Latest Odisha News

BREAKING NEWS

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ, ସଂସଦକୁ ୯ ଥର ନିର୍ବାଚିତ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶଓ୍ୱନ୍ତ ସିଂହ । ୮୨ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିଂହ । କେନ୍ଦ୍ରରେ ସେ ଥିଲେ ଅର୍ଥ, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ରାଜସ୍ଥାନରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଦେଶ ପାଇଁ ତାଙ୍କର ସେବା ଓ ଜଣେ ରାଜନେତା ଭାବରେ ତାଙ୍କର ଅବଦାନ ସବୁଦିନ ମନେ ରହିବ । ଦେହାନ୍ତ ଖବର ତାଙ୍କୁ ଗଭୀର ଭାବରେ ମର୍ମାହତ କରିଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ବି ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ରାଜନାଥ ଲେଖିଛନ୍ତି, ରାଜନୀତି ତଥା ସମାଜର ଅନନ୍ୟ ଦୃଷ୍ଟିକୋଣ ପାଇଁ ଯଶୱନ୍ତ ସିଂଙ୍କୁ ସ୍ମରଣ କରାଯିବ । ସେ ବିଜେପିକୁ ମଜବୁତ କରିବାରେ ମଧ୍ୟ ସହଯୋଗ କରିଥିଲେ। ମୁଁ ସବୁବେଳେ ଆମର ପାରସ୍ପରିକ କଥା ମନେ ରଖିବି । ଏହାସହ ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜନାଥ ସିଂହ ।

ଯଶଓ୍ୱନ୍ତ ସିଂ ଥିଲେ ବିଜେପିର ପ୍ରତିଷ୍ଠାତା ସଦସ୍ୟ । ୧୯୮୦ରୁ ୨୦୧୪ ପର୍ୟ୍ୟନ୍ତ ସେ ଦୀର୍ଘ ସମୟ ଧରି ସାଂସଦ ଥିଲେ । ବିଜେପି ଟିକେଟରେ ସେ ପାଞ୍ଚ ଥର (୧୯୮୦, ୧୯୮୬, ୧୯୯୮, ୧୯୯୯, ୨୦୦୪) ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଲୋକସଭାକୁ ଚାରି ଥର (୧୯୯୦, ୧୯୯୧, ୧୯୯୬, ୨୦୦୯) ନିର୍ବାଚିତ ହୋଇଥିଲେ ଯଶଓ୍ୱନ୍ତ ସିଂହ । ୨୦୦୪ରେ ବିଜେପି କ୍ଷମତାସୀନ ହେବା ପରେ ସେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ।

ଅଟ୍ଟଳ ବିହାରୀ ବାଜପେୟୀଙ୍କ ସହ ଯଶଓ୍ୱନ୍ତ ସିଂହ (ଫାଇଲ୍ ଫଟୋ)

୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପି ଟିକେଟ ଦେଇ ନଥିଲା । ଏହାପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ହୋଇଥିଲେ । ତାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେପି ।

Leave A Reply

Your email address will not be published.