ଧାନ ତଳି ରୋଉଥିଲେ, ବଜ୍ରପାତରେ ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ
କାମାକ୍ଷାନଗର: ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ । ମୃତକ ଦୁଇଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମର ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ (୨୮) ।
ସୂଚନା ଅନୁସାରେ, ବାପ ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ ଏକାଠି ମିଶି ଠିକାରେ ଅନ୍ୟ ଜଣଙ୍କ ବିଲରେ ତଳି ରୋଇବାକୁ ଯାଇଥିଲେ । ଉଭୟେ ମିଶି ଚାଷ ଜମିରେ ଧାନ ତଳି ଲଗାଉଥିବା ସମୟରେ ହଠାତ୍ ବଜ୍ରାଘାତ ଘଟିଥିଲା । ବଜ୍ରପାତରେ ଅଚେତ ହୋଇ ଉଭୟେ ବାପା-ପୁଅ ଘଟଣାସ୍ଥଳରେ ପଡି ରହିଥିଲେ ।
ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଏକାସାଙ୍ଗରେ ବାପ-ପୁଅଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଛାତି ଫଟେଇ କାନ୍ଦୁଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।