Latest Odisha News

BREAKING NEWS

‘ଓଡ଼ିଶା ମୋ ପରିବାର’ ଦ୍ୱାରା ଉଦ୍ଧାର ହେଲେ ଦୁବାଇରେ ଫସିରହିଥିବା ୪ ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିରହିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ତରଫରୁ ଉଦ୍ଧାର କରାଯାଇଛି ।

ମଙ୍ଗଳବାର ଦିନ ଭୋର୍ ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ରାଜ୍ୟ ସରକାରଙ୍କ ତରଫରୁ ନିୟୋଜିତ କୋଲକାତାସ୍ଥିତ ଉତ୍କଳ ଭବନର ଅଧିକାରୀମାନେ ଏୟାରପୋର୍ଟରୁ ସେମାନଙ୍କୁ ଆଣି ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ପରେ ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଟ୍ରେନ୍ ମାଧ୍ୟମରେ ଭୁବନେଶ୍ୱର ଅଣାଯାଇଥିଲା ।

ଭୁବନେଶ୍ୱର ସ୍ଥିତ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ଆବାହକ ଅରୂପ ପଟ୍ଟନାୟକ, ସହ-ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ ଏବଂ ଓଡ଼ିଶା ମୋ ପରିବାରର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲା ଅନ୍ତର୍ଗତ ନାଥପୁର ଗ୍ରାମର ଦୁଇଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିୟମିତ ଭାବେ ଦୁବାଇକୁ ନେଇଯାଉଥିଲେ । ଏମାନଙ୍କ ପ୍ରଲୋଭନରେ ଯାଜପୁର ଜିଲ୍ଲାର କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଏବଂ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଦୁବାଇକୁ ଚାକିରି ଉଦ୍ଦେଶ୍ୟରେ ଯାଇଥିଲେ ।

ଦୁବାଇରେ ସେମାନଙ୍କ ବିରୋଧରେ ମିଥ୍ୟା କେସ ରୁଜୁ କରାଯାଇ ଫସାଇ ଦିଆଯାଇଥିଲା । ଏହା ଜାଣିପାରି ରାଜ୍ୟ ସରକାର ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ପ୍ରଚେଷ୍ଟା କରିଥିଲେ । ଏସମ୍ପର୍କରେ ଡିସେମ୍ବର ୫ ତାରିଖରେ ସ୍ଥାନୀୟ ସ୍ୱାମ୍ବାଦିକ ତପନ ଭଞ୍ଜ ଖବର ପାଇ ବିଧାୟକ ତଥା ଓଡ଼ିଶା ମୋ ପରିବାର ସଭ୍ୟ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଯୋଗାଯୋଗ କରିଥିଲେ । ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ତାଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଦୁବାଇସ୍ଥିତ ଭାରତୀୟ ଦୁତାବାସ ସହିତ ସମ୍ପର୍କ ରକ୍ଷା କରାଯାଇ ଏହି ୪ଜଣ ଯୁବକମାନଙ୍କୁ ସେଠାରେ ଆଇନ ସହାୟତା ପ୍ରଦାନ କରାଯାଇଥିଲା । ଦିଲ୍ଲୀସ୍ଥିତ ବରିଷ୍ଠ ସୁପ୍ରିମକୋର୍ଟ ଆଇନଜୀବୀ ଅବନୀକାନ୍ତ ସାହୁ ଏବଂ ଓଡ଼ିଶା ସରକାରଙ୍କ ରେସିଡ଼େନ୍ସିଆଲ୍ କମିଶନର୍ ରବିକାନ୍ତଜୀ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.