Latest Odisha News

BREAKING NEWS

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ୨୦୨୦: ଓଡ଼ିଶା ଆୟୋଜକଙ୍କ ପ୍ରସ୍ତୁତିକୁ ଫିଫା ପ୍ରତିନିଧିଦଳର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମ୍ୟାଚ । କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଏବଂ ଆୟୋଜକଙ୍କ ପ୍ରସ୍ତୁତି ଲାଗି ତତ୍ପରତାରେ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ପ୍ରତିନିଧି ଦଳ ।

ଏନେଇ ଟୁର୍ଣ୍ଣାମେଣ୍ଟର ଫିଫା ପ୍ରୋଜେକ୍ଟ ଲିଡ୍ ଓଲିଭର୍ ଭୋଗଟ୍ କହିଛନ୍ତି, “ଭୁବନେଶ୍ୱର ଏପରି ଏକ ସହର କ୍ରୀଡ଼ା ଲାଗି ବେଶ୍ ସଚେତନଶୀଳ । ଆମେ ଏପରି ଏକ ସହରକୁ ଆସି ବେଶ୍ ଆନନ୍ଦିତ । ଆପଣ ଏଠାରେ ହକି ବିଶ୍ୱକପ ସଫଳତାର ସହିତ ଆୟୋଜନ କରିଛନ୍ତି ଏବେ ଫୁଟବଲର ପାଳି । ଯେହେତୁ ଭୁବନେଶ୍ୱରକୁ ହୋଷ୍ଟ ସହର ଭାବେ ଚୟନ କରାଯାଇଛି, ତେଣୁ ଆମେ ନିଶ୍ଚିତ ଯେ, ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ରୂପେ ସଫଳତା ହାସଲ କରିପାରିବ,” ବୋଲି କହିଛନ୍ତି ଫିଫା ପ୍ରୋଜେକ୍ଟ ଲିଡ୍ ।

ଏହି ପ୍ରତିନିଧି ଦଳ ସହିତ ସ୍ଥାନୀୟ ‘ଲୋକାଲ୍ ଅଗ୍ରାନାଇଜିଂ କମିଟି’ (ଏଲଓସି)ର ସଦସ୍ୟମାନେ ମଧ୍ୟ ଷ୍ଟାଡ଼ିୟମକୁ ପରିଦର୍ଶନ କରିଥିଲେ ।

ଏସମ୍ପର୍କରେ ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର କମିଶନର୍ ତଥା ସଚିବ ବିଶାଲ୍ ଦେବ କହିଛନ୍ତି, ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହିତ ଆୟୋଜନ କରିବା ଲାଗି ଓଡ଼ିଶା ସରକାର ବଦ୍ଧପରିକର । “ଆମେ ଏହି ଷ୍ଟାଡ଼ିୟମରେ ଏଥିଲାଗି ନିର୍ମିତ ହେବାକୁ ଥିବା ଆବଶ୍ୟକୀୟ ଭିତ୍ତିଭୂମି ଆଗାମୀ ୨୦୨୦ ପ୍ରଥମ କିଛିମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ପ୍ରଚେଷ୍ଟା କରୁଛୁ,” ବୋଲି ସେ କହିଛନ୍ତି ।

ଏଲଓସି ପକ୍ଷରୁ ଟୁର୍ଣ୍ଣାମେଣ୍ଟଡ଼ାଇରେକ୍ଟର ରୋମା ଖାନ୍ନା ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଛନ୍ତି, “ଷ୍ଟାଡ଼ିୟମର ଆହୁରି ଅନେକ ଭିତ୍ତିଭୂମି ନିର୍ମାଣ ହେବାକୁ ରହିଥିଲେ ମଧ୍ୟ ଆମର ଭୁବନେଶ୍ୱର ଉପରେ ଆସ୍ଥା ଓ ଭରସା ରହିଛି ଏହା ଠିକ୍ ସମୟରେ ନିର୍ମିତ ହୋଇପାରିବ । ମହିଳା ଫୁଟବଲର ବିକାଶ ଲାଗି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । ରାଜ୍ୟ ସରକାର ଏଥିଲାଗି ନେଇଥିବା ସମସ୍ତ ପଦକ୍ଷେପକୁ ଆମେ ଉଚ୍ଚ ପ୍ରଶଂସା କରୁଛୁ । ମହିଳା ଫୁଟବଲର ବିକାଶ ନିମନ୍ତେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ,” ବୋଲି କହିଛନ୍ତି ରୋମା ।

ଏହି ବିଶ୍ୱକପ ଆୟୋଜନ ଲାଗି ଭାରତର କୋଲକାତା ଏବଂ ଗୌହାଟୀ ପରେ ଓଡ଼ିଶାର ଭୁବନେଶ୍ୱରକୁ ଫିଫା ଏଲଓସି ୩ୟ ଭେନ୍ୟୁ ଭାବେ ଚୟନ କରିଛନ୍ତି । ଏହି ପ୍ରତିନିଧି ଦଳ ଶନିବାର ଦିନ ଅହମ୍ମଦାବାଦ ଗସ୍ତ କରିବେ ।

Leave A Reply

Your email address will not be published.