Latest Odisha News

BREAKING NEWS

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ ।

ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଥିଲେ ଓସିଏର ସଭାପତି ଭାବେ । ଓଡ଼ିଶା ରାଇଫଲ୍ ସଂଘର ସଭାପତି ଭାବେ ଅନଙ୍ଗ ଉଦୟ ସିଂହଦେଓ ଓ ହରିପ୍ରସାଦ ପଟ୍ଟନାୟକ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ଭାରୋତ୍ତଳନ ସଂଘର ସଭାପତି ରୂପେ ଚିତ୍ତରଞ୍ଜନ ସ୍ୱାଇଁ ଏବଂ ସମ୍ପାଦକ ଭାବେ ନାରାୟଣ ସାହୁ ନିର୍ବାଚିତ ହୋଇଥିଲେ ।  ୨୦୧୯ ବର୍ଷରେ ଓଡ଼ିଶା ଖୋ-ଖୋ ସଂଘର ସଭାପତି ରୂପେ ନାରାୟଣ ପାତ୍ର ଏବଂ ପ୍ରଦ୍ୟୁମ୍ନ ପାତ୍ର ଯଥାକ୍ରମେ ସଭାପତି ଓ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ର ନୂତନ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଏବଂ ସମ୍ପାଦକ ଭାବେ ସମ୍ବିତ୍ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।

ରାଜ୍ୟର କ୍ରିକେଟପ୍ରେମୀଙ୍କ ଲାଗି ୨୦୧୯ ବର୍ଷ ଶୁଭଙ୍କର ଥିଲା । ଦୀର୍ଘ ଅଢେଇ ବର୍ଷ ପରେ ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବା ଫଳରେ ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି ହୋଇଥିଲା । ବର୍ଷର ଶେଷଭାଗରେ ଭାରତ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ମଧ୍ୟରେ ୩ୟ ତଥା ଚୂଡ଼ାନ୍ତ ଦିନିକିଆ ଦିବାରାତ୍ର ମ୍ୟାଚ ଅନୁଷ୍ଠିତ ହେଲା । ଭାରତ ଏହି ମ୍ୟାଚରେ ଆକର୍ଷଣୀୟ ବିଜୟ ହାସଲ କରିବା ସହିତ ଶୃଙ୍ଖଳାକୁ ୨-୧ରେ ଜିତିଥିଲା ।

କଳିଙ୍ଗ ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ହେବା ଏବଂ ଓଡ଼ିଶା ଏଫସି ଦଳ ଆଇସିଏଲ ଟୁର୍ଣ୍ଣାମେଣ୍ଟରେ ଘରୋଇ ଦଳ ଭାବେ ମ୍ୟାଚ ଖେଳିବା ଓଡ଼ିଶାର କ୍ରୀଡ଼ାଜଗତ ଲାଗି ଖୁସିର ଖବର ଥିଲା ।

ଓଡ଼ିଆ ସ୍ପ୍ରିଣ୍ଟର୍ ତଥା ଭାରତର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଚଳିତ ଥର କେବଳ ଜାତୀୟସ୍ତରରେ ନୁହେଁ ବରଂ ବିଶ୍ୱସ୍ତରରେ ଖବର ଶିରୋନାମାର ପୃଷ୍ଠା ମଣ୍ଡନ କରିଥିଲେ । ଦୂତୀ କେବଳ ଟ୍ରାକରେ ନୁହେଁ ବରଂ ଟ୍ରାକ ବାହାରେ ମଧ୍ୟ ୨୦୧୯ ବର୍ଷରେ ଚର୍ଚ୍ଚାରେ ରହିଥିଲେ । ସେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ୱାର୍ଲ୍ଡ ୟୁନିଭର୍ସିଟି ଚାମ୍ପିୟନସିପରେ ଦୂତୀ ହାସଲ କରିଥିଲେ ସ୍ୱର୍ଣ୍ଣ ପଦକ । ଖାଲି ସେତିକି ନୁହେଁ ଦୂତି ଦେଶର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଭାବେ ଘୋଷିତ ହୋଇ ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି ।

ଦୂତୀ କୌନ ବନେଗା କରୋଡ଼ପତି (କେବିସି) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତାଙ୍କ ଫ୍ୟାନମାନଙ୍କୁ ଖୁସି କରିଥିଲେ । ସେ ଆହୁରିମଧ୍ୟ କପିଲ୍ ଶର୍ମାଙ୍କ ଟିଭି ଶୋ’ରେ ସ୍ଥାନ ପାଇ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲେ ।

ସବୁଠାରୁ ବଡ଼କଥା ହେଲା ରାଜ୍ୟ ପ୍ରଥମ କ୍ରୀଡ଼ାବିତ ବା ଏକ ସେଲେବ୍ରିଟି ଭାବେ ଦୂତୀ ବିଶ୍ୱର ନାମୀ ଦାମୀ ତଥା ବହୁଳ ପ୍ରସାରିତ ମ୍ୟାଗାଜିନ୍ ଟାଇମ୍, ଭୋଗ, ଫୋର୍ବସ ଏବଂ ଆପଲ ପତ୍ରିକାର କଭର୍ ପେଜରେ ସ୍ଥାନ ପାଇଥିଲେ ।

ଓଡ଼ିଶା ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ନିଜର ଉନ୍ନତ ଖେଳ ପ୍ରଦର୍ଶନ ଯୋଗୁଁ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିପାରିଛନ୍ତି । ପ୍ରମୋଦ ଅନେକ ୍ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅନେକ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ସେ କ୍ରୀଡ଼ାଜଗତରେ ଭାରତ ଓ ଓଡ଼ିଶାର ମାନ ବୃଦ୍ଧି କରିପାରିଛନ୍ତି । ପ୍ରମୋଦ ଦେଶର ମର୍ଯ୍ୟାଦା ଜନକ ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି । ତାଙ୍କୁ ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ସମ୍ମାନିତ କରାଯାଇଥିଲା ।

ସେହିପରି ଭାବେ ଉଦୀୟମାନ ମହିଳା ଭାରୋତ୍ତଳନକାରୀ ଝିଲ୍ଲୀ ବେହେରାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ ପଦକ ହାସଲ କରି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିପାରିଛନ୍ତି ।

ଓଡ଼ିଆ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ବିଶ୍ୱସ୍ତରୀୟ ବ୍ୟାଡ଼ମିିଣ୍ଟନ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି । ତାଙ୍କ ସାନ ଭଉଣୀ ଶ୍ୱେତପର୍ଣ୍ଣା ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରି ବ୍ୟାଡ଼ମିଣ୍ଟନରେ ସଫଳତା ଅର୍ଜନ କରିଛନ୍ତି । ଯାହାକି ଓଡ଼ିଶା କ୍ରୀଡ଼ାଜଗତ ଲାଗି ଏକ ଶୁଭ ଲକ୍ଷଣ ।

ପୂର୍ବବର୍ଷ ପରି ଚଳିତ ବର୍ଷ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ରାଜ୍ୟ ସରକାର ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶା ଗତବର୍ଷ ସଫଳତାର ସହିତ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଆୟୋଜନ କରିପାରିଥିଲା । ଆଗାମୀ ବିଶ୍ୱକପ ହକି ମଧ୍ୟ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବା ଖବର ରାଜ୍ୟ ତଥା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିପାରିଛି । ୨୦୧୯ରେ ଏଫଆଇଏଚ ସିରିଜ୍ ଫାଇନାଲ ଏବଂ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସଫଳାତର ସହିତ ଓଡ଼ିଶାରେ ସମ୍ପନ୍ନ ହୋଇଛି । ଓଡ଼ିଆ ଖେଳାଳି ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦିପଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ ଭାରତୀୟ ମହିଳା ହକି ଦଳରେ ଅନେକ ମ୍ୟାଚ ଖେଳିପାରିଛନ୍ତି । ସେହିପରି ଭାବେ ପୁରଷ ଦଳରେ ଅମିତ ରୋହିଦାସ ଏବଂ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇ ଦେଶ ଲାଗି ଉନ୍ନତ ଖେଳ ପ୍ରଦର୍ଶନ କରିଛନ୍ତି ।

ତେବେ ଓଡ଼ିଶା କ୍ରୀଡ଼ା ଜଗତ ଲାଗି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ୨୦୧୯ରେ ଅନ୍ତର୍ଜାତୀୟ ଭାରୋତ୍ତଳନକାରୀ କେ ରବି କୁମାର । ନାଡ଼ା ଦ୍ୱାରା ଡୋପ୍ ଟେଷ୍ଟରେ ଅସଫଳ ହୋଇ ଆସନ୍ତା ୪ ବର୍ଷ ଲାଗି ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରୁ ବାସନ୍ଦ ହୋଇଛନ୍ତି । ଯାହାକି ରାଜ୍ୟ କ୍ରୀଡ଼ାଜଗତ ଲାଗି ନାପସନ୍ଦ ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.