ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍: ଭାରତୀୟ ରାଜନୀତିର କ୍ୟାନଭାସ୍ରୁ ଶେଷରେ ଲିଭିଯାଇଛି ଲାଲ୍ ରଙ୍ଗ। ଯେଉଁ ବାମପନ୍ଥୀ ବିଚାରଧାରା ଦିନେ ଦେଶର ଏକାଧିକ ରାଜ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଏବଂ କେନ୍ଦ୍ରରେ ‘କିଙ୍ଗମେକର୍’ ଭୂମିକା ତୁଲାଉଥିଲା, ତାହା ଆଜି ନିଜର ଶେଷ ଗଡ଼ ମଧ୍ୟ ହରାଇ ବସିଛି। ଆନ୍ତର୍ଜାତିକ ନ୍ୟୁଜ୍ ପୋର୍ଟାଲର ଏକ ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ, ଦୀର୍ଘ ୫ ଦଶନ୍ଧି ବା ଅର୍ଦ୍ଧ ଶତାବ୍ଦୀ ପରେ ପ୍ରଥମ ଥର ପାଇଁ ଭାରତର କୌଣସି ବି ରାଜ୍ୟରେ ଏବେ ବାମପନ୍ଥୀ ସରକାର ନାହାନ୍ତି। କେରଳ ବିଧାନସଭା ନିର୍ବାଚନ ୨୦୨୬ର ଫଳାଫଳ ବାମପନ୍ଥୀଙ୍କ କଫିନ୍ରେ ଶେଷ କଣ୍ଟା ପିଟିଦେଇଛି।
ଭାରତରେ ବାମପନ୍ଥୀ ବା କମ୍ୟୁନିଷ୍ଟ ପାର୍ଟି (ବିଶେଷ କରି ସିପିଆଇଏମ୍) ର ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ଓ ଗୌରବମୟ ରହିଆସିଛି। ପଶ୍ଚିମବଙ୍ଗରେ ରେକର୍ଡ ୩୪ ବର୍ଷ ଧରି କ୍ଷମତାରେ ରହିବା ପରେ ୨୦୧୧ରେ ମମତା ବାନାର୍ଜୀଙ୍କ ଝଡ଼ରେ ସେମାନଙ୍କର ପତନ ଘଟିଥିଲା। ଏହା ପରେ ୨୦୧୮ରେ ଦ୍ୱିତୀୟ ବୃହତ୍ତମ ଗଡ଼ ତ୍ରିପୁରାରେ ମଧ୍ୟ ବିଜେପି ସେମାନଙ୍କୁ କ୍ଷମତାଚ୍ୟୁତ କରିଥିଲା। ଏହାପରେ କେବଳ କେରଳ ହିଁ ସେମାନଙ୍କର ଶେଷ ଏବଂ ଏକମାତ୍ର ଆଶ୍ରୟସ୍ଥଳୀ ସାଜିଥିଲା। ଏଲ୍ଡିଏଫ୍ (LDF) ମେଣ୍ଟ ଜରିଆରେ କେରଳରେ ବାମପନ୍ଥୀମାନେ ଲଗାତାର ଦୁଇଟି ପାଳି ସଫଳତାର ସହ ଶାସନ କରିଥିଲେ। ହେଲେ ୨୦୨୬ ନିର୍ବାଚନରେ କେରଳର ସଚେତନ ଭୋଟର ମଧ୍ୟ ‘ପରିବର୍ତ୍ତନ’ ସପକ୍ଷରେ ମତଦାନ କରିଛନ୍ତି।
କେରଳରେ ବାମପନ୍ଥୀ ସରକାରଙ୍କ ପତନ ପଛରେ ଅନେକ ଗୁଡ଼ିଏ କାରଣ ରହିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଲଗାତାର ୧୦ ବର୍ଷ କ୍ଷମତାରେ ରହିବା କାରଣରୁ ସରକାର ବିରୋଧରେ ଜନଆକ୍ରୋଶର ରୂପ ନେଇଥିଲା। ଏଥିସହ ରାଜ୍ୟର ବିପର୍ଯ୍ୟସ୍ତ ଅର୍ଥନୀତି, ବଢ଼ୁଥିବା ବେକାରୀ ସମସ୍ୟା ଏବଂ କିଛି ଦୁର୍ନୀତି ଅଭିଯୋଗ ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରିଥିଲା। ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ର କଡ଼ା ଟକ୍କର ଏବଂ ବିଜେପିର ଆକ୍ରାତ୍ମକ ପ୍ରଚାର ଯୋଗୁଁ ବାମପନ୍ଥୀଙ୍କ ପାରମ୍ପରିକ ଭୋଟ୍ ବ୍ୟାଙ୍କରେ ବଡ଼ ଧରଣର ବିଭାଜନ ଦେଖିବାକୁ ମିଳିଥିଲା।
ରିପୋର୍ଟ ଅନୁସାରେ, ଏହି ପରାଜୟ କେବଳ ଏକ ନିର୍ବାଚନୀ ହାର୍ ନୁହେଁ, ବରଂ ଏହା ଭାରତରେ ବାମପନ୍ଥୀ ଆନ୍ଦୋଳନ ପାଇଁ ଏକ ବଡ଼ ‘ଅସ୍ତିତ୍ୱ ସଙ୍କଟ’ ସୃଷ୍ଟି କରିଛି। ସାମ୍ପ୍ରତିକ ପୁଞ୍ଜିବାଦୀ ଓ ରାଷ୍ଟ୍ରବାଦୀ ରାଜନୀତି ଆଗରେ ନିଜକୁ ପ୍ରାସଙ୍ଗିକ ରଖିବାରେ ବାମପନ୍ଥୀମାନେ ବାରମ୍ବାର ବିଫଳ ହେଉଛନ୍ତି। ଯୁବଗୋଷ୍ଠୀଙ୍କୁ ନିଜ ବିଚାରଧାରା ସହ ଯୋଡ଼ି ନପାରିବା ଏବଂ ପୁରୁଣା ନେତୃତ୍ୱ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦଳକୁ ରସାତଳଗାମୀ କରିଛି।
ଏବେ ପ୍ରଶ୍ନ ଉଠୁଛି- ବିନା କୌଣସି ରାଜ୍ୟ ସରକାରରେ ଭାରତୀୟ ରାଜନୀତିରେ ବାମପନ୍ଥୀ ଦଳଗୁଡ଼ିକ ଆଗକୁ କିପରି ତିଷ୍ଠିବେ? ଶ୍ରମିକ, କୃଷକ ଏବଂ ଶ୍ରେଣୀହୀନ ସମାଜର ସ୍ୱପ୍ନ ଦେଖାଉଥିବା ‘ଲାଲ୍ ବାନା’ ପୁଣିଥରେ ଭାରତରେ ମୁଣ୍ଡ ଟେକିବ ନା କେବଳ ଇତିହାସର ପୃଷ୍ଠାରେ ସୀମିତ ରହିଯିବ, ତାହା କେବଳ ସମୟ ହିଁ କହିବ।