Ukraine Peace Talk: ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ଆମେରିକା ମଧ୍ୟସ୍ଥତାରେ UAEରେ ବଡ଼ ବୈଠକ, ଯୁଦ୍ଧ ବନ୍ଦ ନେଇ ଏମିତି କହିଲେ ଜେଲେନସ୍କି…
ନୂଆଦିଲ୍ଲୀ: ଦୀର୍ଘ ବର୍ଷର ଯୁଦ୍ଧର ଅନ୍ତ ହେବ କି? ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ? ଏବେ ସାରା ବିଶ୍ୱର ନଜର UAE ଉପରେ। ଯୁଦ୍ଧ ଶେଷ କରିବା ଉଦ୍ଦେଶ୍ୟରେ ଆମେରିକାର ମଧ୍ୟସ୍ଥତାରେ ଆବୁଧାବିରେ ଆରମ୍ଭ ହୋଇଛି ରୁଷ୍, ୟୁକ୍ରେନ୍ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା। ଦୁଇ ଦିନିଆ ବୈଠକର ପ୍ରଥମ ଦିନରେ ପ୍ରାୟ ସାଢ଼େ ୪ ଘଣ୍ଟା ଧରି ଆଲୋଚନା ହୋଇଛି। ଯୁଦ୍ଧବିରତି, ୟୁକ୍ରେନ୍ର ସୁରକ୍ଷା ଗ୍ୟାରେଣ୍ଟି ଏବଂ ଆଞ୍ଚଳିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇଛି। ଏହି ଆଲୋଚନାରେ ରୁଷ୍ ପକ୍ଷରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ଭ୍ଲାଦିମିର ମେଡିନସ୍କି ନେତୃତ୍ୱ ନେଉଛନ୍ତି। ଅନ୍ୟପଟେ ଆମେରିକା ପକ୍ଷରୁ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ ମଧ୍ୟସ୍ଥତା କରୁଛନ୍ତି। ଗତ ଫେବ୍ରୁଆରୀ ପରେ ଏହା ଏଭଳି ପ୍ରଥମ ତ୍ରିପାକ୍ଷିକ ବୈଠକ ।
ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ରୁଷ୍ ଓ ୟୁକ୍ରେନ୍ ଉଭୟ ଦେଶ ଯୁଦ୍ଧରେ ଥକି ପଡ଼ିଲେଣି ଏବଂ ଏବେ ଯୁଦ୍ଧବିରତି ଚାହୁଁଛନ୍ତି। ଉଭୟ ଦେଶକୁ ଗୋଟିଏ ଟେବୁଲ୍କୁ ଆଣିବାରେ ସେ ସକ୍ଷମ ବୋଲି ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି। ଏହି ଯୁଦ୍ଧରେ ପ୍ରତି ମାସରେ ପ୍ରାୟ ୨୫ ହଜାର ଲୋକଙ୍କ ଜୀବନ ଯାଉଥିବା କଥା କହି ଯୁଦ୍ଧର ଅନ୍ତ ହେବା ଜରୁରୀ ବୋଲି ସେ ମତ ରଖିଛନ୍ତି। ତେବେ ଏହି ମୁଖ୍ୟ ଆଲୋଚନାରେ କୌଣସି ୟୁରୋପୀୟ ଦେଶର ପ୍ରତିନିଧି ସାମିଲ ହୋଇନାହାନ୍ତି। ଫ୍ରାନ୍ସ, ଜର୍ମାନୀ ଓ ନାଟୋର ପ୍ରତିନିଧିମାନେ ୟୁକ୍ରେନ୍ର ପ୍ରତିନିଧିମଣ୍ଡଳୀ ସହ ଅଲଗା ଭାବେ ଆଲୋଚନା କରିବା ପାଇଁ ଆବୁଧାବିରେ ଉପସ୍ଥିତ ଅଛନ୍ତି।
ଅନ୍ୟପଟେ ଆଲୋଚନା ପୂର୍ବରୁ ତୁରନ୍ତ ଯୁଦ୍ଧବିରତି ପ୍ରସ୍ତାବକୁ ଖାରଜ କରିଛି ରୁଷ୍। ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଆଗକୁ କ’ଣ ହେବ ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ରୁଷ୍ ତୁରନ୍ତ ଯୁଦ୍ଧବିରତିରେ ରାଜି ହୋଇପାରିବ ନାହିଁ। ତେବେ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ସଂଘର୍ଷଠାରୁ ଭଲ ବୋଲି ସେ କହିଛନ୍ତି। ଉଭୟ ଦେଶ ଓ ସମଗ୍ର ଅଞ୍ଚଳର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗକୁ ମଧ୍ୟ ଆଲୋଚନାରେ ଗୁରୁତ୍ୱ ଦିଆଯାଉଛି।
ଯୁଦ୍ଧ ଶେଷ କରିବା ରାସ୍ତାରେ ସବୁଠାରୁ ବଡ଼ ବାଧା ହେଉଛି ଉଭୟ ଦେଶର ଭିନ୍ନ ଭିନ୍ନ ସର୍ତ୍ତ। ରୁଷ୍ ରାଷ୍ଟ୍ରପତି ପୁଟିନ ଦାବି କରୁଛନ୍ତି ଯେ ୟୁକ୍ରେନ୍ ଡୋନେତସ୍କ, ଲୁହାନସ୍କ, ଜାପୋରିଝିଆ ଓ ଖେରସନ୍ ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ। ଏହି ଚାରିଟି ଅଞ୍ଚଳକୁ ରୁଷ୍ ୨୦୨୨ ସେପ୍ଟେମ୍ବରରେ ନିଜ ଦେଶରେ ମିଶାଇଥିବା ଘୋଷଣା କରିଥିଲା। ତେବେ ଏହି ସମସ୍ତ ଅଞ୍ଚଳ ଉପରେ ରୁଷ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିପାରିନାହିଁ। ଏହାବ୍ୟତୀତ ୟୁକ୍ରେନ୍ ନାଟୋରେ ସାମିଲ ହେବା ଉଦ୍ୟମ ଛାଡ଼ିବା, ନିଜ ସେନା ଉପରେ କଟକଣା ଗ୍ରହଣ କରିବା ଏବଂ ରୁଷୀୟ ଭାଷା ଓ ମସ୍କୋ ସହ ଜଡ଼ିତ ଅର୍ଥୋଡକ୍ସ ଚର୍ଚ୍ଚ ଉପରେ ଥିବା କଟକଣା ହଟାଇବାକୁ ମଧ୍ୟ ରୁଷ୍ ଦାବି କରୁଛି। କିନ୍ତୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଟିନଙ୍କ ଏହି ସର୍ତ୍ତକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ଯେଉଁ ଅଞ୍ଚଳକୁ ରୁଷ୍ ଯୁଦ୍ଧ କରି ମଧ୍ୟ ସମ୍ପୂର୍ଣ୍ଣ ଦଖଲ କରିପାରିନାହିଁ, ସେହି ଅଞ୍ଚଳକୁ ୟୁକ୍ରେନ୍ ନିଜ ଇଚ୍ଛାରେ ଛାଡ଼ିବ ନାହିଁ ବୋଲି ଜେଲେନସ୍କିଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି।
ତେଣୁ ଆବୁଧାବିରେ ଚାଲିଥିବା ଏହି ଦୁଇ ଦିନିଆ ବୈଠକ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଯୁଦ୍ଧବିରତି ନେଇ କୌଣସି ସହମତି ହେବ କି? ନା ରୁଷ୍ ଓ ୟୁକ୍ରେନ୍ର ସର୍ତ୍ତ ମଧ୍ୟରେ ଫସି ରହିବ ଶାନ୍ତି ପ୍ରକ୍ରିୟା? ଏହାର ଉତ୍ତର ମିଳିବ ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟରେ।
