ଭୁବନେଶ୍ବର: ଲଗାତାର ବର୍ଷା ପରେ ଟ୍ୱିନ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀ ସମେତ କଟକର ସବୁ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଲୋକେ ଗାଡ଼ି ଲାଇଟ୍ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।
ସୂଚନାମୁତାବକ, ଗତ ୩ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହେଉଥିବାବେଳେ, ଆଜିଠୁ ପାଗର ପରିବର୍ତ୍ତନ ହେବ । ଶୁଖିଲା ଓ ଖରାଟିଆ ପାଗ ହେବାନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ତାତି ବଢ଼ିବ ।
ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ । ଆଭ୍ୟନ୍ତରୀଣ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ୧୨ଟି ସହରର ସର୍ବାଧିକ ଦିନ ତାପମାତ୍ରା ୨୨ ଡିଗ୍ରୀ ତଳେ ରହିଥିଲା ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁରୀରେ ଦିନର ସର୍ବାଧିକ ତାପମାତ୍ରା ୨୦.୪ ଡିଗ୍ରୀ ଥିବାବେଳେ, ଚାନ୍ଦବାଲିରେ ୨୧ ଡିଗ୍ରୀ ତାପମାତ୍ରା ଥିଲା । ସେହିପରି ରାଜଧାନୀରେ ସର୍ବାଧିକ ୧୯.୨ ଡିଗ୍ରୀ ଥିବାବେଳେ, ବାରିପଦାରେ ୨୦.୪ ଡିଗ୍ରୀ ଏବଂ ପାରାଦୀପରେ ୨୦.୭ ଡିଗ୍ରୀ ଥିଲା ।
Comments are closed.