ଭୁବନେଶ୍ୱର : ଖୁବଶୀଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚାରି ଚାରିଟି ଓଡିଆ ଫିଲ୍ମ । ଏହି ସବୁ ଚଳଚ୍ଚିତ୍ର ଗୁଡିକ ରଜ ଅବସରରେ ରିଲିଜ ହେବାକୁ ଥିବାବେଳେ ଏହା ରଜ ବଜାରକୁ ଅଧିକ ସରଗରମ କରିବ ବୋଲି ସିନେପ୍ରେମୀମାନେ ମତ ଦେଇଛନ୍ତି । ଜାଣନ୍ତୁ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ସମ୍ପର୍କରେ…
![]()
ଗୋଲମାଲ ଲଭ୍
ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଗୋଲମାଲ୍ ଲଭ୍’ର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି । ଏହି ଫିଲ୍ମରେ ଅଭିନେତା ବାବୁସାନଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଚୁଲବୁଲି ଅଭିନେତ୍ରୀ ତମନ୍ନା ।
ଫିଲ୍ମଟିର ସଂଳାପ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି ।
ବାବୁସାନ ଓ ତମନ୍ନାଙ୍କ ବ୍ୟତୀତ ବିଜୟ ମହାନ୍ତି, ଶ୍ରୀତମ ଦାସ, ଜୀବନ ପଣ୍ଡା, ସ୍ୱର୍ଗତ ସଲିଲ୍ ମିତ୍ର, ଇଲୁ ବାନାର୍ଜୀଙ୍କ ସମେତ ଅନେକ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିପାରିବ ।
ସେଲଫିସ୍ ଦିଲ୍
ରଜ ବଜାରକୁ ସରଗରମ କରିବ ଅପକମିଂ ଓଡିଆ ଫିଲ୍ମ ‘ସେଲଫିସ୍ ଦିଲ୍’ । ପଞ୍ଚବଟି ସିନେ କ୍ରିଏସନ୍ ବ୍ୟାନରରେ ନିର୍ମିତ ହୋଇଛି ଫିଲ୍ମ । ଏଥିରେ ନବାଗତ ଅଭିନେତା ଶ୍ରେୟାନଙ୍କ ସହ ରୋମାନ୍ସ କରୁଛନ୍ତି ସୂର୍ଯ୍ୟମୟୀ ।
ଶ୍ରେୟାନ୍ ଦିଲ୍ଲୀର ଏକ ଆକ୍ଟିଂ ସ୍କୁଲରୁ ତାମିଲ୍ ପ୍ରାପ୍ତ ଅଭିନେତା ।
ଏମାନଙ୍କ ବ୍ୟତୀତ ଭେଟେରାନ୍ ଆକ୍ଟର ବିଜୟ ମହାନ୍ତି, ମୁନ୍ନା ଖାନ୍, ପପି ସନ୍ତୁକା, ସ୍ୱର୍ଗତଃ ସଲିଲ ମିତ୍ର, କେ.କେ, ଗୁଡ୍ଡୁ, କାଳୀ ଏବଂ ଅମର ପ୍ରମୁଖ ଦମଦାର ଭୂମିକାରେ ନଜର ଆସିବେ।
ହେମନ୍ତ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମରେ ସୌମିତ୍ର ପଲାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ନିର୍ମଳ ନାୟକ ମ୍ୟୁଜିକ କମ୍ପୋଜ୍ କରିଛନ୍ତି ।
ଚିରକୁଟ୍
ଓଲିଉଡର କମେଡି କିଙ୍ଗ୍ ପପୁ ପମପମ୍ ଓଡିଆ ଚଳଚ୍ଚିତ୍ର ‘ଚିରକୁଟ୍’ରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପପୁ ପ୍ରଥମ ଥର ଲାଗି ଅଭିନୟରୁ ନିର୍ଦ୍ଦେଶନାକୁ ଓହ୍ଲାଇଛନ୍ତି ।
‘ଚିରକୁଟ୍’ ଜରିଆରେ ଅରୋଜିତ ଓ ଅନନ୍ୟା ଓଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ପପୁ ସଙ୍ଗୀତ କମ୍ପୋଜ କରିଥିବାବେଳେ ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ ଓ ବିଷ୍ଣୁ ମୋହନ କବି ପ୍ରମୁଖ କଣ୍ଠଦାନ କରିଛନ୍ତି ।
ଏହି ଚଳଚ୍ଚିତ୍ରରେ ମୋଟ୍ ୬ଟି ଗୀତ ରହିଛି । ସେଥିମଧ୍ୟରେ ‘ଗୋଟିଏ କ୍ଲାସିକାଲ୍’, ‘୯୦ ଦଶକର ମେଲୋଡି’, ‘କବାଲି’, ‘ଆଇଟମ୍ ନଂ’ ଓ ଆଉ ଗୋଟିଏ ‘ଓଡିଆ କାନ୍ଦଣା’ ଭଳି ଗୀତ ରହିଛି ।
ତୁ ମୋ ଲଭ୍ ଷ୍ଟୋରୀ-୨
୨୦୧୮ରେ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର ‘ତୁ ମୋ ଲଭ୍ ଷ୍ଟୋରୀ’ର ଏହା ହେଉଛି ସିକ୍ୱେଲ୍ ।
ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭିଜର ମିଳିତ ଉଦ୍ୟମରେ ଫିଲ୍ମଟି ନିର୍ମିତ ହୋଇଛି ।
ଅଭିନେତା ସ୍ୱରାଜ ଓ ଚୁଲବୁଲି ଭୂମିକା ଲିଡ୍ ରୋଲରେ ନଜର ଆସିବାକୁ ଥିବାବେଳେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ତାପସ ସରଘରିଆ ତୁଲାଇଛନ୍ତି ।