Latest Odisha News

BREAKING NEWS

ଝାରସୁଗୁଡ଼ାରେ ଖାକିର ଅସଲ ରୂପ: ଛାତ୍ର ହତ୍ୟାକାରୀଙ୍କୁ କଲା ସିଧା ଏନକାଉଣ୍ଟର

ଝାରସୁଗୁଡ଼ା/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲାରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଦିନ ଦ୍ୱିପହରରେ ଜଣେ କଲେଜ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି। ଗୁଳି ବିନିମୟରେ ଉଭୟ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ସୁନିଲ ମହାନନ୍ଦ ଏବଂ ଚାନ୍ଦ ବନଛୋର। ଏନେଇ ବେଲପାହାଡ଼ ଥାନା ଆଇଆଇସି ସୂଚନା ଦେଇଛନ୍ତି।

ଏହି ହତ୍ୟାକାଣ୍ଡ ପରେ ପୋଲିସ ଆଲର୍ଟ ମୋଡ୍‌ରେ ଥିଲା। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍ ଚାଲିଥିଲା। ଆଜି ସକାଳେ ପୋଲିସକୁ ଏକ ଗୁପ୍ତ ସୂଚନା ମିଳିଥିଲା ଯେ, ସୁନିଲ ଏବଂ ଚାନ୍ଦ ଲୁଚି ରହିଛନ୍ତି। ସୂଚନା ଆଧାରରେ ବେଲପାହାଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଗିରଫ କରିବାକୁ ଯାଇଥିଲା। ହେଲେ ପୋଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ।

କେବଳ ସେତିକି ନୁହେଁ, ପୋଲିସ ଟିମ୍ ଉପରକୁ ସେମାନେ ୪ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ। ନିଜର ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ପୋଲିସର ଏହି ଗୁଳିମାଡ଼ରେ ସୁନିଲ ଏବଂ ଚାନ୍ଦଙ୍କ ଜଙ୍ଘରେ ଗୁଳି ବାଜିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ରହିଛି କି, ଗତକାଲି ବେଲପାହାଡ଼ ଫାଟକ ନିକଟ ଗାନ୍ଧୀନଗରରେ ଏକ ସାମାନ୍ୟ ଯାନବାହନ ଦୁର୍ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ଜୁନାଡିହି କଲେଜର ଦୁଇ ଛାତ୍ର ରାହୁଲ ମହତ୍ ଏବଂ ଆକାଶ ସାହୁ ଏକ ସ୍କୁଟିରେ ଯାଉଥିଲେ। ସେତିକିବେଳେ ଏକ କାର୍ ସହ ସେମାନଙ୍କର ଧକ୍କା ହୋଇଥିଲା। କାର୍‌ରେ ଥିବା ୪ ଜଣ ଯୁବକ ତଳକୁ ଓହ୍ଲାଇ ଦୁଇ ଛାତ୍ରଙ୍କ ସହ ବଚସା କରିଥିଲେ। ରାସ୍ତା ଉପରେ ଚାଲିଥିବା ଏହି ଯୁକ୍ତିତର୍କ ଖୁବ୍ ଶୀଘ୍ର ଏକ ଭୟଙ୍କର ରୂପ ନେଇଥିଲା। ଅଭିଯୁକ୍ତମାନେ ରାଗିଯାଇ କାର୍‌ରୁ ଖଣ୍ଡା ଓ ଭୁଜାଲି ବାହାର କରି ରାହୁଲ ଏବଂ ଆକାଶଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

ଏହି ମରଣାନ୍ତକ ଆକ୍ରମଣରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ରାହୁଲଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ସାଙ୍ଗ ଆକାଶ ଗୁରୁତର ଆହତ ହୋଇ ଏବେବି ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

ରାଜରାସ୍ତାରେ ଦିନ ଦ୍ୱିପହରରେ ଏଭଳି ହତ୍ୟାକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ହିଁ ଅଟକ ରଖିଥିଲା। ହେଲେ ମୁଖ୍ୟ ଆକ୍ରମଣକାରୀ ସୁନିଲ ଓ ଚାନ୍ଦ ଫେରାର ଥିଲେ, ଯେଉଁମାନେ ଆଜି ଏନକାଉଣ୍ଟରର ଶିକାର ହୋଇଛନ୍ତି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାଁରେ ପୂର୍ବରୁ ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.