Latest Odisha News

BREAKING NEWS

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର

ଯାଜପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ଦିନ ଠାରୁ ଆରମ୍ଭ ହୁଏ କାଳୀପୂଜା । ପବିତ୍ର ଦୀପାବଳିକୁ ନେଇ ବେଶ୍‌ ଚଳଚଞ୍ଚଳ ଯାଜପୁର ସହର । ଗତ ୨ ବର୍ଷ ହେବ କଟକଣା ମଧ୍ୟରେ କାଳିପୂଜା ହୋଇନଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ । ଏଥିପାଇଁ ସହରର ୪୫ ଟି ପୂଜା ମଣ୍ଡପ ରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ମାଙ୍କ ମୃଣ୍ମୟୀ ମୃତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର  ।

ଚଳିତ ବର୍ଷ ସେହି କଟକଣା ହଟିଥିବାରୁ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ମୂର୍ତ୍ତି ଗଢିବାରେ ଲାଗିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର କାରିଗର। ତୋରଣ ଓ ମଣ୍ଡପ କୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ୪୫ ଟି କାଳୀ ଓ ଲକ୍ଷ୍ମୀ ନାରାୟଣ ମେଢ଼ ଭିତରୁ ୧୧ ଟି ମେଢ଼ ଚାନ୍ଦୀ ଓ  ୮ ଟି ସୁନା ମେଢ଼ ଭାବେ ପୂଜା ପାଇବେ ।ପ୍ରତିବର୍ଷ ଏହି ପୂଜା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ ଜମିଥାଏ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥାଏ । ସେଥିପାଇଁ  ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାହିଁ ନଥିବା  ଉତ୍ସାହ ଦେଖିବାକୁ ମିଳିଛି ।

ଅନ୍ୟପଟେ ପୂଜା ସମୟରେ ସମ୍ଭାବ୍ୟ ଭିଡ଼ ଓ ଭଷାଣ ଉତ୍ସବକୁ  ଶାନ୍ତି ଶୃଙ୍ଖଳା ରେ ଶେଷ କରିବା ପାଇଁ ଏକାଧିକ ବାର ପ୍ରଶାସନ ସହିତ ପୂଜା କମିଟି ର ବୈଠକ ସରିଛି। ପୋଲିସ ପ୍ରଶାସନ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଚଳିତ ବର୍ଷ ଦୁଇଟି ଦିନରେ ଭସାଣ ଉତ୍ସବ କରିବାକୁ ମଧ୍ୟ ନିଷ୍ପତି ହୋଇଛି । ପରିବେଶ କୁ ସଫା ସୁତୁରା ରଖିବା ପାଇଁ ସମସ୍ତ ପୂଜା କମିଟି କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଯେଉଁ କମିଟି ଏହି ପରିବେଶ ଓ ସ୍ୱଚ୍ଛତା ଉପରେ ଭଲ କରିବ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ପୁରସ୍କୃତ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

Leave A Reply

Your email address will not be published.