାରେ ବାହ୍ୟ ଅନୁପ୍ରବେଶ ସକାଶେ ବିଭ୍ରାଟ ଦେଖାଦେଲା । ମଠଗୁଡ଼ିକର ଉନ୍ନୟନ କାର୍ଯ୍ୟ ବ୍ୟାହତ ହେଲା । ମଠ ମାମଲା ସମ୍ବନ୍ଧୀୟ ମାମଲା ବିଚାର କରିବା ପାଇଁ ୧୯୫୧ରେ ଦେବୋତ୍ତର ଆୟୁକ୍ତ ନିଯୁକ୍ତ ହେଲେ । ଓଡ଼ିଶା ଭୂସଂସ୍କାର ଆଇନ (ଙଖଜ) ଲାଗୁ ହେବା ପରେ ଧିରେ ଧିରେ ମଠଗୁଡ଼ିକର ଆୟ ଆମଦାନୀ ସ୍ରୋତ ପ୍ରଭାବିତ ହୋଇଥିଲା । କାରଣ ମୁଖ୍ୟ ଆୟ ସ୍ରୋତ ଭୁସମ୍ପତ୍ତିରୁ ରହିଥିଲା । ନୂଆ ଆଇନ ବଳରେ ଦୂରଦୂରନ୍ତାରରେ ଥିବା ଜମିର ପ୍ରଜାମାନେ ନିଜକୁ ଜମିର ମାଲିକ ବୋଲି ଘୋଷଣା କଲେ ଏବଂ ମଠକୁ କୌଣସି ଫସଲ ବା ଆୟ ଦେଲେ ନାହିଁ । ମଠର ପ୍ରତ୍ୟକ୍ଷ ଅଧୀନରେ ଥିବା ସୀମିତ ସମ୍ପତ୍ତିରୁ ଆୟ, ସ୍ୱଳ୍ପ ଘରଭଡ଼ା, ଭକ୍ତ ଓ ଶିଷ୍ୟ ପ୍ରଭୃତିଙ୍କ ଦାନରେ ମଠ ଚଳିବାକୁ ବାଧ୍ୟ ହେଲା ଓ ପୂର୍ବ ମର୍ଯ୍ୟାଦା ହରାଇ ବସିଲା ।

୨. ଦେଶ ସ୍ୱାଧୀନତା ପରବର୍ତ୍ତୀ କାଳର ବୈଷୟିକ ତଥା ବୃତ୍ତିଭିତ୍ତିକ ଶିକ୍ଷା ବ୍ୟବସ୍ଥାର ବିକାଶ ଫଳରେ ପାରମ୍ପରିକ ସଂସ୍କୃତ ଶିକ୍ଷା କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି ହେଲା । ବିଦ୍ୟାର୍ଥୀ ଓ ଅଭିଭାବକମାନେ ସାଧାରଣତଃ ନୂତନ ବ୍ୟବସ୍ଥା ପ୍ରତି ଆକୃଷ୍ଟ ହେଲେ । ଏଣେ ମଠଗୁଡ଼ିକର ଆର୍ଥିକ ସମସ୍ୟା ବଢ଼ିଚାଲିଲା । ମଠ ପକ୍ଷରୁ ପ୍ରତିଷ୍ଠିତ ଶିକ୍ଷାୟତନଗୁଡ଼ିକ ପ୍ରଭାବିତ ହେଲେ । ଏଥିରେ ବିଦ୍ୟାର୍ଥୀଙ୍କ ସଂଖ୍ୟା କମିଗଲା । ନୂଆ ପଣ୍ଡିତ ନିଯୁକ୍ତି ପାଇଲେ ନାହିଁ । ସମୟ କ୍ରମେ କେତେଗୋଟି ଟୋଲ ତଥା ବିଦ୍ୟାଳୟ ବନ୍ଦ ହେଇଗଲା । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଘଟିବା ଫଳରେ ମଠମାନଙ୍କର ଭୂମିକା ନ୍ୟୁନ ହୋଇଗଲା ।

୩. ବିପୁଳ ଭୂସମ୍ପତ୍ତିର ଅଧିକାରୀ ଭାବେ ମଠଗୁଡ଼ିକର ଆୟ ଏକ ପକ୍ଷରେ କମିଯାଇଥିଲେ ମଧ୍ୟ ମହନ୍ତମାନେ ଅନୈତିକ ଉପାୟରେ ମଠର ସମ୍ପତ୍ତି ବିକ୍ରି କଲେ । ନାମକୁ ମାତ୍ର ଅର୍ଥ ପଇଠ କରି ମହନ୍ତଙ୍କଠାରୁ ହାତପଟ୍ଟା ମାଧ୍ୟମରେ ଚତୁର ଲୋକମାନେ ମଠ ସମ୍ପତ୍ତି ଖଣ୍ଡ ଖଣ୍ଡ କରି ଦଖଲ କରିନେଲେ । ଦେବୋତ୍ତର ବିଭାଗ ପକ୍ଷରୁ ନିଯୁକ୍ତ ପରିଚାଳକ ମଧ୍ୟ ଏଥିରେ ସମ୍ପୃକ୍ତ ରହିଲେ । ବିକ୍ରିଲବ୍ଧ ଅର୍ଥ ବା ଭଡ଼ା ସୂତ୍ରରୁ ଆୟରେ ମହନ୍ତମାନେ ବିଳାସପୂର୍ଣ୍ଣ ଜୀବନଯାପନ କଲେ । ମଠର ସ୍ଥାପିତ ଦେବଦେବୀଙ୍କ ଦୈନିକ ପୂଜା, ମଠର ପର୍ବପର୍ବାଣୀ, ଶ୍ରୀମନ୍ଦିରର ରୀତିନୀତିରେ ଯଥା ସମ୍ଭବ ଯୋଗଦାନ ବ୍ୟତୀତ ମଠର ଉନ୍ନୟନ ତଥା ସମାଜ କଲ୍ୟାଣ କାର୍ଯ୍ୟ ପ୍ରାୟତଃ ବନ୍ଦ ହେଇଗଲା ।

୪. ସମାଜରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟରେ ମହନ୍ତମାନେ ଅତିଷ୍ଠ ହେଇ ରହିଥିଲେ । ବଳପୂର୍ବକ ବିଭିନ୍ନ ସୁବିଧା ସୁଯୋଗ ନେବା, ମଠ ଜମିରେ ନିଜର ବ୍ୟବସାୟ ଚଳାଇବା ତଥା ବିଭିନ୍ନ ସମୟରେ ଚାନ୍ଦା ଆଦାୟ କରିବା ଆଦି କୁକର୍ମର ଶିକାର ଏହି ନିରୀହ ଶାନ୍ତିକାମୀ ମହନ୍ତମାନେ ହେଉଥିଲେ । ଜମିମାଫିଆମାନଙ୍କର ଲୋଲୁପ ଦୃଷ୍ଟି ମଠ ସମ୍ପତ୍ତି ଉପରେ
ସର୍ବଦା ରହୁଥିଲା । ଅନେକ ସମୟରେ କଳେବଳେ କୌଶଳେ ସେମାନେ ମଠର ମୂଲ୍ୟମାନ ସମ୍ପତ୍ତି ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାରେ ସଫଳ ହେଉଥିଲେ । ଏଥିପାଇଁ କାକୁସ୍ଥ ମହନ୍ତମାନେ ଭୀତତ୍ରସ୍ତ ଭାବରେ କାଳାତିପାତ କରିବା ସହିତ ସର୍ବଦା ନିଜର ତଥା ମଠର ସୁରକ୍ଷା ପାଇଁ ଚିନ୍ତିତ ରହିବା ଫଳରେ ମଠର ଧର୍ମୀୟ କାର୍ଯ୍ୟ ସଂକୀର୍ଣ୍ଣ ହେଇପଡ଼ିବା କିଛି ଅସ୍ୱାଭାବିକ ନଥିଲା ।

୫. ପ୍ରାଚୀନ ମଠଗୁଡ଼ିକ ଉପରେ ଦେବୋତ୍ତର ବିଭାଗର ଆଧିପତ୍ୟ ରହିବା ଦୃଷ୍ଟିରୁ ମଠର ପାରମ୍ପରିକ ମର୍ଯ୍ୟାଦା ରକ୍ଷା କରିବା ମଧ୍ୟ ସରକାରୀ କଳର ଦାୟିତ୍ୱ ବୋଲି ସାଧାରଣରେ ବିଶ୍ୱାସ କରାଯାଏ ମାତ୍ର ସେଭଳି କୌଣସି ଆଖିଦୃଶିଆ ଯୋଜନା କାର୍ଯ୍ୟକାରୀ ହେବା ଜଣାଯାଏ ନାହିଁ । ଭୂସଂସ୍କାର ଆଇନର କାର୍ଯ୍ୟକାରିତା ଫଳରେ ନିମିତ୍ତ ମାତ୍ର ଆୟକୁ ନେଇ ମଠର ସମସ୍ତ କାର୍ଯ୍ୟକ୍ରମ ସୁପରିଚାଳିତ କରିବା ଅସହଜ ହେଇପଡ଼ିଲା ।

ଏଣେ ଉପରୋକ୍ତ କାରଣଗୁଡ଼ିକ ସକାଶେ ମଠମାନଙ୍କର ପୂର୍ବ ତେଜ, ଗରିମା ଅସ୍ତମିତ ହେବାକୁ ଲାଗିଲା । ମଠର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଇତ୍ୟାଦି ବଜାୟ ରଖିବା ପାଇଁ ସରକାରୀ ବାବୁମାନଙ୍କର ଅନାଗ୍ରହ ତଥା ସ୍ଥାଣୁତା ମଧ୍ୟ ଅନେକାଂଶରେ ଦାୟି ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.