Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର, ୧୨ ଗେଟ୍‌ ଖୋଲା

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ସର୍ବାଧିକ ୬୩୦ ଫୁଟ ଜଳ ଧାରଣ କ୍ଷମତା ଥିବାବେଳେ ଏହାର ୯୮%ରୁ ଅଧିକ ଏବେ ଭରିଗଲାଣି । ଏବେ ୬୨୯.୩୩ ଫୁଟରେ ଜଳ ସ୍ତର ଥିବାବେଳେ ଘଣ୍ଟାକୁ ଘଣ୍ଟା ପାଣି ବଢ଼ୁଛି । ତେଣୁ ଡ୍ୟାମ୍ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିଛନ୍ତି । ଏବେ ୧୨ଟି ‌ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିବା ବେଳେ ଅଧିକ ଗେଟ୍‌ ଖୋଲିବାକୁ ଯୋଜନା ହୋଇଛି । ପୁଣି ଆସନ୍ତା ସପ୍ତାହରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ସବୁ ଡ୍ୟାମ୍ ଓ ନଦୀରେ ଜଳସ୍ତର ବଢ଼ିପାରେ । ଫଳରେ ରାଜ୍ୟରେ ବଡ଼ ବନ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ହୀରାକୁଦରେ ଡ୍ୟାମକୁ ସେକେଣ୍ଡ୍‌ ପିଛା ୧,୪୯,୦୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ବେଳେ ସେକେଣ୍ଡ ପିଛା ୨,୨୫,୩୦୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।  ଯେଉଁଥିପାଇଁ ଏବେ ମହାନଦୀ ଓ ଶାଖା ନଦୀ ଫୁଲିବାରେ ଲାଗିଛି । ୨୫ରୁ ରାଜ୍ୟରେ ବର୍ଷା ବଢ଼ିବ। ଉପକୂଳ, ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଦାନ ବାନ୍ଧୁଥିବାରୁ ଓଡ଼ିଶାକୁ ବର୍ଷାରୁ ନିସ୍ତାର ନାହିଁ। ଯାହା ମହାନଦୀ ଓ ଏହାର ଶାଖା ନଦୀ ସମେତ ବିଭିନ୍ନ ନଦୀରେ ବନ୍ୟା ଆଣିପାରେ।

ମିଆଁମାର ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଶନିବାରରୁ ଉପକୂଳ , ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ୨୬ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏହା ୨୮ରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ମଧ୍ୟ ସାରା ରାଜ୍ୟରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ସବୁ ଡ୍ୟାମ୍‌ ଓ ନଦୀରେ ଜଳସ୍ତର ବଢ଼ିବ ବୋଲି କୁହାଯାଉଛି ।

 

Leave A Reply

Your email address will not be published.