Latest Odisha News

BREAKING NEWS

୫୦ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ, ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ

ଭୁବନେଶ୍ବର: ଦୀର୍ଘ ୫୦ ବର୍ଷର ଜମିଜମା ସମସ୍ୟାର ଖୁବ ଶୀଘ୍ର ହେବ ସମାଧାନ । ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟରେ ହେବ ପଟ୍ଟା ବଣ୍ଟନ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ମିଳିବ ଜମିପଟ୍ଟା । ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ମଧ୍ୟ ହେବ ସମାଧାନ । ଅନ୍ୟପଟେ ଲଖନପୁରର ୯୦୦ ପରିବାର ହେବେ ଉପକୃତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପାଣ୍ଡିଆନ ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଲଖନପୁର ତହସିଲର ୧୮ ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ ଏହିପରି ୧୯ ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜିର ବୈଠକରୁ ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ ଟି ଗାଁର ବିସ୍ଥାପିତ ମାନଙ୍କୁ ପଟ୍ଟା ବଣ୍ଟନ କରିବେ । ଏହି ଗାଁ ଗୁଡିକ ହେଲା ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା । ଏହି ୭ଟି ଗ୍ରାମରେ ପ୍ରାୟ ୯୦୦ଟି ପରିବାର ପଟ୍ଟା ପାଇବେ ।
ସେହିପରି ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ, ଉଭୟ ଘରବାଡି ଓ ଚାଷଜମି ପଟ୍ଟା ମଧ୍ୟ ମୁଖ୍ୟମନ୍ତ୍ରୀ ଡିସେମ୍ବର ୧୪ ତାରିଖ ଦିନ ବଣ୍ଟନ କରିବେ । ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ଜାନୁଆରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ ।

ପୁରୀ ଜିଲ୍ଲାରେ ଖାସମାହାଲ ଜମି ସମସ୍ୟାର ସମାଧାନ ରାଜସ୍ବ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଲିଜ୍‌ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ହୋଇଥିବା ଲିଜ୍‌କୁ ନିୟମିତ କରାଯିବ । ଏଥିପାଇଁ ସରକାର ଉପଯୁକ୍ତ ପରିମାଣର ଦେୟ ଧାର୍ଯ୍ୟ କରି ଲିଜ୍‌ ଧାରୀଙ୍କ ଠାରୁ ଆଦାୟ କରିବେ । ଏହି ସମସ୍ତ କାର୍ଯ୍ୟ ପାଇଁ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ ।

ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ଭେକୁ ତ୍ବରାନ୍ବିତ କରିବା ପାଇଁ ଏହାର ଆଇନଗତ ସମୟସୀମାକୁ କମ୍‌ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଅଧିକ ରାଜସ୍ବ କ୍ଷେତ୍ରାଧିକାରୀ ମାନଙ୍କୁ ନିୟୋଜିତ କରାଯାଇ ୨୦୨୪ ମାର୍ଚ୍ଚ ସୁଦ୍ଧା ସର୍ଭେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଞ୍ଜନ ବାରିକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ତଥା ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.