Latest Odisha News

ବିଦାୟ ୨୦୧୯: ଓଡ଼ିଶାର ଛାତିକୁ ଥରାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନୀ-ବୁଲବୁଲର ବିଭୀଷିକା !

ଭୁବନେଶ୍ୱର: ୨୦୧୯ ବର୍ଷ ଓଡ଼ିଶା ଲାଗି ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହିବର୍ଷ ଓଡ଼ିଶାକୁ ସାମ୍ନା କରିବାକୁ ପଡ଼ିଥିଲା ଦୁଇଟି ଭୟଙ୍କର ବାତ୍ୟା । ମେ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହା ମନରୁ ନ’ଲିଭୁଣୁ  ନଭେମ୍ବର ମାସରେ ଆଉ ଏକ ବାତ୍ୟାର ସାମ୍ନା କରିବାକୁ ପଡ଼ିଥିଲା ଓଡ଼ିଶାକୁ ।

ଫନୀ ବାତ୍ୟା ପ୍ରଭାବରେ ଭୁବନେଶ୍ୱର ଓ ପୁରୀ ପାଲଟିଲା ଧ୍ୱଂସସ୍ତୁପ:

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହର ଫନୀ ବାତ୍ୟା ପ୍ରଭାବରେ ଧ୍ୱଂସସ୍ତୁପ ପାଲଟିଯାଇଥିଲା । ସୁନ୍ଦର ଭୁବନେଶ୍ୱର ନଗରୀ ପାଲଟିଥିଲା ଶ୍ରୀହୀନ । ରାଜଧାନୀ ସମେତ ଓଡ଼ିଶାରେ ଲକ୍ଷ ଲକ୍ଷ ଗଛ ମାଟିରେ ଲୋଟି ପଡ଼ିବା ସହିତ ଭାଙ୍ଗିରୁଜି ଯାଇଥିଲା ହଜାର ହଜାର ବାସଗୃହ । ହଜାର ହଜାର ଗ୍ରାମବାସୀ ହୋଇଥିଲେ ଗୃହଶୂନ୍ୟ । ଭୁବନେଶ୍ୱର ସହିତ ରାଜ୍ୟର ଅନେକ ସ୍ଥାନରେ ଦୀର୍ଘଦିନ ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା । ପାନୀୟ ଜଳର ଯୋଗାଣ ସାଙ୍ଗକୁ ବିଦ୍ୟୁତ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେବା ଫଳରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ ।

୧୪ଟି ଜିଲ୍ଲାରେ ପ୍ରଳୟଙ୍କରୀ ଫନୀ ବାତ୍ୟାର ତାଣ୍ଡବଲୀଳା:

ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀ ଜିଲ୍ଲା ।

ମାତ୍ର ସବୁଠାରୁ ଅଧିକମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା । ପୁରୀ ଜିଲ୍ଲାର ପୁରୀ ସହର ବାତ୍ୟା ମାଡ଼ରେ ଛିନ୍ ଭିନ୍ନ ହୋଇଯାଇଥିଲା । ପୁରୀ ସହରର ସୁନ୍ଦର ନକସା ବଦଳିଯାଇ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପୁରୀରେ ଫନୀ ବାତ୍ୟା ପରବର୍ତ୍ତୀ ଅବସ୍ଥା ଦେଖିବାପରେ ଲାଗୁଥିଲା ଫନୀର ତାଣ୍ଡବଲୀଳା ୯୯ ମହାବାତ୍ୟାଠାରୁ ବଳି ଯାଇଛି । କିଛି ଘଣ୍ଟାର ଭୟଙ୍କର ବାତ୍ୟା ତା’ର ଉଗ୍ରରୂପ ଦେଖାଇବାପରେ ପୁରୀ ସହର ସମେତ ଜିଲ୍ଲାର ଅଧିକାଂଶ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା ।

ପ୍ରକୃତରେ ଫନୀ ବାତ୍ୟା ପ୍ରପୀଡ଼ିତ ପୁରୀ ବାସିନ୍ଦା ସେଦିନର କଥା ମନେ ପକାଇ କହନ୍ତି ଯେ, ୯୯ ମସିହା ମହାବାତ୍ୟାଠାରୁ ପୁରୀ ପରିସ୍ଥିତି ଯେତିକି ଭୟାନକ ଥିଲା ସେତିକି ମାତ୍ରାରେ ଥିଲା ହୃଦୟ ବିଦାରକ । ଶ୍ରୀକ୍ଷେତ୍ର ପୁୁରୀର ବଡ଼ଦାଣ୍ଡ ମଧ୍ୟ ଫନୀ ବାତ୍ୟାର ପ୍ରକୋପରୁ ବାଦ୍ ପଡ଼ିନଥିଲା ।

ଏକର ଏକର ଚାଷଜମିରେ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହେବା ସହିତ ଘରଦ୍ୱାର ଭୁଷୁଡ଼ି ଉଜୁଡ଼ି ଯାଇଥିଲା । ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ, ଗୋପ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ପୁରୀ ସଦର ତଥା କୃଷ୍ଣପ୍ରସାଦ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ନଡ଼ିଆଗଛ ସମ୍ପୂର୍ଣ୍ଣମାତ୍ରାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା ।

ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାର ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ଧାନ ଫସଲ ଅଧିକ ମାତ୍ରାରେ କ୍ଷତି ଘଟିଥିଲା । ଏହି ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ଅଧିକ ସଂଖ୍ୟାରେ ବାସଗୃହ କ୍ଷତିଗ୍ରସ୍ତ ହେବା ସହିତ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଥିଲା । ଶହଶହ ଗଛ ଭାଙ୍ଗିରୁଜି ଯାଇ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା ।

ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୯ ତାରିଖ ଦିନ ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ଆଦି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ହୋଇଥିଲା। ବର୍ଷା ଓ ପବନର ଗତି ଲକ୍ଷ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୮ ତାରିଖ ଦିନ ସ୍କୁଲ ବନ୍ଦ ହୋଇଥିଲା ।

 

Leave A Reply

Your email address will not be published.