Latest Odisha News

BREAKING NEWS

ବ୍ରାଉନସୁଗାର ମାଫିଆ ସୋମନାଥକୁ ୫ ରାଉଣ୍ଡ ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୋର୍ଦ୍ଧାର କୁଖ୍ୟାତ ଅପରାଧୀ ତଥା ବ୍ରାଉନସୁଗାର ମାଫିଆ ସୋମନାଥ ଭୂଜବଳକୁ ଗୁଳିମାଡ଼। ରାତିରେ ପିକ୍ଅପ୍ ଭ୍ୟାନରେ ଆସି ୫ ରାଉଣ୍ଡ ଗୁଳି ଫୁଟାଇଲେ ଅଜଣା ଦୁର୍ବୃତ୍ତ। ଘଟଣାସ୍ଥଳରୁ ତିନିଟି ଖୋକା ଜବତ କରିଛି ପୋଲିସ। ତେବେ ସୋମନାଥକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ବେଳେ ସୋମନାଥ ଓ ତା’ର ଦୁଇ ସାନଭାଇ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିଲେ। ଠେଙ୍ଗାହାଟ ଦୋଳପଡ଼ିଆ ନିକଟରେ ଏକ ଦୋକାନରୁ ସୋମନାଥ ଲଫାଫା କିଣୁଥିବା ସମୟରେ ତା’ର ମୋବାଇଲ୍‌କୁ କଲ୍ ଆସିଥିଲା। ବାଣ ଫୁଟୁଥିବାରୁ ସେ ଦୋକାନ କଡ଼କୁ ଯାଇ କଥା ହେଉଥିବା ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ସେଠାରେ ପହଞ୍ଚି ସୋମନାଥ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। କେହି ଦୁର୍ବୃତ୍ତ ଗୁଳିକାଣ୍ଡ କରି ଘଟଣାସ୍ଥଳରୁ ଫେରାର ଅଛି। ଆଖପାଖ ଲୋକ ବାଣଫୁଟୁଥିବା ଶବ୍ଦ ପାଇଁ ଗୁଳିମାଡ଼ କଥା ପ୍ରଥମେ ଜାଣିପାରିନଥିଲେ, କିନ୍ତୁ ସୋମନାଥ ଯେତେବେଳେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଦୌଡ଼ିବା ସହ ଚିତ୍କାର କଲା, ସେତେବେଳେ ଲୋକେ ଏକଥା ଜାଣିପାରିଥିଲେ। ତୁରନ୍ତ ସୋମନାଥକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା।

ଏନେଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ଯେ ସେ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିକାଣ୍ଡର କାରଣ ଓ ଦୁର୍ବୃତ୍ତଙ୍କ ସଂପର୍କରେ ତଦନ୍ତ କରାଯାଉଛି। ସେହିପରି ସୋମନାଥର ଡାହାଣ ହାତ, ଛାତି, ପେଟ ଆଦିରେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୨୧ରେ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରାଙ୍କ ନେତୃତ୍ବରେ ସୋମନାଥର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଥିଲା। ସୋମନାଥ ବିରୋଧରେ ବ୍ରାଉନ୍‌ସୁଗାର୍‌ କାରବାର, ବେଆଇନ ବନ୍ଧୁକ ରଖିବା, ଦୁଷ୍କର୍ମ ଆଦି ଅପରାଧରେ ପୁରୀରେ ୨ଟି ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୧୨ଟି ମାମଲା ରହିଛି। ଏହା ମଧ୍ୟରୁ ୫ଟି ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ବେଳେ ବଳକା ମାମଲାରେ ସେ ଜାମିନ ପାଇଛି।

Leave A Reply

Your email address will not be published.