Latest Odisha News

BREAKING NEWS

ରମ୍ୟ ରଚନା : ପୁସ୍ତକ ମେଳାରେ କେତେଘଣ୍ଟା

ଡାକ୍ତର ଅଭୟ ଦାଶ

ସରିଯାଇଛି ପୁସ୍ତକ ମେଳା । ଏବେ ମନେପକେଇବା କିଛି କଥା ।

ଓଡିଆ ଟି! ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ। “ଉତ୍କଳର ନେତା ନିଜେ ନାରାୟଣ,” ତାଙ୍କ ବିନା ଗତି କାହିଁ? ପ୍ରଥମ ଷ୍ଟଲ୍ ଶ୍ରୀମନ୍ଦିରର। ଅରୁଣ ସ୍ତମ୍ଭରୁ ଆରମ୍ଭ। ଜୋତା ଖୋଲି ଭିତରକୁ ଯିବେ। ମହାପ୍ରଭୁମାନେ ଚାହିଁ ରହିଛନ୍ତି।ଶ୍ରୀ ମନ୍ଦିର ପବ୍ଲିକେସନ୍ ବହି ବିକ୍ରି ହେଉଛି। ଜଗନ୍ନାଥ କୈବଲ୍ୟ ବାଣ୍ଟିଦେଉନାହାନ୍ତି ତ? ସେ ପରା ଭାବବିନୋଦିଆ! ତାଙ୍କର ବିଜ୍ଞାପନ କଣ ଦରକାର? ବାହୁ ପ୍ରସାରି ଡାକୁଛନ୍ତି , ଆମେ ଆସୁଛୁ। ସେଇ ଷ୍ଟାଇଲ୍! ସେମିତି ଚାହିଁଛି, ସେମିତି ହସୁଛି, ସେମିତି ବସିଛି।

ଆଉ ଟିକିଏ ଆଗକୁ ବଢିଲୁ। ଦେଖାହେଲେ କେତେ ଜଣା ଅଜଣା। ବଡ ମିଟିଂ, ଶ୍ରୋତା ଅଳ୍ପ, ବକ୍ତା ବେଶୀ ,ବକ୍ତୃତା ଅଧିକ। ମାଇକ୍ ବୋବାଳି ଛାଡିଛି । ମଝିରେ ମଝିରେ ବେସୁରା ଧରୁଛି। ଛୋଟ ଛୋଟ ଗ୍ରୁପ୍ ରେ ଆଲୋଚନା ହେଉଛି, ସମସ୍ତେ ମାଇକ୍ ବ୍ୟବହାର କରୁଛନ୍ତି , “ଆସିଗଲା ବାଣପୁରି ବାଇଗଣ, ମିଠେଇ ଗଛ ଆମ୍ବ, ଅମୁକ କବିଙ୍କ କବିତା ସଂକଳନ ! ୟାଙ୍କୁ ପଢି ନାହାନ୍ତି ତ କାହାକୁ ପଢିଲେ?” କାଇଁ ଇଏ କେଉଁ ବାଣପୁରି ଘିଅ କି? ୟାଙ୍କୁ ନ ପଢି ଆମେ ପାପ କରିଦେଲୁ? ସେଇଠି ଦେଖା ହେଲା ଝିଅଟିଏ ,”ହେଇ ଅଭୟ ସାର୍!” ଆରେ ଇଏତ ଅନୀତା ସାବତ ! “ସାର୍, ଏଇଠି ଆମ ‘ସମାଜ’ ଖବରକାଗଜର ଷ୍ଟଲ୍। ଆସନ୍ତୁ, ମଧୁସୁଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ରଚନାବଳି, ଇଂରେଜି ରେ ଲେଖା ହୋଇଛି।” ମାନେ ଏକ୍ସପୋର୍ଟ କ୍ବାଲିଟି ? ସ୍ବଦେହ ରେ ପ୍ରଥମ ଓଡିଆ ବିଲାତରୁ ଫେରି ଆଜି ତାର ଗାଥା ଶୁଣାଇବ ବିଦେଶରେ, ଅନ୍ୟ ଜଣକ ଲେଖାରେ। ଚାଲିଯାଇଛି ସିନା ହଜିଯାଇନି ।ଯାହା ଥିଲା ତା ପାଖରେ ସବୁ ଦେଇଯାଇଛି। ଓଡିଆଙ୍କୁ ଯୋତା ପିନ୍ଧାଇଛି, ସିଙ୍ଘ ପାନିଆରେ ତାଙ୍କ ମୁଣ୍ଡ କୁଣ୍ଡାଇ ଦେଇଛି, ରୁପା ତାରକସି କରେଇଛି, ଓକିଲ ହୋଇ ଜଗନ୍ନାଥ ମନ୍ଦିର ଆଣିଦେଇଛି ବିଦେଶୀ ସରକାର ହାତରୁ , କଟ୍ ପିସ୍ ଯୋଡି ଚାନ୍ଦୁଆ କରିଛି, ଯାହାକୁ ଓଡିଶାର ପରିଚୟ ବୋଲି କହୁ। କେତେ କଷ୍ଟକରି ପିଲାଙ୍କ ପାଠପଢାର ବ୍ୟବସ୍ଥା କରିଯାଇଛି। ପାଇଲା କଣ? କିଏ ମନେ ରଖିଛି ? ‘ସମାଜ’ ଷ୍ଟଲ୍ ସାମନାରେ ଚାଲିଥିବା ମଧୁ ବାରିଷ୍ଟରଙ୍କ ସମ୍ପର୍କିତ ଏକ ପୁସ୍ତକର ଛୋଟିଆ ଉନ୍ମୋଚନ ସଭାରେ କିଛି ସମୟ ବସି କାନେଇଲି ଏ ଆଲୋଚନା।
ଆଉ ଟିକିଏ ଆଗକୁ ଚାଲିଲୁ, କିଏ କିଣୁଛି, କିଏ ଶୁଣୁଛି। କେତେ କଣ ଦେଖିବ କୁ ମିଳିଲା। ନ କିଣନ୍ତୁ ପଛେ ଦେଖୁଛନ୍ତି ତ ! ସମସ୍ତେ ଡାକୁଛନ୍ତି, ମୋ ଆଡକୁ ଆସ, ମୋ ବହିକୁ ଦେଖ। ଗୋଟାଏ ଭଲପାଇବାରେ ସମସ୍ତେ ପାଗଳ, ବହିକୁ ଭଲ ପାଇବା।

କେତେ ବର୍ଷ ତଳେ ନେସନାଲ ବୁକ୍ ଟ୍ରଷ୍ଟ ଦ୍ବାରା ଆୟୋଜିତ ପୁସ୍ତକ ମେଳାରେ ଶିକ୍ଷା ମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟ ଅତିଥି ଥାଆନ୍ତି। ହିନ୍ଦୀ ସାହିତ୍ୟର ନଲିନ କୋହଲି ଗୋଟିଏ ବଙ୍ଗଳାଦେଶୀ ଗପ କହିଲେ, “ଥରେ ଜଣେ ଅଧ୍ୟାପକ ତାଙ୍କ ରିସର୍ଚ୍ଚ ଗାଇଡଙ୍କୁ ଅନୁରୋଧ କଲେ, ସାର୍ ମୋ ଝିଅପାଇଁ ଗୋଟିଏ ପ୍ରସ୍ତାବ ଆସିଛି, ଆପଣ ମୋ ସାଙ୍ଗରେ ଚାଲନ୍ତୁ। ଦିହେଁ ଗଲେ ଜୋଇଁ ଦେଖିବାକୁ। ବର ଘର ବହୁତ ଧନୀ, ପିଲାଟା ବହୁତ ସୁନ୍ଦର, ଭଲ ପାଠ ପଢିଛି, ଘରେ ବଡ ବଡ ପଥର ମୂର୍ତ୍ତି ଲାଗିଛି ,ପଇସା ବାଲା ଘର । ଦେଖିସାରି ଫେରିବା ପରେ ଅଧ୍ୟାପକ ତାଙ୍କ ପ୍ରଫେସରଙ୍କୁ ପଚାରିଲେ, ସାର୍ କଣ କହୁଛନ୍ତି? ସାର୍ କହିଲେ, ସବୁ ଭଲ ଯେ, ତୁ ସେଠି କରନା। କାହିଁକି କହୁଛି କି, ତାଘରେ ସବୁ ଅଛିଯେ ,ବହି ଆଲମାରୀ ଟିଏ ଦେଖିଲି ନାହିଁ।” ଏଇଥିଲା ତାଙ୍କର ଗୁରୁଙ୍କ ମତାମତ , ଯାହା ସେ ମାନିନେଲେ। ପୁସ୍ତକ ମେଳାର ଆବଶ୍ୟକତା ବୁଝିବା ସମୟ ଆସିଛି । ଭଲ ବହି ଖଣ୍ଡିଏ ଅନେକ କଥା କହିପାରେ, ବୁଝିବା ଦରକାର।

ସ୍ଥାନ: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ , ତାରିଖ: ଡିସେମ୍ବର,  ଦୁଇହଜାର ବାଇଶି, ସମୟ: ସନ୍ଧ୍ୟା ସାତ, ସାଥିରେ ପତ୍ନୀ ମନ୍ଦାକିନୀ, ସାକ୍ଷୀ: ନିହାର ଶତପଥୀ। ଏଠି କଣ ଚାଲିଛି? ପୁସ୍ତକ ମେଳା। ବହି ହାଟ।

Leave A Reply

Your email address will not be published.