Latest Odisha News

BREAKING NEWS

କଲର୍ଭଟ ଭୁଶୁଡି ୫ ମୃତ ଘଟଣା: ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବିଷ ପିଇଦେଲେ ମହିଳା

ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ  ଶୋକ ପ୍ରକାଶ କରିବା ସହ ସଂପୃକ୍ତ ପରିବାରକୁ  ସହାୟତା  ଘୋଷଣା  କରିଛନ୍ତି । ମୃତକଙ୍କ  ନିକଟ ସମ୍ପର୍କୀୟଙ୍କ ପାଇଁ  ଚାରି ଲକ୍ଷ  ଟଙ୍କା ଲେଖାଏଁ ଅନୁକମ୍ପା  ସହାୟତା  ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ । ଏହି ଘଟଣାରେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣା ପାଇଁ  ଦାୟୀ  କର୍ମଚାରୀଙ୍କ  ବିରୁଦ୍ଧରେ  କଡ଼ା  କାର୍ଯ୍ୟାନୁଷ୍ଠାନ  ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଆଜି ସକାଳୁ ସକାଳୁ ଏକ  ନିର୍ମାଣଧିନ କଲଭର୍ଟର ସେଣ୍ଟରିଙ୍ଗ ଭୁଶୁଡି ପଡିଥିଲା । ଫଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘଟିଥିଲା ମୃତକମାନେ ହେଲେ  ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା। , ସୁମାନ ମିଣିଆକା (୫), ସାରନ ମିଣିଆକା(୫) ,ମୋନଜ ମିଣିଆକା (୫) ।

ରାୟଗଡାରେ ଲଗାଣବର୍ଷା ହେଉଥିବାରୁ ବ୍ରିଜ ତଳେ ୬ଜଣ  ଗାଧୋଉଥିଲେ । ଏହି ସମୟରେ ହଠାତ  ସେଣ୍ଟରିଂ  ଭୁଷୁଡି ପଡିଥିଲା ।  ଫଳରେ ସମସ୍ତେ ଏହି  ବ୍ରିଜ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ ।

ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଧାର କରିବା ସମୟରେ ୫ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା(୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣା ପରେ ଗ୍ରାମରେ  ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି।

ମନ୍ତ୍ରୀ ଜଗନ୍ନାଥ ସାରକା , ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି , ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ,ଜିଲା ଆରକ୍ଷୀ ବିବେକାନନ୍ଦ ଶର୍ମା , ଏସ ଡିପିଓ ଆର ସେନାପତି  ,ବିଡ଼ିଓସୁନିଲ ଖରା ,ତହସିଲଦାର ସୁଧାକର ରଇତ ,ଥାନା ଅଧିକାରୀ ସୁମନ୍ତି ମହାନ୍ତି ,ଅଗ୍ନିଶମ ବିଭାଗ ଅଧିକାରୀ  ବଳରାମ ବେହେରା ଘଟଣା ସ୍ଥଳରେ ପହଞ୍ଚି  ମୃତ୍ୟୁ ପରିବାରକୁ ସମବେଦନା ଜଣାଇଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି କଲ୍ୟାଣସିଂହପୁର  ଥାନା ଅଧିକାରୀ।

ଅନ୍ୟ ପଟେ ସ୍ୱାମୀ  ଲକ୍ଷ୍ମୀଧର  ଓ ପୁଅ ପ୍ରିନ୍ସ ଙ୍କ ମୃତ୍ୟୁ ଖବରକୁ ସହ୍ୟ କରିପାରି ନାହାନ୍ତି  ସ୍ତ୍ରୀ  ଦୀପାଇ  ।  ସେ ମଧ୍ୟ ବିଷ ପାନ କରି ଗୁରୁତର ହୋଇଥିଲେ ।   ଦିପାଇଙ୍କୁ ପୁଲିସ   ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ଦିନ ଧରି ନିର୍ମାଣ ଚାଲିଥିବା ଏହି କଲଭର୍ଟର ସେଟରିଂ ମଧ୍ୟ ଖୋଲା ଯାଇନଥିଲା । ଏପରିକି ଅଧା କାମ କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଭୁଶୁଡି ପଡିଛି କଲର୍ଭଟ ତାର ଅନୁଧ୍ୟାନ ଚାଲିଛି ।

Leave A Reply

Your email address will not be published.