ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ଆହୁରି ଦକ୍ଷ ହେବ ପୁଲିସ: ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ
ଭୁବନେଶ୍ୱର: ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ଆଉ ପାଦେ ଆଗକୁ ବଢ଼ିଛି। ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ଓ NFSU କ୍ୟାମ୍ପସ ନିର୍ଦ୍ଦେଶିକା, ଡ଼ଃ ପୁରବୀ ପୋଖରିୟାଲ MoU ସ୍ଵାକ୍ଷର କରିଥିଲେ। ପରେ ଡିଜିପି ଶ୍ରୀ ଖୁରାନିଆ “ସାଇବର ଅପରାଧ ତଦନ୍ତ ଏବଂ ଡିଜିଟାଲ ଫରେନ୍ସିକ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଡିଜିପି ଖୁରାନିଆ ଏହି ଚୁକ୍ତିକୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ପାଞ୍ଚବର୍ଷିଆ ବୁଝାମଣାପତ୍ର ଉଭୟ ଅନୁଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଯୋଗୁଁ ରାଜ୍ୟର ସାଇବର ପୁଲିସିଂ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ ।
ଡିଜିପି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଅପରାଧର ରୂପରେଖକୁ ଗୁରୁତ୍ୱାରୋପ କରିଛନ୍ତି । ପ୍ରାୟ ପ୍ରତ୍ୟେକ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ନିବେଶ ଠକେଇ ଏବଂ “ଡିଜିଟାଲ ଗିରଫ” ଭଳି ସାଇବର ଅପରାଧ କ୍ରମାଗତ ଭାବେ ବଢ଼ୁଥିବାବେଳେ ନୂତନ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି। ତେଣୁ ଇଲେକ୍ଟ୍ରୋନିକ୍ ପ୍ରମାଣର ସଠିକ୍ ଜବତ, ସଂରକ୍ଷଣ ଓ ପରିଚାଳନା ପ୍ରତ୍ୟେକ ପୋଲିସ ଅଧିକାରୀଙ୍କର ମୌଳିକ ଦକ୍ଷତା ହେବା ଆବଶ୍ୟକ । ଏନଏଫଏସୟୁ ସହ ବୁଝାମଣାପତ୍ର କେବଳ ପ୍ରଶିକ୍ଷଣରେ ସୀମିତ ନରହି ଅପରାଧସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତ୍ତିଭୂମିର ବିକାଶ ଓ ବୈଷୟିକ ପରାମର୍ଶ ଭଳି ବହୁ କ୍ଷେତ୍ରକୁ ସାମିଲ କରିବା ଦିଗରେ ଡିଜିପି ଗୁରୁତ୍ଵାରୋପ କରିଥିଲେ ।
ଡିଜିପି ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି । ୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଞ୍ଚର ମୋଟ ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରତ୍ୟେକ ବ୍ୟାଚରେ ୩୦ ଜଣ ଅଂଶଗ୍ରହଣ କରିବେ ଏବଂ କନଷ୍ଟେବଲ୍ ଠାରୁ ଡିଏସପି ପର୍ଯ୍ୟନ୍ତ ଅଧିକାରୀମାନେ ଏହି ପ୍ରଶିକ୍ଷଣରେ ସାମିଲ ହେବେ। ୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ ଏନଏଫ୍ଏସୟୁରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତ୍ତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପ୍ଲେକ୍ସରେ ପ୍ରଶିକ୍ଷଣ ଦିଆଯିବ । ଏଥିରୁ ତାଲିମ ନେଉଥିବା ଅଧିକାରୀମାନେ ନିଜ ସହକର୍ମୀଙ୍କୁ ଜ୍ଞାନ ବାଣ୍ଟିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।