Latest Odisha News

BREAKING NEWS

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଯାଜପୁର, କୋରେଇ, ଦଶରଥପୁର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦଶରଥପୁର ବ୍ଲକରେ ବୈତରଣୀର ଶାଖା ନଦୀ କାଣୀର ୪ଟି ସ୍ଥାନରେ ଅତଡ଼ା ଖସିଛି । ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟାପଡ଼ା ଠାରେ ୪ଟି ସ୍ଥାନରେ ନଦୀ ବନ୍ଧ ଧସିଯାଇଛି । ମଲ୍ଲିକାପୁର ଗାଁ ପାର୍ଶ୍ୱ ୩ଟି ସ୍ଥାନରେ ଧସିଥିବା ବେଳେ ଗୋଟିଏ କଣ୍ଟାପଡ଼ା ଗାଁ ନିକଟରେ ଧସିଛି ।

୪ଟି ସ୍ଥାନରେ ପ୍ରାୟ ୫୦୦ ମିଟରରୁ ଅଧିକ ଧସିଛି ନଦୀ ବନ୍ଧ । ଅନ୍ୟଟେ ଗତବର୍ଷ କଣ୍ଟାପଡ଼ା ଠାରେ ସୃଷ୍ଟି ହୋଇଥିବା ଘାଈ ଖୋଲା ରହିଥିବାରୁ ସେହି ବାଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଚାଷଜମିରେ ପାଣି ମାଡ଼ି ଯାଇଛି । ଏବେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଦେଇ ମରାମତି କାମ ଆରମ୍ଭ ହୋଇଛି । ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ବରିଷ୍ଠ ଯନ୍ତ୍ରୀ ଇଂ ଧନେଶ୍ୱର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେପଟେ ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି । ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ ତରଫରୁ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ ପ୍ରଶାସନ ପକ୍ଷରୁ ନଜର ରଖିବା ସହ ବାଲିବସ୍ତା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ବ୍ରିଜ୍ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମର ୩୦ ଗୋଟି ଗେଟ୍ ଖୋଲିବା ପରେ ମହାନଦୀ ଫୁଲୁଛି । ବିଭିନ୍ନ ସ୍ଥାନରେ ମହାନଦୀ କୂଳ ଖାଉଥିବା ବେଳେ ବିନିକା-ଡୁଙ୍ଗୁରିପାଲି ରାସ୍ତାର ସିଙ୍ଗିଯୁବା ନାଳ ଉପରେ ପାଣି ଚାଲୁଛି । ଫଳରେ ବିନିକା-ଡୁଙ୍ଗୁରିପାଲି ରାସ୍ତା ବିଚ୍ଛିନ୍ନ ହୋଇଯାଇଛି ।

Leave A Reply

Your email address will not be published.