Latest Odisha News

BREAKING NEWS

ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର: ୩ ପ୍ରଭାବିତ ଜିଲ୍ଲାରେ ମୁତୟନ ହେଲେ NDRF ଯବାନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ସଫଳ ମୁକାବିଲା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ତିନୋଟି ଜିଲ୍ଲାରେ ୪ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଆଡ଼କୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଛି ସ୍ଥାନରେ ତଳିଆ ଅଞ୍ଚଳରେ ଥିବା ଗାଁ ଏବଂ ଚାଷ ଜମିରେ ବନ୍ୟା ଜଳ ପଶିବା ଆରମ୍ଭ ହୋଇଯାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏଭଳି ସମ୍ବେଦନଶୀଳ ସ୍ଥିତିରେ ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି।

ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ ହୋଇଥିବା ଏନଡିଆରଏଫ୍ ଯବାନମାନେ ନିଜ ସହିତ ଆତ୍ୟାଧୁନିକ ଉଦ୍ଧାର ସରଞ୍ଜାମ, ପାୱାର ବୋଟ୍, ଲାଇଫ୍ ଜ୍ୟାକେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ରିଲିଫ୍ ସାମଗ୍ରୀ ନେଇ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପହଞ୍ଚିସାରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଏଥି ସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନ ବା ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି ।

ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ନଦୀବନ୍ଧଗୁଡ଼ିକର ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ବିଜୁଳି ବ୍ୟବସ୍ଥା ଏବଂ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିପାରେ ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଉତ୍ତର ଓଡ଼ିଶାର ଏହି ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ତେଣୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏହି ପରିସ୍ଥିତିର ମୁକାବିଲା ପାଇଁ କୌଣସି ତ୍ରୁଟି ନରଖିବାକୁ ଚେଷ୍ଟା କରାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ଉଦ୍ଧାରକାରୀ ଦଳ ନିୟୋଜିତ କରାଯିବ ବୋଲି ସରକାରୀ ସ୍ତରରେ ପ୍ରସ୍ତୁତି ରହିଛି।

Leave A Reply

Your email address will not be published.