ଭୁବନେଶ୍ୱର: ଅଡୁଆରେ ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପାଟଣାଗଡ଼ ଅଞ୍ଚଳକୁ ବଦନାମ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ସଙ୍ଗୀନ ମାମଲା ରୁଜୁ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନାରେ ତାଙ୍କ ନାଁରେ ଏହି ମାନହାନୀ ମାକଦ୍ଦମା ଦାୟର କରାଯାଇଛି। ସୋସିଆଲ ମିଡିଆରେ ଭିତ୍ତିହୀନ ଏବଂ ଆପତ୍ତିଜନକ ପୋଷ୍ଟ କରି ସେ ଏହି ବିବାଦରେ ଫସିଛନ୍ତି।
ପାଟଣାଗଡ଼ ସହରର ସ୍ଥାନୀୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ କାଦମ୍ବିନୀ ମିଶ୍ର ଏହି ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସୁଲତା ଦେଓ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଅପଲୋଡ୍ କରିଥିଲେ ଯାହାର ପାଟଣାଗଡ଼ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ସେହି ଘଟଣାଗୁଡ଼ିକୁ ପାଟଣାଗଡ଼ର ବୋଲି ଦର୍ଶାଇ ଲୋକଙ୍କୁ ଭ୍ରମିତ କରାଯାଇଛି। ନିଜର ଏହି ବିବାଦୀୟ ପୋଷ୍ଟ ଜରିଆରେ ଉପମୁଖ୍ୟମନ୍ତ୍ରୀ ଏବଂ ପାଟଣାଗଡ଼ର ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଉଦ୍ୟମ ହୋଇଥିବା ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗରେ ଏତଲାକାରୀ କାଦମ୍ବିନୀ କହିଛନ୍ତି ଯେ, “ସୁଲତା ଦେଓ ପାଟଣାଗଡ଼ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଆମ ଅଞ୍ଚଳରେ କୌଣସି ମହିଳାଙ୍କୁ ଅପହରଣ କିମ୍ବା ଯୌନ ନିର୍ଯାତନା ଦିଆଯାଇ ନାହିଁ। ଏଠାରେ ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଯଦି କେବେ କିଛି ଘଟଣା ଘଟେ, ତେବେ ଆମ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଦଣ୍ଡ ଦେଇଥାଏ। ଜଣେ ସାଂସଦ ହୋଇ ସେ କାହିଁକି ଆମ ଅଞ୍ଚଳକୁ ଏତେ ବଦନାମ କରୁଛନ୍ତି? ସେ ନିଜ ପଦବୀର ଦୁରୁପଯୋଗ କରି ଜାଣିଶୁଣି ଏଭଳି ଗୁଜବ ଖେଳାଉଛନ୍ତି।”
ଏହି ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ପୋଲିସ ଏକ ଔପଚାରିକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓର ସତ୍ୟତା ଏବଂ ଏହାର ଉତ୍ସର ଟିକନିଖି ଯାଞ୍ଚ କରାଯାଉଛି।
ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ମାହୋଲ ଗରମ ହୋଇଛି। ବିଜେପି ନେତାମାନେ ସୁଲତା ଦେଓଙ୍କୁ ସମାଲୋଚନା କରିଛନ୍ତି। ହେଲେ ସାଂସଦ ସୁଲତା ଦେଓଙ୍କ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ କିମ୍ବା ପ୍ରତିକ୍ରିୟା ମିଳିପାରିନାହିଁ।
Comments are closed.