Latest Odisha News

BREAKING NEWS

ନିଯୁକ୍ତି ଦୁର୍ନୀତି: ଟିଏମସି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ମ୍ୟୁନିସିପାଲିଟି ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟିଏମସିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସୁଜିତ ବୋଷଙ୍କୁ ଇଡି ଗିରଫ କରିଛି।

ବେଙ୍ଗଲର ବିଭିନ୍ନ ପୌରସଂସ୍ଥାରେ ବେଆଇନ ଭାବେ କର୍ମଚାରୀ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ମୋଟା ଅଙ୍କର ଲାଞ୍ଚ ନେଇ ଚାକିରି ବିକ୍ରି କରାଯାଇଥିଲା। ଏହି ଆର୍ଥିକ ହେରଫେର ଏବଂ ଦୁର୍ନୀତିର ତଦନ୍ତ ଇଡି କରୁଛି। ତଦନ୍ତ ବେଳେ ଏହି କେଳେଙ୍କାରୀରେ ସୁଜିତ ବୋଷଙ୍କ ସମ୍ପୃକ୍ତି ଥିବା ନେଇ ଇଡିକୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଏହାକୁ ଆଧାର କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ରାଡାରକୁ ନେଇଥିଲା।

ଏହା ପୂର୍ବରୁ ସୁଜିତ ବୋଷଙ୍କ ବାସଭବନ ଏବଂ ତାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଇଡି ମାରାଥନ ଚଢ଼ାଉ କରିଥିଲା। ତାଙ୍କୁ ଅଫିସକୁ ଡାକି ଘଣ୍ଟା ଘଣ୍ଟା ଧରି ଜେରା ମଧ୍ୟ କରାଯାଇଥିଲା। ସୂତ୍ର ଅନୁସାରେ, ଜେରା ବେଳେ ସେ ତଦନ୍ତକାରୀ ଅଧିକାରୀଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ଏବଂ ଅନେକ ତଥ୍ୟ ଲୁଚାଇବାକୁ ପ୍ରୟାସ କରିଥିଲେ। ଦୁର୍ନୀତିର ଟଙ୍କା କାରବାର ନେଇ ଇଡି ହାତରେ ବଳିଷ୍ଠ ପ୍ରମାଣ ଲାଗିବା ପରେ ଶେଷରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୁଜିତ ବୋଷ କେବଳ ଜଣେ ନେତା ନୁହଁନ୍ତି, ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ଏହା ପୂର୍ବରୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଓ ରାସନ ଦୁର୍ନୀତିରେ ପାର୍ଥ ଚାଟାର୍ଜୀ ଏବଂ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ଭଳି ପ୍ରଭାବଶାଳୀ ମନ୍ତ୍ରୀ ଗିରଫ ହୋଇ ସାରିଛନ୍ତି। ଏବେ ରାଜ୍ୟରେ ବିଜେପି ସରକାର। ଯାହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଆଉ ଶାସନ ଗାଦିରେ ବସିବାର ଦୁଇ ଦିନ ପରେ ଟିଏମସି ନେତା ସୁଜିତ ବୋଷଙ୍କ ଗିରଫଦାରୀ ହୋଇଛି।

Comments are closed.