Latest Odisha News

BREAKING NEWS

ରଥ ନିର୍ମାଣ ଲାଗି ପୁରୀରେ ପହଞ୍ଚିଲା ରଥ କାଠ

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀକୁ ପଠା ଯାଇଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ ଆଜି ନୟାଗଡ଼ ବନଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥକାଠ ପୂଜା କରାଯାଇ ପୁରୀକୁ ରଥ କାଠ ପଠାଯାଇଛି ।

ପୁରୀକୁ ରଥକାଠ ପରିବହନ ପାଇଁ ଗତ ମାସ ୧୧ ତାରିଖ ଦିନ ମହାପ୍ରଭୁଙ୍କ ଆଜ୍ଞା ମାଳ ଧରି ନୟାଗଡ଼ରେ ପହଞ୍ଚିଥିଲେ ପୁରୀର ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବରିଷ୍ଠ କେୟାର ଟେକର ସୁଦର୍ଶନ ମେକାପ, ଅମିନ ମହାରଣା, ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ଅଙ୍କିତ କୁମାର ସାହୁଙ୍କ ୫ ଜଣିଆ ପ୍ରତିନିଧି ଦଳ । ଆଜି ଗଣିଆ ବ୍ଲକ ବଡ଼ମୂଳର ବଡ଼ ରାଉଳଙ୍କ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ରଥକାଠ ଦଶପଲ୍ଲା ବନାଞ୍ଚଳରୁ ସଂଗ୍ରହ କରାଯାଇଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ପାଇଁ ୭୯୬ ଖଣ୍ଡ କାଠ ଆବଶ୍ୟକ ରହିଛି । ଏଥିପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ୧୮୦ ଖଣ୍ଡ କାଠ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି । ନୟାଗଡ଼ରୁ ପୁରୀକୁ ପରିବହନ ହେବାକୁ ଥିବ ରଥକାଠ ମଧ୍ୟରେ ରହିଛି ଆସନ, ଧଉରା, ଫାଶୀ ଓ ଶିମିଳି ଭଳି କାଠ ।

Leave A Reply

Your email address will not be published.