Latest Odisha News

BREAKING NEWS

ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ଭୁବନେଶ୍ଵର ୫ଟି ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ଵର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ହୋଲି ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବ୍ୟାପକ ପ୍ରସ୍ତୁତି । ସେପଟେ ହୋଲିକୁ ଦୃଷ୍ଟିରେ ରଖି ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ଭୁବନେଶ୍ଵରର ୫ଟି ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସଜାଗ ରହିଛନ୍ତି କମିଶନରେଟ ପୋଲିସ ।

ସାଧାରଣତଃ ରଙ୍ଗ ଖେଳ ପରେ ଲୋକମାନେ ଗାଧୋଇବା ପାଇଁ ପୋଖରି, ନଦୀକୁ ଯାଇଥାଆନ୍ତି । କିନ୍ତୁ ସାମାନ୍ୟ ଅସାବଧାନତା କାରଣରୁ ବେଳେ ବେଳେ ଅନେକ ଅଘଟଣ ମଧ୍ୟ ଘଟିଥାଏ । ଏହି ଅଘଟଣ ରୋକିବାକୁ ଭୁବନେଶ୍ୱରର ୫ଟି ସ୍ଵତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । କୁଆଖାଇ ନଦୀ, ଦୟା ନଦୀ, ପୁରୀ କେନାଲ, ବାଲିପାଟଣା ଅନ୍ତର୍ଗତ ଦୟାନଦୀ ଓ ବାଲିପାଟଣା ସାଇପନ ନିକଟରେ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ୍ ସହ ପ୍ରସ୍ତୁତ ରହିଛି ଫାୟାର ଟିମ ।

ସେପଟେ ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ । ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସେହିପରି ହୋଲି ସମୟରେ ମହିଳା ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛି କମିଶନରେଟ ପୋଲିସ । ଏକୁଟିଆ ବୁଲୁଥିବା ଯୁବତୀ ବା ମହିଳାଙ୍କୁ କମେଣ୍ଟ ମାରିଲେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସ୍ବତନ୍ତ୍ର ମହିଳା ଏସପି ଓ ମହିଳା ଟିମ୍ ବୁଲିବେ । ଏନେଇ ସମସ୍ତ ମହିଳା ଏସପିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ମହିଳାଙ୍କ ପାଇଁ ଥିବା ସ୍ବତନ୍ତ୍ର ନେଟୱର୍କ ଜରିଆରେ ସହରର ବିଭିନ୍ନ ସ୍ଥାନରେ ମହିଳାଙ୍କ ସୁରକ୍ଷା ନେଇ ଧ୍ୟାନ ଦିଆଯିବ । ଯେଉଁଠି ମହିଳାଙ୍କ ସହ କିଛି ଅଘଟଣା ଘଟିବ ତୁରନ୍ତ କଣ୍ଟ୍ରୋଲ ରୁମ୍ ବା ପୋଲିସର ସହାୟତା ନେଇପାରିବେ ।

Leave A Reply

Your email address will not be published.