Latest Odisha News

BREAKING NEWS

ଆରମ୍ଭ ହେଲା ଜନ ସହାୟତା କେନ୍ଦ୍ର: ଫୋନରେ ମିଳିବ ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ପରାମର୍ଶ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲାରେ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ । ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଂଗଠନମାନେ ମିଳିତ ଭାବେ ଏକ ଜନ ସହାୟତା କେନ୍ଦ୍ର ଆରମ୍ଭ କରି ଏକ ନିଶୁଳ୍କ ନମ୍ବର ଜାରି କରିଛନ୍ତି ।

ଏହି କେନ୍ଦ୍ରର ନିଶୁଳ୍କ ନମ୍ବର ୮୮୮୦୫୯୨୫୯୨କୁ ଜନ ସାଧାରଣ ସକାଳ ୧୦ ରୁ ସନ୍ଧ୍ୟା ୫ ଟା ଭିତରେ ଫୋନ୍ କରି କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପରାମର୍ଶ ପାଇପାରିବେ ବୋଲି ସୂଚନା ଦିଆଯାଇଛି ।

  •  ଜନସାଧାରଣଙ୍କ ପାଇଁ ନିଶୁଳ୍କ ନମ୍ବର ୮୮୮୦୫୯୨୫୯୨ ଜାରି
  •  ଫୋନ କଲେ ମିଳିବ କରୋନା ସମ୍ପର୍କିତ ସୁବିଧା ଓ ସୁଯୋଗ
  •  ମିଳିବ ସ୍ୱାସ୍ଥ୍ୟ ଓ ମାନସିକ ସମସ୍ୟା ସମ୍ପର୍କିତ ପରାମର୍ଶ
  •  ସକାଳ ୧୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ ନମ୍ବର

ଉକ୍ତ ନମ୍ବରକୁ ଫୋନ କରି ରାଜ୍ୟର ଜନସାଧାରଣ କରୋନା ଭୂତାଣୁ ସମ୍ପର୍କିତ ସଠିକ୍ ସୂଚନା ସହ ଏହି ଅସାଧାରଣ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ସୁବିଧା ଓ ସୁଯୋଗ ସମ୍ପର୍କରେ ତଥ୍ୟ ମଧ୍ୟ ମିଳିପାରିବ । ଏହା ସହ ମାନସିକ ଚାପ ହ୍ରାସ ପାଇଁ ପରାମର୍ଶ ଓ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏହି ଫୋନ୍ ଯୋଗେ ବିଶେଷଜ୍ଞମାନେ ସହଯୋଗ କରିପାରିବେ ବୋଲି ଆୟୋଜକମାନଙ୍କ ସୂତ୍ରରୁ ପ୍ରକାଶ ।

ଅଧୁନା ଚାଲିଥିବା ତାଲାବନ୍ଦ ପରିସ୍ଥିତିରେ ଅନେକ ଲୋକ ମାନସିକ ଚାପର ଶୀକାର ହେଉଛନ୍ତି ଓ ସେମାନଙ୍କୁ ପରାମର୍ଶ ବା କାଉନ୍‌ସେଲିଂର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ପେଷାଗତ ମାନସିକ ସମସ୍ୟା ପରାମର୍ଶଦାତା ବା କାଉନ୍‌ସେଲର୍ ସେମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି । ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ । ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଶୁଣି ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ଏହି ଜନ ସହାୟତା କେନ୍ଦ୍ରରେ ବ୍ୟବସ୍ଥା ରହିଛି ବୋଲି ଜଗଦାନନ୍ଦ ସୂଚନା ଦେଇଛନ୍ତି ।

ଏହି ଜନ ସହାୟତା କେନ୍ଦ୍ରକୁ ସପ୍ତାହର ସାତ ଦିନ ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟବାସୀ ଫୋନ୍ କରିପାରିବେ । ସିୱାଇଏସ୍‌ଡି ନିଜ ସହଯୋଗୀ ଅନୁଷ୍ଠାନ ହ୍ୟୁମାନ୍ କନ୍‌ଟେକସ୍ଟ, ହେଲ୍‌ଥ ବୁଟ୍ ଓ ଆଇନାଙ୍କ ଦ୍ୱାରା ଏହି ସହାୟତା କେନ୍ଦ୍ରଟିକୁ ପରିଚାଳନା କରାଯାଉଛି ।

Leave A Reply

Your email address will not be published.