ଉତ୍ତରପ୍ରଦେଶ: କଳଙ୍କିତ ହୋଇଛି ବାପା ଓ ଝିଅର ପବିତ୍ର ସମ୍ପର୍କ । ନିଜ ରକ୍ତକୁ ଧୋକା ଦେଲା ଜନ୍ମଦାତା । ଉତ୍ତରପ୍ରଦେଶ ନୋଏଡା ଅଂଚଳରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ନିଜ ନାବାଳିକା ଝିଅ ସହ ଖୋଦ ତା ବାପା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ୧୧ବର୍ଷୀୟା ପୀଡିତାର ମାଆ ଏହି ଘଟଣାକୁ ନେଇ ଦିଲ୍ଲୀର ମହିଳା ଥାନାରେ ଏତଲା ଦେଇଥିଲେ । ତେବେ ଗୁରୁବାର ଏହି ମାମଲା ନୋଏଡାର ଫେଜ୍-୩ ଥାନାକୁ ସ୍ଥାନାନ୍ତରିତ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ଶନିବାର ଦିନ ଅଭିଯୁକ୍ତ ବାପାକୁ ପୋଲିସ ଥାନାକୁ ଡାକି ପଚରାଉଚରା କରିଥିଲାବେଳେ ଗତ ମାସରେ ଝିଅ ସହ ଦୁଷ୍କର୍ମ ହୋଇଥିବା ନେଇ ମାଆ ଅଭିଯୋଗ ଆଣିଥିଲେ ।
ତଦନ୍ତରେ ଜଣାପଡିଛି ଅଭିଯୁକ୍ତ ଜଣକ ନୋଏଡାରେ ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ । ନିକଟରେ ସେ ନିଜ ପରିବାର ସହ ଦିଲ୍ଲୀରେ ରହିବା ଆରମ୍ଭ କରିଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲାବେଳେ ଅଭିଯୁକ୍ତ ଜଣକ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ ।
ମହିଳାଙ୍କ ଏତଲାକୁ ଆଧାର କରି ଦିଲ୍ଲୀ ପୋଲିସ ଆଇପିସି ଧାରା ୩୭୬ ଅଧିନରେ ମାମଲା ଦାୟର କରି ନୋଏଡାକୁ ସ୍ଥାନାନ୍ତରିତ କରିଥିଲା । ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିଲାବେଳେ ଅଭିଯୁକ୍ତକୁ ଥାନାରେ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.