ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଗତ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିବା ଦ୍ରାବିଡ଼ ଶାସନର ଏକଚାଟିଆ ଆଧିପତ୍ୟ ଶେଷରେ ଭାଙ୍ଗିଯାଇଛି। ସିଲଭର ସ୍କ୍ରିନ୍ରେ ଆକ୍ସନ୍ ହିରୋ ଭାବେ ନିଜର ଦବଦବା ଦେଖାଇବା ପରେ ଏବେ ରାଜନୀତିର ମୈଦାନରେ ଏକ ‘ମେଗା ବ୍ଲକବଷ୍ଟର’ ଏଣ୍ଟ୍ରି ମାରିଛନ୍ତି ତାମିଲ୍ ସୁପରଷ୍ଟାର ଥାଲାପତି ବିଜୟ। ସଦ୍ୟ ପ୍ରକାଶିତ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଅନୁଯାୟୀ, ବିଜୟଙ୍କ ନୂତନ ଦଳ ‘ତାମିଝାଗା ଭେଟ୍ରି କାଝାଗମ୍’ (TVK) ୧୦୭ଟି ଆସନ ଜିତି ଏକ ଐତିହାସିକ ସଫଳତା ହାସଲ କରିଛି। ଏହି ସଫଳତା ସହ ବିଜୟ ଏମିତି ଏକ ଚମତ୍କାର କରିଦେଖାଇଛନ୍ତି, ଯାହା ତାମିଲ୍ ସିନେମାର ଦୁଇ ବଡ଼ କିମ୍ବଦନ୍ତୀ- ରଜନୀକାନ୍ତ ଏବଂ କମଲ ହାସନଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୋଇପାରି ନଥିଲା।
ତାମିଲନାଡୁ ରାଜନୀତି ଏବଂ ସିନେମା ଜଗତର ସମ୍ପର୍କ ବହୁ ପୁରୁଣା। ଏମ୍.ଜି. ରାମଚନ୍ଦ୍ରନ (MGR) ଏବଂ ଜୟଲଳିତାଙ୍କ ପରେ କୌଣସି ଅଭିନେତା ମୁଖ୍ୟମନ୍ତ୍ରୀ ଚୌକି ପର୍ଯ୍ୟନ୍ତ ପହଞ୍ଚିବାରେ ଆଖିଦୃଶିଆ ସଫଳତା ପାଇନଥିଲେ। କିଛି ବର୍ଷ ତଳେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିକୁ ଆସିବାକୁ ଘୋଷଣା କରି ମଧ୍ୟ ପରେ ପଛଘୁଞ୍ଚା ଦେଇ ନିର୍ବାଚନରୁ ଓହରି ଯାଇଥିଲେ। ଅନ୍ୟପଟେ କମଲ ହାସନ ନିଜର ଦଳ ଗଠନ କରିଥିଲେ ମଧ୍ୟ ବିଶେଷ ସଫଳତା ପାଇପାରି ନଥିଲେ ଏବଂ ଶେଷରେ ୨୦୨୬ ନିର୍ବାଚନରେ ଡିଏମକେ (DMK) ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଅଭିନେତା ବିଜୟ ନିଜର ପ୍ରଥମ ରାଜନୈତିକ ଇନିଂସ୍ରେ ହିଁ ସମସ୍ତ ସମୀକରଣକୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି। ନିଜର ପ୍ରଥମ ନିର୍ବାଚନରେ ହିଁ ସେ ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ଦୁଇ ବିଶାଳ ଦ୍ରାବିଡ଼ ଦଳକୁ ପଛରେ ପକାଇ ୧୦୭ଟି ଆସନ ନିଜ ହାତମୁଠାକୁ ନେଇଛନ୍ତି।
ଏହି ନିର୍ବାଚନରେ ସବୁଠାରୁ ବଡ଼ ଖବର ହେଉଛି ଡିଏମକେ ସୁପ୍ରିମୋ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଅପ୍ରତ୍ୟାଶିତ ପରାଜୟ। ଷ୍ଟାଲିନ୍ ନିଜର ପାରମ୍ପରିକ ଏବଂ ମଜବୁତ ଗଡ଼ କୁହାଯାଉଥିବା ‘କୋଲାଥୁର’ ଆସନରୁ ଟିଭିକେ ପ୍ରାର୍ଥୀ ଭି.ଏସ୍. ବାବୁଙ୍କ ଠାରୁ ଶୋଚନୀୟ ଭାବେ ହାରିଯାଇଛନ୍ତି। ଅନ୍ୟପଟେ ବିଜୟ ନିଜେ ପେରାମ୍ବୁର ବିଧାନସଭା କ୍ଷେତ୍ରରୁ ଡିଏମକେ ପ୍ରାର୍ଥୀ ଆର୍.ଡି. ଶେଖରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଫଳାଫଳ ଅନୁଯାୟୀ ଡିଏମକେ ମାତ୍ର ୫୯ଟି ଆସନରେ ସୀମିତ ରହିଥିବା ବେଳେ ଏଆଇଏଡିଏମକେ ୪୬ଟି ଆସନରେ ସନ୍ତୁଷ୍ଟ ହୋଇଛି। ଷ୍ଟାଲିନ ଏହି ଜନାଦେଶକୁ ଗ୍ରହଣ କରିବା ସହ ତାଙ୍କ ଦଳ ଏକ ସୁଦୃଢ଼ ବିରୋଧୀ ଦଳ ଭାବେ କାମ କରିବ ବୋଲି ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛନ୍ତି।
ବିଜୟଙ୍କ ଏହି ମେଗା ବିଜୟ ପଛରେ ତାଙ୍କର ବିଶାଳ ପ୍ରଶଂସକ ଏବଂ ବିଶେଷକରି ଯୁବ ଓ ଜେନ୍ ଜି ଭୋଟରଙ୍କ ବଡ଼ ହାତ ରହିଛି। ତାମିଲନାଡୁର ଲୋକେ ପାରମ୍ପରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଏକ ନୂଆ ବିକଳ୍ପକୁ ଆପଣେଇ ନେଇଛନ୍ତି। ବର୍ତ୍ତମାନ ଟିଭିକେ ୧୦୭ ଆସନ ସହ ସର୍ବବୃହତ ଦଳ ଭାବେ ଉଭା ହୋଇଥିବାରୁ ସରକାର ଗଠନ କରିବା ନେଇ ଆଗାମୀ ମେଣ୍ଟ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅଭିନୟରୁ ଆସି ରାଜନୀତିରେ ଏଭଳି ଚମତ୍କାର କରିବା ପ୍ରକୃତରେ ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।